ଅଖାରୁ ମିଳିଲା ୩୦ ଲକ୍ଷ, ଟିକସ ଫାଙ୍କିବାକୁ ବ୍ୟବସାୟୀଙ୍କ ଯୋଜନା ପଣ୍ଡ!

ଭୁବନେଶ୍ୱର : ପୁଲିସ ଗଞ୍ଜେଇ ଭାବି ଅଖାକୁ ଯାଞ୍ଚ କଲା। ମାତ୍ର ଅଖାରେ ଭର୍ତ୍ତି ହୋଇଥିଲା ବିଡ଼ା ବିଡ଼ା ହୋଇ ୩୦ଲକ୍ଷ ଟଙ୍କା। ଯାଞ୍ଚ କରୁଥିବା ପୁଲିସ ଅଧିକାରୀ ଆବାକ୍ ହୋଇ ଯାଇଥିଲେ। ଗତକାଲି କଟକର ଏକ ବ୍ୟାଙ୍କରୁ ଲୁଟ୍‌ ହୋଇଥିବା ଟଙ୍କା ବୋଲି ପ୍ରଥମେ ସନ୍ଦେହ ହୋଇଥିଲା। କିନ୍ତୁ ପରେ ଜଣାଗଲା ଯେ ଟଙ୍କାତକ ଜଣେ ପାଇକାରୀ ବେପାରୀଙ୍କର। ତେଜରାତି ଦୋକାନକୁ ମାଲ୍ ଯୋଗାଉଥିବା ଜଣେ ବ୍ୟବସାୟୀଙ୍କର। ତେବେ ଟିକସ ଫାଙ୍କିବାକୁ ବ୍ୟବସାୟୀଜଣକ ଏଭଳି ନଗଦ କାରବାର କରୁଥିବା ନେଇ ପୁଲିସ ସନ୍ଦେହ କରିଛି। ତେଣୁ ପୁଲିସ ଟଙ୍କା ନେଇ ଯାଉଥିବା ଯୁବକକୁ ଥାନାରେ ଅଟକ ରଖି ଆୟକର ବିଭାଗ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି। ଘଟଣାଟି ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ବ୍ୟବସାୟୀଜଣକ ଟିକସ ଫାଙ୍କିବାକୁ କରିଥିବା ଉଦ୍ୟମ ପଣ୍ଡ ହୋଇଛି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଗତକାଲି କଟକସ୍ଥିତ ଆଇଆଇଏଫ୍‌ଏଲ୍‌ରୁ ନଗଦ ଟଙ୍କା ସମତେ ବିପୁଳ ସୁନା ଗହଣା ଲୁଟ୍‌ ହୋଇଥିଲା। ତେଣୁ କମିସନରେଟ୍‌ ପୁଲିସ ପକ୍ଷରୁ କଟକ ଭୁବନେଶ୍ବରରେ କଡ଼ାକଡ଼ି ଯାଞ୍ଚ ଚାଲିଥିଲା। ସେହିଭଳି ବରମୁଣ୍ଡା ଦେଇ ପ୍ରତିଦିନ ଗଞ୍ଜେଇ ଚାଲାଣ ହେଉଥିବାରୁ ଖଣ୍ଡଗିରି ଥାନା ପୁଲିସ ସକାଳେ ଏହି ଅଞ୍ଚଳରେ ପାଟ୍ରୋଲିଂ ଜୋର୍‌ଦାର କରିଥାଏ। ଆଜି ସକାଳେ ତପୋବନ ବିଦ୍ୟାଳୟ ଛକରେ ଜଣେ ଯୁବକ ଏକ ପୂରା ଅଖା ଧରି ଠିଆ ହୋଇଥିବା ବେଳେ ପୁଲିସ ତାକୁ ଗଞ୍ଜେଇ ସନ୍ଦେହ କରି ଯାଞ୍ଚ କରିଥିଲା। ମାତ୍ର ଅଖାରୁ ମିଳିଥିଲା ୩୦ ଲକ୍ଷ ଟଙ୍କା। ଯୁବକଜଣକ ଜଣେ ବ୍ୟବସାୟୀଙ୍କ ଟଙ୍କା ବୋଲି କହିଥିଲେ। ପାରଳାଖେମୁଣ୍ଡିରୁ ବାକି ଟଙ୍କା ଆଦାୟ କରି ସେ ଫେରୁଥିଲେ ବୋଲି କହିଥିଲେ। ରାଜଧାନୀରେ ପ୍ରତ୍ୟେକ ଦିନ ଲୁଟ୍‌ପାଟ ହେଉଥିଲେ ମଧ୍ୟ ଅଖାରେ ଏତେ ପରିମାଣର ଟଙ୍କା ପୂରାଇ ବୁଲିବାକୁ ଯୁବକଜଣକ କିଭଳି ସାହସ କଲେ? ଯଦି ଏହା ବାକି ପଡ଼ିଥିବା ଟଙ୍କା, ତେବେ ନଗଦ ନ ଆଣି ବ୍ୟାଙ୍କ୍‌ ଜରିଆରେ କାହିଁକି ସଂଗ୍ରହ କରାଯାଇନଥିଲା? ଯଦି ବେପାର କଥା ସତ, ତେବେ ଟିକସ ଫାଙ୍କିବା ପାଇଁ ଏଭଳି ନଗଦ କାରବାର କରାଯାଉନଥିଲା ତ? ଏଭଳି ଅନେକ ପ୍ରଶ୍ନକୁ ନେଇ ପୁଲିସ ଯୁବକଙ୍କୁ ଅଟକ ରଖିଛି। ବ୍ୟବସାୟୀଙ୍କ ପରିଚୟ ମିଳିଥିଲେ ମଧ୍ୟ ପୁଲିସ ତାଙ୍କ ନାମ ପ୍ରକାଶ କରିନାହିଁ। ତେବେ ଅଟକ ଯୁବକଙ୍କ ସୂଚନା ଆଧାରରେ ସମ୍ପୃକ୍ତ ବେପାରୀଙ୍କ ସହ‌ ଯୋଗାଯୋଗ କରାଯାଇଛି। ପାରଳାଖେମୁଣ୍ଡି ପୁଲିସ ସହ ମଧ୍ୟ କମିସନରେଟ୍‌ ପୁଲିସ ଯୋଗାଯୋଗ କରିଛି। ସରକାରୀ ଟିକସ ଫାଙ୍କିବା ଦିଗକୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଛି। ସମ୍ପୃକ୍ତ ବ୍ୟବସାୟୀଙ୍କର ସମ୍ପୂର୍ଣ୍ଣ ବିବରଣୀ ସହ କାଗଜପତ୍ର ଯାଞ୍ଚ କରାଯାଉଛି ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର