ନାଁକୁ ମାତ୍ର ଇଏସ୍ଆଇ ମଡେଲ୍ ହସ୍ପିଟାଲ : ସେବା ନାହିଁ, ଦୈନିକ ରୋଗୀ ଖର୍ଚ୍ଚ ୨୫ ହଜାର
୬ ମାସରେ ରେଫରାଲରେ ୧ କୋଟି, ୮୩ ଲକ୍ଷ ୯୧ ହଜାର, ଅର୍ନ୍ତବିଭାଗରେ ଦୈନିକ ଚିକିତ୍ସିତ ହୁଅନ୍ତି ହାରାହାରି ୨ ରୋଗୀ
ରାଉରକେଲା: ଶ୍ରମିକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଉରକେଲାରେ ପ୍ରତିଷ୍ଠା ହୋଇଛି ଇଏସ୍ଆଇ ମଡେଲ୍ ହସ୍ପିଟାଲ। ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର ଆଦି ଜିଲ୍ଲାର ପ୍ରାୟ ୨ ଲକ୍ଷରୁ ଅଧିକ ବୀମାଭୁକ୍ତ ଶ୍ରମିକ କର୍ମଚାରୀ ନିର୍ଭରଶୀଳ। ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନାଁକୁ ମାତ୍ର ଚାଲିଛି। ୧୭ ବର୍ଷ ଧରି ଚାଲିଥିବା ଏହି ହସ୍ପିଟାଲରେ ନାଁ ଅଛି ଆନୁଷଙ୍ଗିକ ବ୍ୟବସ୍ଥା ନା ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ। ବୀମାଭୁକ୍ତ କର୍ମଚାରୀମାନେ ଇଏସ୍ଆଇ ବାବଦରେ ମାସକୁ କୋଟି କୋଟି ଟଙ୍କା ଜମା ହେଉଛି। କିନ୍ତୁ ସେବା ମିଳୁନି। ରୋଗୀଙ୍କୁ ସେବା ଦେବାରେ ସମ୍ପୂର୍ଣ୍ଣ ବିଫଳ। ଦୈନିକ ରୋଗୀ ପିଛା ହାରାହାରି ୨୫ ହଜାର ୨୫୫ ଟଙ୍କା ଖର୍ଚ୍ଚ ହେଉଥିବା ହସ୍ପିଟାଲ ପକ୍ଷରୁ କୁହାଯାଉଛି। ବାସ୍ତବ ଚିତ୍ର କିନ୍ତୁ ଓଲଟା। । ବୀମାଭୁକ୍ତ ଶ୍ରମିକ କର୍ମଚାରୀମାନେ ହସ୍ପିଟାଲକୁ ଚିକିତ୍ସା ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସେପଟେ ଚିକିତ୍ସା ସେବାକୁ ନେଇ ସଭାସମିତିର ବଡ ଭଡ ଭାଷଣ ଦେଉଥିବା ସ୍ଥାନୀୟ ସାଂସଦ ଓ ବିଧାୟକ ବି ଚୁପ୍। ହସ୍ପିଟାଲର ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଯୁକ୍ତ ସମନ୍ବୟ ଅଭାବରୁ ହସ୍ପିଟାଲ କେବଳ ରେଫରାଲ୍ରେ ସୀମିତ। ଅଧିକାଂଶ ରୋଗୀଙ୍କୁ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଥିବା ଘରୋଇ ହସ୍ପିଟାଲଗୁଡ଼ିକୁ ପଠାଇ ଦିଆଯାଉଛି। ଏ ବାବଦରେ ଇଏସ୍ଆଇ ମଡେଲ ହସ୍ପିଟାଲ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ନିଜସ୍ବ ହସ୍ପିଟାଲର ଉନ୍ନତିକରଣକୁ ଗୁରୁତ୍ବ ନ ଦେଇ ରୋଗୀ ରେଫରାଲ ନାଁରେ ଘରୋଇ ହସ୍ପିଟାଲ ସହ ଭିତିରି ସଲାସୁତୁରା କରି ଲକ୍ଷ ଲକ୍ଷ ଟଙ୍କା ହଡ୍ପ କରିବାରେ ଲାଗି ପଡିଛି। ଇଏସ୍ଆଇ ମଡେଲ ହସ୍ପିଟାଲ ସହ ରାଉରକେଲା, କଟକ, ଯାଜପୁର, ଭୁବନେଶ୍ବରର