୨୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଭୁବନେଶ୍ବର/ଖୋର୍ଦ୍ଧା: ଖୋର୍ଦ୍ଧାରେ ପୁଣି ମାତିଲେଣି ବ୍ରାଉନସୁଗାର ବେପାରୀ। ଏହି ଅଞ୍ଚଳର ଛୋଟା ସହ ପାଖାପାଖି ୧୦ ଜଣ ବେପାରୀ ଗିରଫ ହେବା ପରେ କିଛି ଦିନ ଥମି ଯାଇଥିବା ବେପାର ପୁଣି ଚାଲିଲାଣି। ଆଜି ଅପରାହ୍‌ଣରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ତାପଙ୍ଗ ନିକଟରେ ଚଢ଼ଉ କରି ୨୬୨ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ଆନୁମାନିକ ବଜାର ଦର ୨୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏଥିରେ ସମ୍ପୃକ୍ତ ଦୁଇଜଣ ବାଡ଼ି-ବାଉଁ ଯୋଡ଼ିଙ୍କୁ ମଧ୍ୟ ଏସ୍‌ଟିଏଫ୍‌ ଗିରଫ କରିଛି। ସେମାନେ ହେଉଛନ୍ତି, ଟାଙ୍ଗୀ ରାଉତପଡ଼ାର ସେକ୍‌ ତାଲିମ୍‌ (ବାଡ଼ି) ଓ ସେକ୍‌ ଆସିଫ୍‌(ବାଉଁ)। ସେମାନଙ୍କଠାରୁ ଏକ ମୋଟର ସାଇକେଲ୍‌ ମଧ୍ୟ ଜବତ କରାଯାଇଛି। ତାପଙ୍ଗ କ୍ରସିଂ ନିକଟରେ ସେମାନେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ଏସ୍‌ଟିଏଫ୍‌ର ତିନିଜଣିଆ ଏକ ଟିମ୍‌ ଉଭୟଙ୍କୁ କାବୁ କରିବା ପରେ ଖୋର୍ଦ୍ଧା ସଦର ଥାନାକୁ ହସ୍ତାନ୍ତର କରିଛି। ସଦର ଥାନା ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ଉଭୟଙ୍କୁ କୋର୍ଟଚାଲାଣ କରିଛି। ଧରା ପଡ଼ିଥିବା ଦୁଇ ବେପାରୀଙ୍କୁ ଭୁବନେଶ୍ବରରୁ ଦୁଇଜଣ ବେପାରୀ ବ୍ରାଉନ୍‌ସୁଗାର ଦେଉଥିବା ପଚରାଉଚରା ବେଳେ ଜଣାପଡ଼ିଛି। ଉଭୟଙ୍କ ମୋବାଇଲ ଫୋନ୍‌ରୁ କଲ୍‌ ଡିଟେଲ୍ସ ମଗାଯାଇ ସମ୍ପୃକ୍ତ ବେପାରୀମାନଙ୍କୁ ଠାବ କରାଯାଉଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ଖାଦାନ ଚାଲିଥିବା ବେଳେ ବ୍ରାଉନ୍‌ସୁଗାର ବେପାର ଜୋରସୋର୍‌ରେ ଚାଲିଥିଲା। ଏନେଇ ପୁଲିସ ନିରବ ରହିବା ଅଭିଯୋଗ ହେବାରୁ ଏସ୍‌ଟିଏଫ୍‌ ତତ୍ପର ହୋଇଥିଲା। ଲଗାତାର ଚଢ଼ଉ କରି ମୁଖ୍ୟ ବେପାରୀ ଛୋଟା ସହ ୧୦ରୁ ଊର୍ଦ୍ଧ୍ବ ବେପାରୀଙ୍କୁ ଗିରଫ କରିଥିଲା। ବିପୁଳ ପରିମାଣରେ ବ୍ରାଉନସୁଗାର ସହ ବନ୍ଧୁକ ମଧ୍ୟ ଜବତ କରିଥିଲା। ଏଭଳି ଧରପଗଡ଼ ଚାଲିବାରୁ ବେପାରୀ ଭୟଭୀତ ହୋଇ ଛପି ଯାଇଥିଲେ। ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ଏସ୍‌ଟିଏଫ୍‌ ମଧ୍ୟ ଶିଥିଳ ପଡ଼ି ଯାଇଥିଲା। ଏହାର ଫାଇଦା ନେଇ ନୂଆ ବେପାରୀ ବାହାରିଥିଲେ। ଏହି ବାଡ଼ି-ବାଉଁ ଯୋଡ଼ିଙ୍କ ନାମରେ ପୂର୍ବରୁ ମଧ୍ୟ ହତ୍ୟା ଉଦ୍ୟମ ଓ ଲୁଟ୍‌ ମାମଲା ରହିଛି। ଏମାନେ ରାଜପଥରେ ଲୁଟ୍‌ପାଟ୍‌ କରୁଥିଲେ। ୧୦ରୁ ଊର୍ଦ୍ଧ୍ବ ବ୍ରାଉନ୍‌ସୁଗାର ବେପାରୀ ଗିରଫ ହୋଇଯିବା ପରେ ଏମାନେ ଏହି ନିଶାଦ୍ରବ୍ୟ ବେପାରରେ ପଶି ଯାଇଥିଲେ। ଗତ ଜୁନ୍‌ ୩ତାରିଖରେ ତମାଣ୍ଡୋ ଥାନା କଳିଙ୍ଗନଗର ଅଞ୍ଚଳରୁ ଅଜୟ ମହାପାତ୍ର ଓ ବିଭୂତି ଭୂଷଣ ଜେନା ଦୁଇଜଣ ବଡ଼ ବେପାରୀ ଧରାପଡ଼ିଥିଲେ। ଏମାନଙ୍କଠାରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଏହି ଦୁଇ ବେପାରୀଙ୍କଠାରୁ ବାଡ଼ି-ବାଉଁ ବ୍ରାଉନ୍‌ସୁଗାର ଆଣି ବେପାର କରୁଥିଲେ।

ସମ୍ବନ୍ଧିତ ଖବର