ଭୁବନେଶ୍ବର: ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ୍ ଆକାଉଣ୍ଟ୍ରୁ ୨୨ ଲକ୍ଷ ୨୮ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଦୀର୍ଘ ୧୪ ବର୍ଷର ଆକାଉଣ୍ଟସ୍ ମ୍ୟାନେଜର୍ ବନ୍ଧା ହୋଇଛି। ଖାରବେଳନଗର ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ଅଭିଯୁକ୍ତ ହେଲେ ନୀଳାଚଳ ହସ୍ପିଟାଲ୍ର ଆକାଉଣ୍ଟସ୍ ମ୍ୟାନେଜର୍ ସତ୍ୟ ରଞ୍ଜନ ସ୍ବାଇଁ(୪୫)। ଗତକାଲି ପୁଲିସ ତାଙ୍କୁ ତାଙ୍କ ଢେଙ୍କାନାଳ ଟାଉନ୍ ଥାନା ଆନନ୍ଦନଗରସ୍ଥିତ ବାସଭବନରୁ ଉଠାଇଛି। ତାଙ୍କଠାରୁ ପୁଲିସ ଠକେଇ ସଂକ୍ରାନ୍ତୀୟ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିଛି।
ପୁଲିସ ସୂଚନା ମୁତାବକ ୨୦୧୧ ମସିହାରୁ ଅଭିଯୁକ୍ତ ସତ୍ୟରଞ୍ଜନ ନୀଳାଚଳ ହସ୍ପିଟାଲରେ ପରିଚାଳକ (ଆକାଉଣ୍ଟସ୍) ଭାବରେ କାର୍ଯ୍ୟ କରୁଥିଲେ। ପୁରୁଣା କର୍ମଚାରୀ ହିସାବରେ ସେ କର୍ତ୍ତୃପକ୍ଷଙ୍କ ବିଶ୍ବାସଭାଜନ ହୋଇପାରିଥିଲେ। କିନ୍ତୁ ତାଙ୍କ ଭିତରେ ଛପି ରହିଥିବା ବିଶ୍ବାସଘାତକତାକୁ କେହି ସହଜରେ ଦେଖିପାରି ନଥିଲେ। ହସ୍ପିଟାଲ୍ ପକ୍ଷରୁ ବିଭିନ୍ନ ସଂସ୍ଥାକୁ ମିଳିବାକୁ ଥିବା ବିଲ୍ ବାବଦ ଅର୍ଥକୁ ସେ ବହୁ ସମୟରେ ଏପଟସେପଟ କରୁଥିଲେ। କିନ୍ତୁ କେହି ତା’ର ଟେର୍ ପାଉ ନଥିଲେ। ୨୦୨୪ ଡିସେମ୍ବର ୧୨ତାରିଖରେ ହସ୍ପିଟାଲ୍କୁ ବିଭିନ୍ନ ଔଷଧ ଯୋଗାଣ କରୁଥିବା ଫାର୍ମାସି ସଂସ୍ଥାକୁ ୮ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। କିନ୍ତୁ ସତ୍ୟରଞ୍ଜନ ତଞ୍ଚକତା କରି ଏହି ମଞ୍ଜୁରି ବଳରେ ବିଭିନ୍ନ ପର୍ଯ୍ୟାୟରେ ନିଜର ୩ଟି ଆକାଉଣ୍ଟ ମାଧ୍ୟମରେ ୨୨.୨୮ଲକ୍ଷ ଟଙ୍କା ହଡ଼ପ କରିନେଇଥିଲେ। ଅଥଚ ଯେଉଁ ଫାର୍ମାସି ସଂସ୍ଥା ୮ ଲକ୍ଷ ୮୦ ହଜାର ଟଙ୍କା ପାଇବା କଥା, ତାକୁ ପାହୁଲାଏ ମିଳିନଥିଲା। ତେଣୁ ଉକ୍ତ ଫାର୍ମାସି ସଂସ୍ଥା ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସେତେବେଳକୁ ସତ୍ୟରଞ୍ଜନ ଚାକିରି ଛାଡ଼ି ଦେଇଥିଲେ। ତେଣୁ ଏନେଇ ହସ୍ପିଟାଲ୍ ପକ୍ଷରୁ ଅଡିଟ୍ କରାଗଲା। ଯାଞ୍ଚରୁ ଜଣାପଡ଼ିଲା ଯେ ଆକାଉଣ୍ଟସ୍ ମ୍ୟାନେଜର୍ ସତ୍ୟରଞ୍ଜନ ହିଁ ଟଙ୍କା ହଡ଼ପ କରିଛନ୍ତି। ଏନେଇ ନୀଳାଚଳ ହସ୍ପିଟାଲ୍ର ଏମ୍ଡି ପ୍ରଦୀପ ରାଉତ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁକରି ଅଭିଯୁକ୍ତ ସତ୍ୟରଞ୍ଜନକୁ ଗିରଫ କରିବାକୁ ଚଢ଼ଉ ଚଳାଇଥିଲା।