ମୋଟ ୧୪ ଘରୋଇ ହସ୍ପିଟାଲ ଅନୁବନ୍ଧିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ପିଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ଗତ ୨୦୨୦ ଏପ୍ରିଲ ୧ରୁ ୨୦୨୦ ସେପ୍ଟେମ୍ବର ୩୦ ମଧ୍ୟରେ ମାତ୍ର ୬ ମାସରେ କେବଳ ରେଫରାଲ୍ ବାବଦରେ ଖର୍ଚ୍ଚ ହୋଇଛି ୧ କୋଟି ୮୩ ଲକ୍ଷ ୯୧ ହଜାର ୪୩୧ ଟଙ୍କା ଖର୍ଚ୍ଚ ହୋଇଛି। ଏଥି ମଧ୍ୟରେ ରହିଛି ରାଉରକେଲାରେ ରହିଛି ୫ଟି ଘରୋଇ ହସ୍ପିଟାଲ। ଅନ୍ୟଗୁଡ଼ିକ କଟକ ଏବଂ ଭୁବନେଶ୍ବରର। ସବୁଠାରୁ ବଡ ଦୁଃଖର କଥା ମହାମାରୀ କୋଭିଡ୍ରେ ରୋଗୀଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ମାନବିକତା ଭୁଲି ଯାଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ, କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀ। ମହାମାରୀର ଆଳ ଦେଖାଇ ରୋଗୀମାନଙ୍କୁ ଚିକିତ୍ସା ସୁବିଧା ଦେଇ ନାହାନ୍ତି। ଯାହା ହସ୍ପିଟାଲରୁ ମିଳିଥିବା ତଥ୍ୟ ସ୍ପଷ୍ଟ ପ୍ରମାଣିତ ହୋଇଛି।
ଗତ ୨୦୨୦ ମାର୍ଚ୍ଚ ୨୫ରୁ ୨୦୨୦ ଅଗଷ୍ଟ ୩୧ ମଧ୍ୟରେ ଅର୍ନ୍ତବିଭାଗରେ ରୋଗୀ ସଂଖ୍ୟା ବହୁତ୍ କମ୍ ରହିଛି। ଅର୍ନ୍ତବିଭାଗରେ ମାର୍ଚ୍ଚରେ ମାତ୍ର ୧୦, ଏପ୍ରିଲ ୪୪, ମେ ରେ ୭୯, ଜୁନ୍ରେ ୯୩, ଜୁଲାଇରେ ୬୨, ଅଗଷ୍ଟରେ ୯୬ ରୋଗୀ ଭର୍ତ୍ତି ହୋଇଛନ୍ତି। ହାରିହାରି କହିବାକୁ ଗଲେ ଦୈନିକ ମାତ୍ର ୨ରୁ ୩ଜଣ ରୋଗୀଙ୍କୁ ଅର୍ନ୍ତବିଭାଗରେ ଭର୍ତ୍ତି ହେବାକୁ ଅନୁମତି ମିଳିଛି। ଏହି ସମୟ ମଧ୍ୟରେ ବର୍ହିବିଭାଗରେ ମୋଟ ୧୭ ହଜାର ୩୩୧ ରୋଗୀ ଚିକିତ୍ସିତ ହୋଇଛନ୍ତି। ୬୪୨ ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ରେଫର କରାଯାଇଛି। ବର୍ହି ବିଭାଗରେ ମାର୍ଚ୍ଚରେ ମାତ୍ର ୧୬୨, ଏପ୍ରିଲରେ ୯୦୦, ମେରେ ୩ ହଜାର ୩୬୧, ଜୁନ୍ରେ ୪ ହଜାର ୯୦୧, ଜୁଲାଇରେ ୩,୮୯୧, ଅଗଷ୍ଟରେ ୪ ହଜାର ୨୭୮ ରୋଗୀ ଚିକିତ୍ସିତ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ସବୁଠୁ ଆଶ୍ଚର୍ଯ୍ୟର କଥା ଦୈନିକ ହାରାହାରି ରୋଗୀ ପିଛା ୨୫ ହଜାର ୨୫୫ ଟଙ୍କା ଖର୍ଚ୍ଚ ହେଉଥିବା କଥା କହୁଛନ୍ତି। ମାତ୍ର ଏହି ଅର୍ଥ କେଉଁ କେଉଁ ବାବଦରେ ଖର୍ଚ୍ଚ ହେଉଛି, ତା’ର ତଥ୍ୟ କାହାରି ପାଖରେ ନାହିଁ। ଅର୍ଥାତ୍ ରୋଗୀ ଚିକିତ୍ସା ବାବଦରେ ଆସୁଥିବା ଅର୍ଥକୁ ମିଳି