ମନ୍ତ୍ରୀଙ୍କ ନାଁ ନେଇ ବ୍ୟବସାୟୀଙ୍କୁ ୪ ଲକ୍ଷ ଟଙ୍କାର ଚୂନ

ପୂଜା କରିବା ଆଳ ଦେଖାଇ ଲୁଟିଲେ ମାତାଜୀ

ଏକାଧିକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ଟଙ୍କା, ପୁଲିସର ତନାଘନା

ଭୁବନେଶ୍ବର : ରାଜ୍ୟର ଜଣେ ମନ୍ତ୍ରୀଙ୍କ ନାଁରେ ଆସିଲା ଫୋନ୍ କଲ୍। ଜଣେ ମାତାଜୀ ଆସିଛନ୍ତି, ହୋଟେଲରେ ରହିବେ, ପୂଜାର୍ଚ୍ଚନା କରିବେ, ତାଙ୍କ କଥା ବୁଝିବ। ଏଭଳି କଥାରେ ଭଳିଗଲେ ବ୍ୟବସାୟୀ। ଆଉ ୩ଟି ପର୍ଯ୍ୟାୟରେ ମାତାଜୀ ଲୁଟିନେଲେ ୪ ଲକ୍ଷ ଟଙ୍କା। ଠକେଇର ଶିକାର ହେବା ଜାଣିବା ପରେ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାୟକ ଏ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛି। ପୁଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। କିନ୍ତୁ ଏଯାଏ ଠକଙ୍କ ଟେର୍ ମିଳି ନାହିଁ।

