ଆଉ ପାଦେ ଆଗେଇଲା ‘ଏକାମ୍ର ଯୋଜନା’, ମିଳିଲା ୨୫ ‌କୋଟି

ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ନିର୍ଦେଶ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବର ଉନ୍ନତୀକରଣ ତଥା ‘ଏକାମ୍ର ଯୋଜନା’ କାର୍ଯ୍ୟ ଆଉ ପାଦେ ଆଗେଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନାରେ ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ୨୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥରେ ରାସ୍ତାଘାଟ ଉନ୍ନତି ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ। ଏଥିସହ ଏକାମ୍ର ଯୋଜନାରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆଗକୁ ନେବା ଲାଗି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।

ପୁରୀ ଶ୍ରୀମନ୍ଦିର ଭଳି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟୀକରଣ ହେବ। ଏକାମ୍ର କ୍ଷେତ୍ର ଭାବେ ପରିଚିତ ଏହି ୬୬ ଏକର ପରିବ୍ୟାପ୍ତ ଅଞ୍ଚଳର ଗୌରବମୟ ଐତିହ୍ୟର ଉପଯୁକ୍ତ ସଂରକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହା ଅଧୀନରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗରର ପୁନରୁଦ୍ଧାର ଯୋଜନାରେ ବିଭିନ୍ନ ଐତିହ୍ୟ ପୁଷ୍କରଣୀର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ, ମୁକ୍ତେଶ୍ୱର ପରିସରର ବିକାଶ ଓ ବିଭିନ୍ନ ସୁବିଧା ସୁଯୋଗ କରାଯିବ। ଇ-ଅଟୋ ଚାଲିବ, ଐତିହ୍ୟ ବ୍ୟାଖାନ କେନ୍ଦ୍ର ଓ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ପ୍ରଥମ ପର୍ଯ୍ୟାୟରେ ଶ୍ରୀଲିଙ୍ଗରାଜ ଥାନା ଓ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ୍‌କୁ ଅସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଜାରି ରହିଛି। ମନ୍ଦିର ଚାରିପଟେ ପରିକ୍ରମା ପାଇଁ ରାସ୍ତା ନିର୍ମାଣ, ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ହେବ। ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ତା’ର ବ୍ୟବସ୍ଥା କରାଯିବ। ଟ୍ରାଫିକ ହ୍ରାସ ଓ ଯାତାୟାତର ସୁବିଧା ପାଇଁ ତାଳେଶ୍ୱର ଛକଠୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ। ୪ଟି ସ୍ଥାନ ଯଥା ଲିଙ୍ଗରାଜ ମାର୍କେଟ୍‌ ନିକଟରେ, ସାନେଟୋରିୟମ୍‌ ଛକ, ସୁଭଦ୍ରା ମହତାବ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ, ରଥ ରୋଡ୍‌ରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ।

ଏହାବ୍ୟତୀତ ବିନ୍ଦୁସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସମେତ କେଦାରଗୌରୀ, ପାପନାଶିନୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗାଯମୁନା ଓ ଦେବୀପାଦହରା ଐତିହ୍ୟ ପୁଷ୍କରଣୀର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ। ଲିଙ୍ଗରାଜ ମନ୍ଦିରର ନିରାପତ୍ତାକୁ ମଧ୍ୟ ଆହୁରି ସୁଦୃଢ଼ କରାଯିବ। ସରକାରଙ୍କ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବା ଦ୍ୱାରା ଜୀବିକା ହରାଉଥିବା ଉଠାଦୋକାନୀଙ୍କୁ ଦୁଇଟି କିସ୍ତିରେ ୩୦ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ ଓ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ସ୍ଥିତିବାନ ଆବାସିକ ଗୃହ ବା ବ୍ୟାବସାୟିକ ଗୃହ ଉଚ୍ଛେଦ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରାଯାଇ ନିୟମ ଅନୁସାରେ କ୍ଷତିପୂରଣ ଦେବାକୁ ଯୋଜନା‌ ରହିଛି।

ବର୍ତ୍ତମାନ ସୁଦ୍ଧା ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ‌ସେଡ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ସୌନ୍ଦର୍ଯ୍ୟୀକରଣ ଲାଗି ବିଭିନ୍ନ ସ୍ଥାନରେ ଫୁଲ କୁଣ୍ଡଗୁଡ଼ିକୁ ସୁସଜ୍ଜିତ ଭାବେ ରଖାଯାଇଛି। ଲିଙ୍ଗରାଜ ଥାନା ଓ ଶୌଚାଳୟ ଉଠାଇ ଦିଆଯାଇଥିବାରୁ ଏବେ କାର୍ଯ୍ୟ ଆଗକୁ ବଢ଼ୁଛି। ଭଜନ ମଣ୍ଡପ, ପୁରୁଣା ଲିଙ୍ଗରାଜ ମାର୍କେଟ୍‌କୁ ବି ହଟାଇ ଦିଆଯାଇଛି। ଅସ୍ଥାୟୀ ଦୋକାନ ହଟାଇ ଦିଆଯାଇଥିବା ବେଳେ ଏବେ ସ୍ଥିତିବାନ ହଟାଇବା କାର୍ଯ୍ୟ ଜାରି ରହିଛି। ଲକ୍‌ଡାଉନ୍‌ ଯୋଗୁଁ କିଛି ଦିନ ଲାଗି ଉଚ୍ଛେଦ ପ୍ରଭାବିତ ହୋଇଥିଲା। ତେବେ ଗତ ଦୁଇ ମାସ ହେଲା ପୁଣିଥରେ ସ୍ଥିତିବାନ ଲୋକଙ୍କ ଘର ଉଚ୍ଛେଦ ଜାରି ରହିଛି। ଆଜି ସୁଦ୍ଧା ପ୍ରାୟ ୬୦ ପ୍ରତିଶତ ଉଚ୍ଛେଦ ହୋଇସାରିଥିବା ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର