ମ୍ୟାଜିକ୍‌ ପେନ୍‌‌ରେ ଖେଳ : ୨୨ହଜାର ଲୁଟ୍‌

ଭୁବନେଶ୍ୱର/ଖଣ୍ଡଗିରି : ଦୁଇବର୍ଷ ପରେ ପୁଣି ଫେରିଛି ମ୍ୟାଜିକ୍‌ ପେନ୍‌ ଜରିଆରେ ଠକେଇ। ଲୋନ୍‌ ଦେବା ଆଳରେ ମ୍ୟାଜିକ୍‌ ପେନ୍‌ ଦ୍ବାରା ଚେକ୍‌ ଉପରେ ଲେଖାଯାଇଥିବା ‘କ୍ୟାନ୍‌ସଲ୍‌ଡ’ ଲେଖ‌ାକୁ ଲିଭାଇ ଦୁର୍ବୃତ୍ତ ୨୨ ହଜାର ୫ଶହ ଟଙ୍କା ଠକି ନେବାରେ ସକ୍ଷମ ହୋଇଛି। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ତେବେ ଅନୁରୂପ ଢଙ୍ଗରେ ୨୦୧୮ ମସିହାରେ ଜଗନ୍ନାଥ ଗ୍ରାଫିକ୍ସ ମାଲିକ ରଞ୍ଜନ କୁମାର ମଲ୍ଲଙ୍କୁ ବ୍ୟାଙ୍କ୍‌ ଲୋନ୍‌ କରିଦେବା ଲୋଭ ଦେଖାଇ ୧ ଲକ୍ଷ ୫୦ ହଜାର ଟଙ୍କା ଠକି ନିଆଯାଇଥିଲା। ଅଦ୍ୟାବଧି ପୁଲିସ ଠକର ଟେର୍‌ ପାଇ ନାହିଁ। ଏବେ ଏହି ଘଟଣା ପୁଣି ଥରେ ଘଟିଛି। ଯାହାକି ପୁଲିସର ମୁଣ୍ଡବିନ୍ଧାର କାରଣ ସାଜିଛି। ଏହି ଘଟଣା ପରେ ରାଜଧାନୀରେ ମ୍ୟାଜିକ୍‌ ପେନ୍‌ ରୢାକେଟ୍‌ ପୁଣି ଥରେ ସକ୍ରିୟ ହୋଇଥିବା ଆଶଙ୍କା କରାଯାଉଛି। କିଛି ଦିନ ତଳେ ମୁମ୍ବାଇରେ ଏଭଳି ଏକ ଗ୍ୟାଙ୍ଗ୍‌ ଏକାଧିକ ଠକେଇ କରିଥିଲେ। ମୁମ୍ବାଇ ପୁଲିସ ମଧ୍ୟ ଏମାନଙ୍କୁ ଧରିବାରେ ନାକେଦମ୍‌ ହୋଇଥିଲା। କିନ୍ତୁ ସଫଳ ହୋଇଥିଲା। ଏହି ସବୁ କାରବାର ଉପରେ ମୁମ୍ବାଇ ପୁଲିସ କଡ଼ା ନଜର ରଖିବାରୁ ଦୁର୍ବୃତ୍ତମାନେ ସେ ଅଂଚଳ ଛାଡ଼ି ଭୁବନେଶ୍ବର ମୁହାଁ ହୋଇଥିଲେ।

ସୂଚନା ମୁତାବକ, ଜାଗମରା ବରବାରିର ସୋମନାଥ ସାହୁଙ୍କର ବାପୁଜୀ ନଗରରେ ଏକ ଇଲେକ୍ଟ୍ରୋନିକ୍ସ ଦୋକାନ ରହିଛି। ୪ ତାରିଖ ଦିନ ତାଙ୍କ ପାଖକୁ ଏକ ଫୋନ୍‌(୮୯୦୨୨୧୫୨୬୯) କଲ୍‌ ଆସିଥିଲା। ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର କର୍ମଚାରୀ ବୋଲି ପରିଚୟ ଦେଇ ବିକାଶ ସିଂହ ନାମକ ଯୁବକ ୧ ଲକ୍ଷ ଟଙ୍କାର ପର୍ସନାଲ ଲୋନ୍‌ କରାଇ ଦେବା ପାଇଁ ସୋମନାଥଙ୍କୁ କହିଥିଲା। ସୋମନାଥଙ୍କର ଆବଶ୍ୟକତା ଥିବାରୁ ସେ ଏହି ଲୋନ୍‌ ଚାହିଥିଲେ। କାଗଜପତ୍ର ଭେରିଫିକେସନ ପାଇଁ ଜଣେ ଯୁବକ ୫ ତାରିଖ ସାଢ଼େ ୧୦ଟା ବେଳେ ତାଙ୍କ ଦୋକାନରେ ପହଞ୍ଚି ଆକ୍ସିସ ବ୍ୟାଙ୍କ୍‌ର ୨ଟି ଚେକ୍‌ ନେଇଥିଲେ। ପ୍ରୋ‌ସେସିଂ ପାଇଁ ଗୋଟିଏ ଚେକ୍‌ ଶହେ ଟଙ୍କାର ଥିବା ବେଳେ ଆଉ ଗୋଟିଏ ଚେକ୍‌ କ୍ୟାନ୍‌ସଲ୍‌ କରିଥିଲା। ଏହି କ୍ୟାନ୍‌ସଲ୍‌ ଚେକ୍‌କୁ ଦୁର୍ବୃତ୍ତ ଜଣକ ନିଜ ଡଟ୍‌ପେନ୍‌ରେ ପୂରଣ କରିଥିବା ବେଳେ ସୋମନାଥ ଦସ୍ତଖତ କରିଥିଲେ। ଅପରାହ୍‌ଣ ୩ଟା ସୁଦ୍ଧା ଭେରିଫିକେସନ ସରିବା ପରେ ଲୋନ୍‌ ଆକାଉଣ୍ଟକୁ ଆସିଯିବ ବୋଲି କହି ଯୁବକ ଚାଲି ଯାଇଥିଲା। ୩ଟା ବେଳେ ଆକାଉଣ୍ଟରେ ଥିବା ୨୨ ହଜାର ୫ଶହ ଟଙ୍କା ଉଠା ଯାଇଥିଲା। କ୍ୟାନ୍‌ସଲ୍‌ ହୋଇଥିବା ଚେକ୍‌ ବଳରେ ହିଁ ଏହି ପଇସା ଉଠା ଯାଇଥିବା ସେ ବ୍ୟାଙ୍କ୍‌ରୁ ଜାଣିବାକୁ ପାଇଥିଲେ।

ଏହି ଚେକ୍‌ ଜରିଆରେ ପଇସା ଉଠାଇଥିବା ବ୍ୟକ୍ତି ବ୍ୟାଙ୍କ୍‌ରେ ଏକ ଆଧାରକାର୍ଡ ଜମା କରିଛି। ଆଧାରକାର୍ଡ (୫୮୭୪୧୫୨୧୫୮୭୪)ଟି ନୂଆପଲ୍ଲୀର ପ୍ରଦୀପ କଲୋନି ବାସିନ୍ଦା ରଜତ ଶର୍ମାଙ୍କ ନାମରେ ରହିଛି। ପୁଲିସ ଅଭିଯୋଗ ପାଇବା ପରେ ଏହି କାର୍ଡ ନକଲି କି ଅସଲି ତାହା ଯାଞ୍ଚ କରୁଛି। ଫୋନ୍‌ ନମ୍ବରଗୁଡ଼ିକ ମଧ୍ୟ ଟ୍ରାକ୍‌ କରୁଛି। ମ୍ୟାଜିକ ପେନ୍‌ ଦ୍ବାରା ଚେକ୍‌ରେ ‘କ୍ୟାନସଲ’ ଲେଖାଥିବା ଅକ୍ଷରକୁ ଲାଇଟର ସାହାଯ୍ୟରେ ଅତି ସହଜରେ ଏମାନେ ଲିଭାଇ ଦେଇ ପାରନ୍ତି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର