ଭୁବନେଶ୍ୱର : ରାଜଧାନୀକୁ ୨୦୧୯ ସୁଦ୍ଧା ବାହାରେ ମଳତ୍ୟାଗ ମୁକ୍ତ (ଓଡିଏଫ୍) ସହର କରିବାକୁ ବିଏମ୍ସି ଟାର୍ଗେଟ ରଖିଛି। ହେଲେ ଏହି ଟାର୍ଗେଟ୍ ହାସଲ ହେବା ଭଳି ଆଜି ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇ ପାରିଲାନି। କିପରି ଏହି ଟାର୍ଗେଟ୍ ହାସଲ ହେବ ଏବଂ ଭୁବନେଶ୍ୱରକୁ ବାହାରେ ମଳତ୍ୟାଗ ମୁକ୍ତ ଅଞ୍ଚଳ କରିବ ସେଥିପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ବିଏମ୍ସି। ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀର ୧୩ଟି ଓ୍ଵାର୍ଡକୁ ସଂପୂର୍ଣ୍ଣ ବାହାରେ ମଳତ୍ୟାଗମୁକ୍ତ ଅଞ୍ଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଏହି ୧୩ଟି ଓ୍ଵାର୍ଡରେ ଯିଏ ବାହାରେ ମଳତ୍ୟାଗ କରିବାର ଦେଖାଯିବ ତାଙ୍କଠାରୁ ୫୦ଟଙ୍କା ଜରିମାନା ଆଦାୟ କରାଯିବ। ଏଥିପାଇଁ ବିଏମ୍ସିର ପ୍ରତି ବସ୍ତିରେ ‘ନିଗରାନି କମିଟି’ ଗଠନ କରିବ ବୋଲି ଆଜି ନିଷ୍ପତ୍ତି ହୋଇଛି।
ବସ୍ତିର ପ୍ରତ୍ୟେକ ଘରେ ଯେପରି ଶୌଚାଳୟ ନିର୍ମାଣ ହେବ ସେନେଇ ପଦକ୍ଷେପ ନିଆଯିବ। ଏହାବାଦ୍ ବସ୍ତିଠାରୁ ୫୦୦ମିଟର ଦୂରରେ ଗୋଟିଏ ଲେଖାଏଁ କମ୍ୟୁନିଟି ଟଏଲେଟ୍ ନିର୍ମାଣ ହେବ। ସମସ୍ତ ବ୍ୟବସାୟିକ ଅଞ୍ଚଳ, ମାର୍କେଟ, ହାଟର ଏକ କିମି ପରିଧି ଭିତରେ ପବ୍ଲିକ ଟଏଲେଟ୍ ନିର୍ମାଣ ହେବ। ପେଟ୍ରୋଲ ପମ୍ପରେ ଥିବା ଶୌଚାଳୟକୁ ବି ଲୋକ ବ୍ୟବହାର କରିପାରିବେ। ଭୁବନେଶ୍ୱରରେ ଥିବା ୫୫ଟି ଯାକ ସ୍ୱୟଂ ସହାୟକ ଗୋଷ୍ଠୀ ନିଶ୍ଚିତ କରିବେ ଯେ, ସେମାନଙ୍କ ଅଞ୍ଚଳରେ ଥିବା ବସ୍ତିର ପ୍ରତ୍ୟେକ ଘରେ ଶୌଚାଳୟ ଅଛି। ଏହାସହ ବିଏମ୍ସି ଅଧୀନରେ ଥିବା ୪୭୦ଟି ସ୍କୁଲ ସେମାନଙ୍କ କ୍ୟାମ୍ପସରେ ଶୌଚାଳୟ ଅଛି ଏବଂ ସ୍କୁଲ ଓଡିଏଫ୍ ବୋଲି ଲିଖିତ ଭାବେ ଜଣାଇବେ।
ଆଜି ବିଏମ୍ସିର ଅତିରିକ୍ତ କମିସନର ଶୁଭମ୍ ସାକ୍ସେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଏମ୍ସିର ବରିଷ୍ଠ ଅଧିକାରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ।