ଖଣ୍ଡଗିରି: ଅଭିନବ ଉପାୟରେ ପେଟ୍ରୋଲ ପମ୍ପ୍‌ରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଧୂର୍ତ୍ତ କର୍ମଚାରୀକୁ ବାନ୍ଧିଛି। ଅଭିଯୁକ୍ତ ହେଲା ନୟାଗଡ଼ ଜିଲ୍ଲା ଦଶପଲ୍ଲା ନାହାକପଡ଼ା ଅଞ୍ଚଳର ରଞ୍ଜିତ କୁମାର ସାହୁ ଓରଫ ସିତୁ(୨୧)। କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡରେ ପଇଠ ହେଉଥିବା ଟଙ୍କାକୁ ସେ ଚତୁରତାର ସହ ଆତ୍ମସାତ୍‌ କରୁଥିବା ଜଣାପଡ଼ିବା ପରେ ପେଟ୍ରୋଲ ପମ୍ପ ମ୍ୟାନେଜର୍‌ ଥାନାରେ ଅଭିଯୋଗ କରିଥିଲେ। 
ଅଭିଯୁକ୍ତ ସିତୁ ଦୁଇବର୍ଷ ହେଲା ଖଣ୍ଡଗିରିସ୍ଥିତ ରମାମଣି ପେଟ୍ରୋଲ ପମ୍ପରେ କାମ କରୁଥିଲା। ପେଟ୍ରୋଲ୍‌ ପକାଇବାକୁ ଆସୁଥିବା ଗ୍ରାହକମାନେ କାର୍ଡ ମାଧ୍ୟମରେ ଟଙ୍କା ଦେବା ସମୟରେ ସିତୁ ସ୍ବାଇପ୍‌ ମେସିନ୍‌ରୁ କଷ୍ଟମର୍‌ କପି ଓ ମର୍ଚ୍ଚାଣ୍ଟ କପି ବାହାର କରୁଥିଲା। ଗ୍ରାହକଙ୍କୁ କଷ୍ଟମର୍‌ କପି ଦେଇସାରିବା ପରେ କୌଶଳ କରି ୨ଟି ମର୍ଚ୍ଚାଣ୍ଟ କପି ବାହାର କରୁଥିଲା। ଗୋଟିଏ ପେଟ୍ରୋଲ୍‌ ପମ୍ପ ନିକଟରେ ପଇଠ କରୁଥିଲା ଏବଂ ଅନ୍ୟଟିକୁ ନିଜ ପାଖରେ ରଖୁଥିଲା। କିଛି ସମୟ ପରେ ସୁବିଧା ଦେଖି ସେ ପାଖରେ ରଖିଥିବା ମର୍ଚ୍ଚାଣ୍ଟ କପିକୁ ଅନ୍ୟ କୌଣସି ସ‌ହକର୍ମୀଙ୍କୁ ଦେଇ ଟଙ୍କା ମାଗିନେଉଥିଲା।