ଆଇଏଫ୍ଏସ ଅଫିସର୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କର ବାହାଘର ପାଇଁ ୩୨ କୋଟିର ବିବାହ ବଜେଟ୍

ଭୁବନେଶ୍ୱର : କଳାଧନର କୁବେର ଆଇଏଫ୍ଏସ ଅଫିସର୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କର ବିଳାସପୂର୍ଣ୍ଣ ଜୀବନ ଶୈଳୀର ଗୋଟିଏ ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି। ଆଲିସାନ୍ ଫ୍ଲାଟ୍, ଡାଇନିଂ ହଲ୍, କୋଟି କୋଟି ଟଙ୍କାର ଆସବାବପତ୍ର, ଦାମୀ କାର୍‌, ବାଇକ୍, ବିମାନ ଯାତ୍ରା ଭଳି ଅଏସ କରିବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହ ରାଜକୀୟ ଢଙ୍ଗରେ ବିବାହ ପାଇଁ ଥିଲା ଯୋଜନା। ରାଜସ୍ଥାନର ତାଜ୍ ଲେକ ପ୍ୟାଲେସ ମଧ୍ୟ ବୁକିଂ ସରିଥିଲା, ଯାହାର ମୂଲ୍ୟ ଥିଲା ୫ କୋଟି ଟଙ୍କା। ଅଗ୍ରୀମ ୨୦ ଲକ୍ଷ ଟଙ୍କା ମଧ୍ୟ ଦିଆ ସରିଥିଲା। ଯାହାର ବିଲ୍ ଭିଜିଲାନ୍ସ ହାତରେ ଲାଗି ସାରିଛି। ଏହି ପ୍ୟାଲେସରେ ଶହେରୁ ଅଧିକ ରୁମ୍ ମଧ୍ୟ ରହିଛି। ବରଯାତ୍ରୀଙ୍କ ପାଇଁ ପଞ୍ଚତାରକା ହୋଟେଲରେ ସୁବିଧା ରହିଛି। ଆସନ୍ତା ଡିସେମ୍ବର ୧୧ ତାରିଖରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏହାର ୪ ଦିନ ପୂର୍ବରୁ ବରଯାତ୍ରୀ ଯିବା ଲାଗି ବ୍ୟବସ୍ଥା ହୋଇଥିଲା।

ଚାରିଦିନ କାଳ ବରଯାତ୍ରୀ ରହିବା, ଖାଇବା, ବୁଲିବାର ସବୁ ବନ୍ଦୋବସ୍ତ କରିଥିଲେ ପାଠକ ପରିବାର। ଉଭୟ ବରକନ୍ୟାଙ୍କ ପରିବାର, ସମ୍ପର୍କୀୟ, ସାଙ୍ଗସାଥୀଙ୍କୁ ମିଶାଇ ପ୍ରାୟ ୧୨୦ ଜଣ ଯିବାର ବ୍ୟବସ୍ଥା ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। କେବଳ ସେତିକୁ ନୁହେଁ, ବରଯାତ୍ରୀଙ୍କ ପାଇଁ ପ୍ରାୟ ଶହେରୁ ଅଧିକ ପ୍ରକାର ବ୍ୟଞ୍ଜନର ବରାଦ ହୋଇଥିଲା। ଏହି ପ୍ଲେଟରେ ଦେଶୀ, ବିଦେଶୀ ସହ ବିଭିନ୍ନ ଆଇଟମର ମଜା ଉଠାଇଥାନ୍ତେ ବରଯାତ୍ରୀ। ୪ ଦିନ ଧରି ରାଜସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତେ। ଏହା ସହ ପର୍ଯ୍ୟଟନସ୍ଥଳୀ ମଧ୍ୟ ବୁଲିଥା’ନ୍ତେ। ଆମନ୍ତ୍ରିତ ବରଯାତ୍ରୀଙ୍କ ପାଇଁ ଦାମୀ ସୁଟ୍, ମିଠା, ଘଣ୍ଟା ଭଳି ଉପହାର ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ବିଧାୟକ ଶ୍ରୀ ପାଣିଗ୍ରାହୀ ଓ ଅଭୟକାନ୍ତଙ୍କ ପରିବାର ବ୍ୟତୀତ ଜଙ୍ଗଲ ବିଭାଗର କିଛି ବଛା ବଛା ଅଧିକାରୀ, ବ୍ୟବସାୟୀ, ଦଲାଲ କରୁଥିବା ମଧ୍ୟସ୍ଥ, ଆକାଶଙ୍କର ନକଲି ଅଫିସର କର୍ମଚାରୀ, ସହଯୋଗୀ, ସାଙ୍ଗସାଥୀ ଯିବାର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକା ଭିଜିଲାନ୍ସ ହାତରେ ଲାଗିଛି। ରାଜସ୍ଥାନରେ ବିବାହ ଲାଗି ୩୨ କୋଟି ଟଙ୍କାର ବଜେଟ୍ ହୋଇଥିବା ନେଇ ଭିଜିଲାନ୍ସ ଜାଣିବାକୁ ପାଇଛି। ଏହି ବିବାହ ଉତ୍ସବ ସହ ଜଡ଼ିତ ସମସ୍ତ ଅଧିକାରୀ ତଦନ୍ତ ପରିସରକୁ ଆସିବେ ବୋଲି ଜଣେ ଅଧିକାରୀ କହିଛନ୍ତି।

ବିବାହ ଶେଷ ପରେ ୧୨ ତାରିଖରେ ସେମାନଙ୍କର ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଥିଲା। ଆଉ ୧୫ ତାରିଖରେ ନୟାପଲ୍ଲୀର ଏକ ତାରକା ହୋଟଲରେ ଭୋଜି ପାଇଁ ବୁକିଂ ମଧ୍ୟ ହୋଇଥିଲା। ଏହି ଭୋଜିରେ ମଧ୍ୟ ବଛା ବଛା ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଭୋଜିର ବଜେଟ୍ ୨ କୋଟିରୁ ଅଧିକ ଟଙ୍କା ଥିଲା ବୋଲି ଜଣାପଡ଼ିଛି। ଏହି ଭୋଜିରେ ବି ପଞ୍ଚତାରକା ହୋଟେଲରେ ଖାଦ୍ୟ ବନ୍ଦୋବସ୍ତ କରାଯାଇଥିଲା। ଏହାର ତଥ୍ୟ ମଧ୍ୟ ଭିଜିଲାନ୍ସ ହାତରେ ଲାଗି ସାରିଛି। ଏ ନେଇ ମଧ୍ୟ ତଦନ୍ତ ହେବ ବୋଲି ଜଣାପଡ଼ିଛି। ବାପ-ପୁଅଙ୍କ କଳା କାରନାମାର ଗୋଟିଏ ପରେ ଗୋଟିଏ ଖୁଲାସା ହେଉଥିବା ବେଳେ ରାଜକୀୟ ଭୋଜି କଥା ଏବେ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର୍ ଧରିଛି।

ଜଳଖିଆରେ ମାଗିଲେ ‌‌‌ବ୍ରେଡ୍‌, ବଟର୍‌
ଭୁବନେଶ୍ବର : ଅୟସ ଆରାମରେ ଜୀବନ ବିତାଉଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ଏବେ ଜେଲର ଚାରିକାନ୍ଥ ଭିତରେ। ଗତକାଲି ରାତିରେ ବାପ-ପୁଅ ରୁଟି ସନ୍ତୁଳାରେ ସନ୍ତୁଷ୍ଟ ହୋଇଥିଲେ। କିନ୍ତୁ ଆଜି ସକାଳୁ ସକାଳୁ ଯେତେବେଳେ ଜଳଖିଆ ଦିଆଗଲା, ସେତେବେଳେ ବ୍ରେଡ୍ ଆଉ ବଟର ମାଗିଥିଲେ ଆକାଶ। ଜେଲ ଭିତରେ ଏହି ଖାଦ୍ୟ ମିଳିବ ନାହିଁ ବୋଲି କର୍ମଚାରୀ ସଫାସଫା ମନା କରି ଦେଇଥିଲେ। ସବୁ କଏଦୀଙ୍କ ଭଳି ବାପ-ପୁଅଙ୍କୁ ଉପମା ଓ ମଟର ତରକାରୀ ଦିଆଯାଇଥିଲା। କିଛି ବିକଳ୍ପ ନ ଥିବାରୁ ସେହି ଖାଦ୍ୟ ହିଁ ଖାଇବାକୁ ପଡ଼ିଲା। ସେହିପରି ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ତରକାରୀ ଖାଇବାକୁ ଦିଆଯାଇଥିଲା। ସନ୍ଧ୍ୟାରେ ସେମାନଙ୍କୁ ଭାତ କିମ୍ବା ରୁଟି ଭିତରୁ ଗୋଟିଏ ବାଛିବା ପାଇଁ କୁହାଯାଇଥିଲା। ସେମାନେ ରୁଟିକୁ ହିଁ ପସନ୍ଦ କରିଥିଲେ। ଗତକାଲି ଭଳି ଆଜି ରୁଟି ସନ୍ତୁଳା ଖାଇଥିଲେ। ଅନ୍ୟ କଏଦୀଙ୍କ ଭଳି ଉଭୟଙ୍କୁ ଦୁଇଟି କମଳ, ଦୁଇଟି ଷ୍ଟିଲ ଥା​ଳି ଓ ଗିନା ଦିଆଯାଇଛି। ସେହି ବାସନକୁ ସେମାନେ ବ୍ୟବହାର କରୁଛନ୍ତି।

ବାପ ପୁଅଙ୍କୁ ଏକାଠି ଗୋଟିଏ ଜେଲକୁ ନିଆଯାଇଥିଲେ ମଧ୍ୟ ଅଲଗା ଅଲଗା ଵାର୍ଡରେ ରଖାଯାଇଛି। ବାପାଙ୍କୁ ଦେଖା କରିବାକୁ ଚାହିଁଥିଲେ ମଧ୍ୟ ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ଆକାଶକୁ ଅନୁମତି ଦେଇ ନ ଥିଲେ। କୋର୍ଟଚାଲଣ ପୂର୍ବରୁ ଉଭୟଙ୍କର ଆଣ୍ଟିଜେନ୍ କୋଭିଡ୍ ପରୀକ୍ଷା କରାଯାଇଥିଲା। ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ନିୟମ ଅନୁସାରେ ଉଭୟଙ୍କୁ ୧୪ଦିନ ଲେଖାଁଏ ସଂଗରୋଧ ଵାର୍ଡରେ ରଖାଯିବ। ୧୪ ଦିନ ପାର ହେବା ପରେ ଯଦି କୌଣସି ଲକ୍ଷଣ ନ ବାହାରେ, ତାହାଲେ ସାଧାରଣ ଵାର୍ଡକୁ ସ୍ଥାନାନ୍ତର କରାଯିବ।

ସମ୍ବନ୍ଧିତ ଖବର