ମିଶି ଚଳୁ କରୁଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ସେପଟେ ୫୦ ଶଯ୍ୟା ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ, କର୍ମଚାରୀ ନାହାନ୍ତି। ତୋବେ ପଶ୍ଚିମ ଓଡ଼ିଶାର ଶ୍ରମିକମାନଙ୍କର ଏକମାତ୍ର ଭରସା ଏହି ହସ୍ପିଟାଲର ବିକାଶ ପ୍ରତି ସମସ୍ତେ ଯେମିତି ଆଖି ବୁଝି ଦେଇଛନ୍ତି। ଯାହାକୁ ନେଇ ଶ୍ରମିକ ସଙ୍ଗଠନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସିଆଇଟିୟୁର ବରିଷ୍ଠ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ କହିଛନ୍ତି ଓଡ଼ିଶାର ଏକମାତ୍ର ମଡେଲ ହସ୍ପିଟାଲକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ପ୍ରାୟ ୬୦% ବୀମାଭୁକ୍ତ ଶ୍ରମିକ ହସ୍ପିଟାଲ କୁ ଯାଆନ୍ତି ନାହିଁ କିନ୍ତୁ ସେମାନଙ୍କ ମୁଣ୍ଡା ପିଛା ୨୫ ହଜାର ଟଙ୍କା ବିଲ୍ କରାଯାଇ ହଡ୍ପ କରାଯାଉଛି। ଏହି ଦୁର୍ନୀତିର ବିଧିବଦ୍ଧ ତଦନ୍ତ କରାଯାଉ। ଯେଉଁମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଏହାକୁ ଉନ୍ନତ ହସ୍ପିଟାଲର କରିବାର ଆବଶ୍ୟକତା ରହିଛି।
ବରିଷ୍ଠ ଶ୍ରମିକ ନେତା ପ୍ରଭାତ ମିଶ୍ର କହିଛନ୍ତି, ରେଫରାଲ୍ ରୋଗୀଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥର ଭିଜିଲାନ୍ସ ତଦନ୍ତ ହେବାର ଆବଶ୍ୟକତା ରହିଛି। ମଡେଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି ଓ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନ କରି କାହିଁକି ଘରୋଇ ହସ୍ପିଟାଗୁଡ଼ିକୁ ଗୁରୁତ୍ବ ଦିଆଯାଉଛି, ତାହା ମଧ୍ୟ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ଏହି ଅବହେଳା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ଦୃଷ୍ଟି ଦେବାର ଦରକାର। ସୁନ୍ଦରଗଡ ଶିଳ୍ପାଞ୍ଚଳ ଶ୍ରମିକ ସଭାର ଦିଗାମ୍ବର ମହାନ୍ତି କହିଛନ୍ତି, ଏହି ହସ୍ପିଟାଲ ହେଉଛି ନାଁକୁ ମାତ୍ର ମଡେଲ ହସ୍ପିଟାଲ। ବିଭାଗୀୟ ଅଧିକାରୀ, କର୍ତ୍ତୃପକ୍ଷ କାହାରି ହସ୍ପିଟାଲର ବିକାଶ ପ୍ରତି ଆନ୍ତରିକତା ନାହିଁ। ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଜୟନ୍ତୀ ବେହେରାଙ୍କୁ ଏ ସଂକ୍ରାନ୍ତରେ ବାରମ୍ବାର କଲ୍ କରାଯାଇଥିଲେ ହେଁ ସେ କଲ୍ ଗ୍ରହଣ କରି ନଥିଲେ।