ଅସୁରକ୍ଷିତ ରାଜଧାନୀ : ଯବାନଙ୍କ ଗାଡ଼ି ଡିକି ଭାଙ୍ଗି ୪ ଲକ୍ଷ ଲୁଟ୍‌

ଭୁବନେଶ୍ବର : ଅସୁରକ୍ଷିତ ହୋଇ ପଡ଼ିଛି ରାଜଧାନୀ। ଏୟାରଫିଲ୍‌ଡ ଥାନା ଅଧୀନ କାର୍‌ଗିଲ୍‌ ରାସ୍ତାରୁ ଜଣେ ମହିଳା ଓ ତାଙ୍କ କର୍ମଚାରୀଙ୍କୁ ହାଣି ୭୫ ହଜାର ଟଙ୍କା ଓ ସୁନାଗହଣା ଲୁଟ୍‌ ଘଟଣାର ୨୪ ଘଣ୍ଟା ନ ବିତୁଣୁ ସେହି ଥାନା ଅଞ୍ଚଳରୁ ଆଜି ଆଉ ଏକ ଲୁଟ୍‌ ହୋଇଛି। ଲୁଟେରାମାନେ ଏକ ବାଇକ୍‌ ଡିକି ତାଡ଼ି ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ସିଆଇଏସଏଫ୍ ଯବାନ। ଘଟଣା ଘଟିଛି ହାଇଟେକ୍‌ ଆପାର୍ଟମେଣ୍ଟ ନିକଟ ଚଣ୍ଡୀବଜାର ଛକରେ। ଏ ସଂପର୍କରେ ଯବାନ ସୁଧାଂଶୁ ଶେଖର ଦାସ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ ଆରମ୍ଭ କରିଛି। ବଜାରରେ ଥିବା ଏକ ଜିମ୍‌ର ସିସି କ୍ୟାମେରାରେ ଲୁଟ୍‌ ବେଳର ସମସ୍ତ ଦୃ୍ଶ୍ୟକୁ ଜବତ କରିଛି। ରାଜଧାନୀରେ ଏଭଳି କ୍ରମାଗତ ଭାବେ ଲୁଟ୍‌ପାଟ୍‌ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି।

ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍‌ଣରେ ସୁଧାଂଶୁ ୟୁନିଟ-୧ ଷ୍ଟେଟବ୍ୟାଙ୍କ ଶାଖାରୁ ୪ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ୍‌ ଡିକିରେ ରଖି ହାଇଟେକ ଛକକୁ ଯାଉଥିଲେ। ଚଣ୍ଡୀବଜାର ଛକରେ ବାଇକ ରଖି ପାନ ଦୋକାନରୁ କିଣାକିଣି କରୁଥିଲେ। ଏହି ସମୟରେ ଦୁଇ ଲୁଟେରା ଏକ କଳା ରଙ୍ଗର ପଲସରରେ ଆସି ତାଙ୍କ ଡିକି ତାଡ଼ି ୪ ଲକ୍ଷ ଟଙ୍କା ଧରି ଜଟଣୀ ଆଡ଼େ ଚାଲି ଯାଇଥିଲେ।

ଏ ନେଇ ସୁଧାଂଶୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇଥିଲା। ପୁଲିସ ସିସିଟିଭି ଯାଞ୍ଚ ବେଳେ ଦେଖିବାକୁ ପାଇଛି ଯେ ଦୁଇଜଣ ତାଙ୍କୁ ପିଛା କରି ଆସିଛନ୍ତି। ସୁଧାଂଶୁ ବାଇକ୍‌ ରଖିବା କ୍ଷଣି ଜଣେ ଯୁବକ ଡିକି ତାଡ଼ିବାକୁ ପ୍ରଥମେ ଉଦ୍ୟମ କରିଥିଲା। କିନ୍ତୁ ସେହି ସମୟରେ ପିସିଆର ସେହି ରାସ୍ତାରେ ଯାଉଥିବାରୁ ସେ କିଛି କ୍ଷଣ ରହି ଯାଉଛି। ପିସିଆର୍‌ କିଛି ଦୂର ଯିବା ପରେ ଦ୍ବିତୀୟ ଥରରେ ଡିକିକୁ ଭାଙ୍ଗି ଟଙ୍କା ନେଇ ଯାଇଥିଲା। ଦୁଇଜଣ ଲୁଟେରା କଳା ରଙ୍ଗ ସାର୍ଟ ପିନ୍ଧିବା ସହ କଳା ରଙ୍ଗର ହେଲମେଟ ମୁଣ୍ଡରେ ଦେଇଥିଲେ। ଫଳରେ ସେମାନଙ୍କ ମୁହଁ ଦେଖା ଯାଉ ନଥିଲା। ଅନ୍ୟପକ୍ଷରେ ଲୁଟେରାମାନଙ୍କ ବେଶ ପୋଷାକରୁ ସେମାନେ ସମ୍ଭ୍ରାନ୍ତ ଘରର ପିଲା ବୋଲି ଜଣାପଡ଼ୁଥିଲେ। ସେମାନେ ବ୍ୟାଙ୍କ ନିକଟରୁ ସୁଧାଂଶୁଙ୍କୁ ପିଛା କରୁଥିବା ପୁଲିସ ସନ୍ଦେହ କରୁଛି। କାରଣ ସୁଧାଂଶୁ ବ୍ୟାଙ୍କରୁ ଏତେଗୁଡ଼ାଏ ଟଙ୍କା ଉଠାଇଲେ ବୋଲି ଲୁଟେରା କେମିତି ଜାଣିଲେ? ଏଥିପାଇଁ ପୁଲିସ ଆସନ୍ତାକାଲି ଷ୍ଟେଟବ୍ୟାଙ୍କ ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରିବାକୁ ଯୋଜନା କରିଛି।

ରାଜଧାନୀରେ ଏଭଳି ଲୁଟପାଟ ଘଟଣା ବାରମ୍ବାର ଘଟିବା ପରେ ସହରବାସୀ ଅତିଷ୍ଠ ହୋଇଗଲେଣି। ପ୍ରତିଦିନ ଚୋରି, ସିନ୍ଧିଚୋରି, ଲୁଟ୍‌ ଓ ଛିନ୍‌ତାଇ ଭଳି ଘଟଣା ଘଟି ଚାଲିଛି। ଏଭଳି ପରିସ୍ଥିତିରେ ପୁଲିସ ଯେଉଁ ଭଳି ଢ଼ଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କରୁ ନ ଥିବା ଅଭିଯୋଗ ହେଉଛି।

ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ସମସ୍ତ ଘଟଣା ଉପରେ ପୁଲିସ ନଜର ରଖିଛି। ଘଟଣାର ମଧ୍ୟ ତଦନ୍ତ ଚାଲିଛି। କେତେକ ଘଟଣା ଖୋଳତାଡ଼ କରିବାକୁ ସ୍ପେସାଲ ସ୍କ୍ବାଡ୍‌କୁ ମଧ୍ୟ ଦାୟିତ୍ବ ଦିଆଯାଇଛି।

ଦୁଇ ମାସରେ ଘଟିଥିବା କେତେକ ପ୍ରମୁଖ ଲୁଟପାଟ୍‌
ଜୁନ ୧୪: ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଇଣ୍ଡିଆନ ବ୍ୟାଙ୍କର ଦୁଇ ଜଣ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଟଙ୍କା
ଜୁନ ୧: ସହିଦନଗର ଥାନା ଅଧୀନ ଦୀପକ ସ୍ବାଇଁ ନାମକ ଜଣେ ବରିଷ୍ଠ ନାଗରିକ ସତ୍ୟନଗର ଆକ୍ସିସ ବ୍ୟାଙ୍କରୁ ୧.୫ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଇପିକଲ୍‌ ହାଉସ୍‌ ନିକଟରୁ ଲୁଟ୍‌
ଜୁନ ୨୭: ଏୟାରଫିଲ୍‌ଡ ଥାନା ଅଧୀନ କାର୍‌ଗିଲ୍‌ ରାସ୍ତାରେ ସୁଭଦ୍ରା ପାତ୍ର ଓ ଦେବେଶ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ୭୫ ହଜାର ଟଙ୍କା ଓ ସୁନାଗହଣା ଲୁଟ
ମେ ୩୦: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳର ଦାମୋଦର ମହାପାତ୍ର କାର କିଣିବାକୁ ଭୁବନେଶ୍ବର ଆସିଥିବାବେଳେ ରାଜମହଲ ଛକରୁ ୩ ଲକ୍ଷ ଟଙ୍କା ଲୁଟ

ସମ୍ବନ୍ଧିତ ଖବର