ମିଳିଥିବା ସୂଚନା ଅନୁସାରେ, ଜଗଦୀଶ ପାତ୍ରପଡ଼ାସ୍ଥିତ ଏକ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ। ଗତ ୮ ତାରିଖରେ ରାଜ୍ୟ ସରକାରଙ୍କ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନାଁରେ ତାଙ୍କ ଅଫିସ ରିସେପସନ୍‌କୁ ଏକ ଫୋନ୍ କଲ୍ ଆସିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ମନ୍ତ୍ରୀଙ୍କ ପିଏସ୍ ବୋଲି ପରିଚୟ ଦେଇଥିଲେ। ମନ୍ତ୍ରୀ କଥା ହେବେ ବୋଲି କହି ତୁରନ୍ତ ସଂସ୍ଥାର ମାଲିକଙ୍କୁ ଫୋନ୍ ଟ୍ରାନ୍ସଫର କରିବା ପାଇଁ କହିଥିଲେ। ସଂସ୍ଥାର ମାଲିକ ଜଗଦୀଶ ଫୋନ୍ ଧରିବା ପରେ କଲ୍ କରିଥିବା ବ୍ୟକ୍ତି ନିଜକୁ ମନ୍ତ୍ରୀ ବୋଲି ପରିଚୟ ଦେବା ସହ ହୋଟେଲରେ ୫ଟି ରୁମ୍ ବୁକ୍ କରିବା ପାଇଁ କହିଥିଲେ। ଜଣେ ଆଧ୍ୟାତ୍ମିକ ମାତାଜୀ ଆସି ରହିବା ସହ ପୂଜାର୍ଚ୍ଚନା ହେବ ବୋଲି କହିବା ପରେ ତୁରନ୍ତ ରୁମ୍ ବୁକ୍ କରି ଦେଇଥିଲେ ଜଗଦ୍ଦୀଶ। ଏହାର କିଛି ସମୟ ପରେ ତଥାକଥିତ ମନ୍ତ୍ରୀ ପୁଣି ଫୋନ୍ କରିଥିଲେ। ପୂଜାର୍ଚ୍ଚନା କରିବା ପାଇଁ ସୁଶାନ୍ତ କୁମାର ବାଗ ଓ ପ୍ରଶାନ୍ତ ବେହେରା ନାମକ ଦୁଇ ଜଣ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଦେଢ଼ ଲକ୍ଷ ଟଙ୍କା ପଠାଅ ବୋଲି କହିଥିଲେ। କଥା ମାନି ପତ୍ନୀଙ୍କୁ କହି ଟଙ୍କା ଟ୍ରାନ୍ସଫର କରାଇଥିଲେ ଜଗଦୀଶ। ତହିଁ ପରଦିନ ଅର୍ଥାତ ୯ ତାରିଖରେ ତଥାକଥିତ ମନ୍ତ୍ରୀ ପୁଣି ଫୋନ୍ କରିଥିଲେ। ମାତାଜୀ ବଲାଙ୍ଗୀରର ଏକ ଜୁଏଲେରି ସୋ’ରୁମ୍‌ରୁ ପୂଜାର୍ଚ୍ଚନା ପାଇଁ ଏକ ତାବିଜ୍ କିଣିଛନ୍ତି, ଏହା ବାବଦରେ ୧ ଲକ୍ଷ ୩୧ ହଜାର ଟଙ୍କା ପଠାଇବା ପାଇଁ କହିଥିଲେ। ଟିକେ ବିଳମ୍ବ ହେବାରୁ ଆତ୍ମଘୋଷିତ ମାତାଜୀ ନିଜେ ପୁଣି ଥରେ ଫୋନ୍ କଲ୍ କରି ଟଙ୍କା ପଠାଇବାକୁ ତାଗିଦ୍ ମଧ୍ୟ କରିଥିଲେ। ଏହା ପରେ ଟଙ୍କା ଟ୍ରାନ୍ସଫର କରିଦେଲେ ଜଗଦୀଶ। ଏହା ପରଦିନ ପୁଣି ଫୋନ୍ କଲ୍ ଆସିଲା। ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅବକାଶ ହୋତାଙ୍କ ଆକାଉଣ୍ଟକୁ ୧ ଲକ୍ଷ ୨୦ ହଜାର ଟଙ୍କା ପଠାଇ ଦିଅ ବୋଲି ତଥାକଥିତ ମନ୍ତ୍ରୀ କହିଥିଲେ। ଜଗଦୀଶ ଏହି ଟଙ୍କା ମଧ୍ୟ ଟ୍ରାନ୍ସଫର କରିଦେଲେ। ୧୩ ତାରିଖରେ ପୁଣି ଫୋନ୍ ଆସିଲା। ବସ୍ ଯୋଗେ ୪ ଲକ୍ଷ ଟଙ୍କା ପଠାଇବା ପାଇଁ ତଥାକଥିତ ମନ୍ତ୍ରୀ ନିର୍ଦ୍ଦେଶ ଦେଲେ। କିନ୍ତୁ ଏଥର ଜଗଦୀଶଙ୍କର ସନ୍ଦେହ ହେବାରୁ ସେ କିଛି ନ କହି ଚୁପ୍ ହୋଇ ରହି ଯାଇଥିଲେ। ପୁଣି ଥରେ କିଛି ସମୟ ପରେ ତାଙ୍କ ପାଖକୁ କଲ୍ ଆସିଥିଲା। ସେ ଠକାମିର ଶିକାର ହୋଇଥିବା ଜାଣିଲା ବେଳକୁ ୩ଟି ପର୍ଯ୍ୟାୟରେ ତାଙ୍କୁ ୪.୧ ଲକ୍ଷ ଟଙ୍କା ‌ଚୂନ ଲଗାଇ ସାରିଥିଲା ଠକ। ଜଗଦୀଶ ଫୋନ୍ କଲ୍ ଆସିଥିବା ସମସ୍ତ ନମ୍ବର, ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫରର ସବିଶେଷ ତଥ୍ୟ ପୁଲିସ ନିକଟରେ ଦାଖଲ କରିବା ପରେ ପୁଲିସ ଆଇପିସି ଦଫା-୧୨୦(ବି),୪୧୯,୪୨୦,୩୪ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବ୍ୟବସାୟୀ କେମିତି ସେମାନଙ୍କ କଥାକୁ ସହଜରେ ବିଶ୍ବାସ କରିଗଲେ, କେମିତି ଟଙ୍କା ଟ୍ରାନ୍ସଫର କଲେ ଓ କାହିଁକି ବିଳମ୍ବରେ ଅଭିଯୋଗ କଲେ ପୁଲିସ ସେ ଦିଗରେ ମଧ୍ୟ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର