ହିସାବକୁ ନେଇ ସନ୍ଦେହ, ୨୨୯କୋଟି ଟଙ୍କା କ୍ଷତିପୂରଣ ମାଗିଲା ବିଏମ୍‌ସି

ଭୁବନେଶ୍ବର : ରାଜଧାନୀରେ ବିଏମ୍‌ସିର ପ୍ରାୟ ୨୨୯କୋଟି ୧୧ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବାତ୍ୟା ପରେ କ୍ଷୟକ୍ଷତି ହୋଇଥିବା ହୋଇ ସମ୍ପତ୍ତିର ଆନୁମାନିକ ଖର୍ଚ୍ଚ ଆକଳନ କରି ବିଏମ୍‌ସି କର୍ତ୍ତୃପକ୍ଷ ଏହି ହିସାବ କରିଛନ୍ତି। ବିଏମ୍‌ସିର ସବୁଠୁ ଅଧିକ କ୍ଷତି ରାସ୍ତା ଏବଂ ‌ଛୋଟଛୋଟ ଡ୍ରେନ୍‌ରେ ହୋଇଛି। ଅଧିକାଂଶ ସ୍ଥାନରେ ପାଚେରି ପଡ଼ି, ଗଛ ଉପୁଡ଼ି ଏହି କ୍ଷତି ହୋଇଥିବା କୁହାଯାଇଛି। ଏହି କ୍ଷେତ୍ରରେ ୧୫୫କୋଟି ୬୦ଲକ୍ଷ ଟଙ୍କା କ୍ଷତି ହୋଇଥିବା କୁହାଯାଇଛି।

ବାତ୍ୟାରେ ପ୍ରବଳ ବର୍ଷା ହୋଇ ନଥିଲେ ହେଁ ରାସ୍ତା କିପରି ନଷ୍ଟ ହେଲା, ଡ୍ରେନ୍ ଏମିତି କେତେ କ୍ଷତି ହେଲା ଯେ ଏହି ଖର୍ଚ୍ଚ ୧୫୫କୋଟି ଟପିଲା ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ବିଏମ୍‌ସି ପୂର୍ବରୁ ଭଙ୍ଗା ପଡ଼ିଥିବା ଡ୍ରେନ୍, ନଷ୍ଟ ହୋଇଯାଇଥିବା ରାସ୍ତାକୁ ହିସାବ କରି କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରିଛି ବୋଲି ଚର୍ଚ୍ଚା ହେଲାଣି।

ସେହିପରି ମୁଖ୍ୟ ଡ୍ରେନ୍‌ ପୁନରୁଦ୍ଧାର ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ୩୨କୋଟି ୪୨ଲକ୍ଷ ଟଙ୍କା ମାଗିଛନ୍ତି। ହେଲେ ଏତେ ବଡ଼ ବଡ଼ ଡ୍ରେନ୍ କିପରି ନଷ୍ଟ ହେଲା ସେନେଇ ପ୍ରଶ୍ନ ଉଠିଲାଣି। ମୁଖ୍ୟ ଡ୍ରେନ୍‌ରେ ଅଧିକାଂଶ ସ୍ଥାନରେ କଙ୍କ୍ରିଟ ପାଚେରି ଥିବାବେଳେ ଯେଉଁ କେତେକ ସ୍ଥାନରେ ଇଟା ଯୋଡ଼େଇ ପାଚେରି ଥିଲା ସେଥିରୁ ବହୁତ ଭାଙ୍ଗି ଯାଇଥିଲା। ଏବେ ମୁଖ୍ୟ ଡ୍ରେନ୍ କ୍ଷତି ବାବଦକୁ ୩୨କୋଟିର ହିସାବ ମଗା ଯାଇଥିବାବେଳେ ଏଥିରେ ପୁରୁଣା ପାଚେରି ଏବଂ ବିଏମ୍‌ସି ପକ୍ଷରୁ ନିର୍ମାଣ ହେବାକୁ ଥିବା ପାଚେରିକୁ ହିସାବକୁ ନିଆଯାଇଥିବା କୁହାଯାଉଛି। ବିଏମ୍‌ସି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କଠାରୁ ବାତ୍ୟା ବାବଦକୁ ସହାୟତା ପାଇବାକୁ ଥିବାରୁ ପୂର୍ବରୁ ଭାଙ୍ଗି ଯାଇଥିବା ଏବଂ ମରାମତି କରିବାକୁ ଥିବା ବିଭିନ୍ନ ପ୍ରକଳ୍ପକୁ ମିଶାଇ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସେହିପରି ବିଦ୍ୟୁତ ଜନିତ କ୍ଷୟକ୍ଷତି ୫କୋଟି ୩୯ଲକ୍ଷ ଦର୍ଶାଯାଇଥିବାବେଳେ ଏହାର ହିସାବକୁ ନେଇ କିନ୍ତୁ ପ୍ରଶ୍ନ ଉଠିନି। ବିଏମ୍‌ସି ଅଞ୍ଚଳରେ ପ୍ରାୟ ୫୦ହଜାରରୁ ଅଧିକ ଷ୍ଟ୍ରିଟଲାଇଟ୍ ଥିବାବେଳେ ଏଥିରୁ ୧୮୦୦ଟି ଭାଙ୍ଗିଯାଇଛି ଏବଂ ପୁନରୁଦ୍ଧାର ହେବା ସ୍ଥିତିରେ ନାହିଁ ବୋଲି କୁହାଯାଇଛି। ଏଥିରେ ନୂଆ ବିଦ୍ୟୁତ ଖୁଣ୍ଟ ଏବଂ ବଲ୍‌ବ ଲାଗିବ ସେହିପରି ୪ଟି ହାଇମାକ୍ସ ଲାଇଟ୍ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କୁହାଯାଉଥିବାବେଳେ ଏହା ନୂଆ ଲାଗିବ। ସେହିପରି ବିଭିନ୍ନ ସ୍ଥାନରେ ତାର ଛିଣ୍ଡିଯାଇଛି। ଏହାକୁ ମଧ୍ୟ ହିସାବକୁ ନିଆଯାଇଛି।

ଭାଙ୍ଗି ଯାଇଥିବା ବିଭିନ୍ନ କୋଠା, ନଷ୍ଟ ହୋଇଥିବା ପାର୍କ ରାସ୍ତା, ସବୁଜୀକରଣ, ଖରାପ ହୋଇଥିବା ମେକାନିକାଲ ଯନ୍ତ୍ରପାତି ବାବଦକୁ କର୍ତ୍ତୃପକ୍ଷ ୨୫କୋଟି ୭୦ଲକ୍ଷ ଟଙ୍କାର କ୍ଷୟକ୍ଷତି ହିସାବ କରିଛନ୍ତି। ଏଥିରେ ଆହାର କେନ୍ଦ୍ର, କମ୍ୟୁନିଟି ସେଣ୍ଟର, କଲ୍ୟାଣ ମଣ୍ଡପ, ବିଏମ୍‌ସିର ବିଭିନ୍ନ କାର୍ଯ୍ୟାଳୟ, ପାର୍କରେ ନଷ୍ଟ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଉପୁଡ଼ି ପଡ଼ିଥିବା ଗଛ, ପାର୍କରେ ନଷ୍ଟ ହୋଇଥିବା ବିଭିନ୍ନ ସରଞ୍ଜାମ ଆଦିକୁ ହିସାବକୁ ନେଇ ୨୫କୋଟି ୭୦ଲକ୍ଷ ଟଙ୍କାର ହିସାବ ଦିଆଯାଇଛି। ହେଲେ ବିଡିଏ ଅଧୀନରେ ରାଜଧାନୀର ୧୦ରୁ ଅଧିକ ବଡ଼ ପାର୍କ ଥିବାବେଳେ ବିଏମ୍‌ସି ଅଧୀନରେ ପ୍ରାୟ ସବୁ ଛୋଟଛୋଟ ପାର୍କ ରହିଛି। ବିଡିଏ ଏହି ସବୁ କାର୍ଯ୍ୟର ପୁନରୁଦ୍ଧାର କରୁଥିବାରୁ ବିଏମ୍‌ସି କିପରି ଏହାର ହିସାବ ଦେଇଛି ଏବଂ ନିଜେ ରକ୍ଷଣାବେକ୍ଷଣ କରୁଥିବା କେତୋଟି ପାର୍କରେ କ’ଣ କ’ଣ ନଷ୍ଟ ହୋଇଛି ତା’ର ସବିଶେଷ ତାଲିକା ପ୍ରସ୍ତୁତି କରିଛି ସେନେଇ ବି ସନ୍ଦେହ ଉପୁଜିଛି।

ବିଭିନ୍ନ ୱାର୍ଡରୁ ଭାଙ୍ଗି ଯାଇଥିବା ଗଛ ଉଠାଇବା, କାଟିବା ଏବଂ ଏହାକୁ ନେଇ ଡମ୍ପିଂୟାର୍ଡରେ ପକାଇବା ବାବଦକୁ ବିଏମ୍‌ସି ୧୦କୋଟି ଖର୍ଚ୍ଚର ହିସାବ ଦେଇଛି। ମୁଖ୍ୟ ରାସ୍ତାରୁ ପୂର୍ତ୍ତ ବିଭାଗ ସବୁଜ ଆବର୍ଜନା ଉଠାଇଥିବାବେଳେ ବିଏମ୍‌ସି ବି କିଛି ସ୍ଥାନରୁ ଉଠାଇଛି। ଏପରିକି ବହୁ ସ୍ଥାନରୁ ବାରମ୍ବାର ଭଙ୍ଗା ଡାଳ ଏବଂ ସବୁଜ ଆବର୍ଜନା ଉଠାଇବାକୁ ପଡ଼ୁଛି। ତେଣୁ ଏହି ହିସାବରେ ବିଶେଷ ଏପଟସେପଟ ନଥିବା କୁହାଯାଉଛି।

ବିଏମ୍‌ସିର କ୍ଷୟକ୍ଷତି ହିସାବ ନେଇ ସନ୍ଦେହ ଉଠୁଥିବାବେଳେ ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ହିସାବ ପ୍ରସ୍ତୁତ ହୋଇଛି ତାହା ଆକଳନ କରାଯାଇଛି। ବିଏମ୍‌ସିର ପ୍ରାୟ ୧୯ଜଣ ଯନ୍ତ୍ରୀ ଯେଉଁ ଅନୁସାରେ ହିସାବ ଦେଇଛନ୍ତି ସେହି ଅନୁଯାୟୀ, କ୍ଷୟକ୍ଷତିର ଆକଳନ ହୋଇଛି।

ସମ୍ବନ୍ଧିତ ଖବର