ସିମ୍‌ କାର୍ଡ ବ୍ଲକ୍‌ର ଭୟ ଦେଖାଇ ଲୁଟି ନେଇଥିଲା ୫ ଲକ୍ଷ: ହେଲ୍ପ-ଡେସ୍କ ସହାୟତାରେ ଫେରିଲା ୪.୯୨ ଲକ୍ଷ

ଭୁବନେଶ୍ବର : ‘ଆପଣଙ୍କ ବିଏସଏନଏଲ ସିମ୍‌ କାର୍ଡ ୨୪ ଘଣ୍ଟା ଭିତରେ ବ୍ଲକ୍ ହୋଇଯିବ। ଯଦି ଆପଣ କେଓ୍ଵାଇସି ନ କରାଇବେ, ସେବା ବନ୍ଦ ହୋଇଯିବ। କିଛି ତଥ୍ୟ ଦେବାକୁ ପଡ଼ିବ, ମାତ୍ର ୧୦ ଟଙ୍କାର ରିଚାର୍ଜ ହେବ।’ ସିମ୍ ବନ୍ଦ ହୋଇଯିବାର ଭୟ ଦେଖାଇ ଜଣେ ବରିଷ୍ଠ ନାଗରିକଙ୍କଠାରୁ ୫ ଲକ୍ଷ ଲୁଟି ନେଇଥିଲେ ସାଇବର ଠକ। କିନ୍ତୁ ଠକଙ୍କ ଖୁସି ବେଶି ସମୟ ରହି ନଥିଲା। କମିସନରେଟ ପୁଲିସ ସାଇବର ହେଲପ୍-ଡେସ୍କ ସହାୟତାରେ ଠକ ଆକାଉଣ୍ଟରୁ ୪ ଲକ୍ଷ ୯୨ହଜାର ଟଙ୍କା ଫେରାଇ ଆଣିଛି। ଲୁଟ୍‌ର ଶିକାର ହୋଇଥିବା ଶୈଳଶ୍ରୀ ବିହାର ଅଞ୍ଚଳର ରବି ନାରାୟଣ ମିଶ୍ର ଏନେଇ କମିସନରେଟ୍‌ ପୁଲିସକୁ ସାଧୁବାଦ ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରବି ନାରାୟଣଙ୍କ ପାଖକୁ ଗତ ୧୬ ତାରିଖରେ ଏକ ଫୋନ୍ କଲ୍ (ନଂ-୭୦୦୩୮୨୨୯୭୨) ଆସିଥିଲା। ସାଇବର୍‌ ଠକ ନିଜକୁ ବିଏସଏନ୍‌ଏଲର ଅଧିକାରୀ ପରିଚୟ ଦେବା ସହ ହିନ୍ଦୀରେ କଥାବାର୍ତ୍ତା କରିଥିଲା। ୨୪ ଘଣ୍ଟା ଭିତରେ ଯଦି ବିଏସଏନଏଲ ସିମ୍ କାର୍ଡର କେଓ୍ଵାଇସି ନ କରାନ୍ତି, ତାହେଲେ ବ୍ଲକ ହୋଇଯିବ ବୋଲି ଠକ ଭୟ ଦେଖାଇଥିଲା। କୁଇକ୍ ସପୋର୍ଟ ଆପ୍ ଡାଉନଲୋଡ୍ କରିବାକୁ ଲିଙ୍କ୍ ପଠାଇଥିଲା।

ରବି ନାରାୟଣ ଏହି ଆପ୍ ଡାଉନଲୋଡ୍ କରିବା ସହ ନିଜର ବ୍ୟକ୍ତିଗତ ତଥ୍ୟ ଦେଇଥିଲେ। ମାତ୍ର ୧୦ ଟଙ୍କାର ରିଚାର୍ଜ କରିବାକୁ କହିଥିଲା। ରବି ନାରାୟଣ ଯାହା ଟାଇପ୍ କରୁଥିଲେ, ଠକ ଆପ୍ ଜରିଆରେ ସବୁ ଦେଖି ପାରୁଥିଲା। ଏପରିକି ନେଟ୍ ବ୍ୟାକିଙ୍ଗ୍ ଜରିଆରେ ୧୦ଟଙ୍କା ରିଚାର୍ଜ କରିବା ବେଳେ ଠକ ୟୁଜର୍‌ ଆଇଡି ଓ ପାସଓ୍ଵର୍ଡ ମଧ୍ୟ ଦେଖି ନେଇଥିଲା। ଏହାକୁ ବ୍ୟବହାର କରି ସେ ରବିନାରାୟଣଙ୍କ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଲୁଟି ନେଇଥିଲା। ଆକାଉଣ୍ଟରୁ ଟଙ୍କା କଟିଯିବା ଜାଣିବା ପରେ ସେ ସାଇବର୍‌ ହେଲପ-ଡେସ୍କରେ ତୁରନ୍ତ ଅଭିଯୋଗ କରିଥିଲେ। ଏହା ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ହେଲପ୍‌-ଡେସ୍କ ପକ୍ଷରୁ ସେହି ଫୋନ୍‌ ନମ୍ବରକୁ ଟ୍ରାକ୍ କରାଯାଇଥିଲା। ଏହା ସହ ଟଙ୍କା କେଉଁଠିକି ଯାଇଛି, ତାହା ମଧ୍ୟ ଟ୍ରାକ୍ କରାଯାଇଥିଲା। ଏହି ଟଙ୍କା ଏକ ବ୍ୟାବସାୟିକ କାରବାର ସାଇଟ୍ (www.quickpayye.com) କୁ ଯାଇଥିବା ଜଣାପଡ଼ିଥିଲା। ତୁରନ୍ତ ସେଠାରୁ ଟଙ୍କାକୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ବିଭିନ୍ନ ପର୍ଯ୍ୟାୟରେ ୪ ଲକ୍ଷ ୯୨ ହଜାର ଟଙ୍କା ଫେରି ପାରିଥିଲା। ଏଭଳି କଲକୁ ବିଶ୍ବାସ ନ କରିବା କିମ୍ବା ଅପରିଚିତ ଲୋକ କଥାରେ କୌଣସି ଆପ୍‌କୁ ଡାଉନଲୋଡ୍ ନ କରିବା ଲାଗି ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର