ପାର୍ଟସ୍‌ ବୋଝେଇ ଟ୍ରକ୍‌ରେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ

୩ ଅନ୍ତଃରାଜ୍ୟ ନିଶାମାଫିଆ ଗିରଫ, ଆନ୍ଧ୍ରରୁ ହରିୟାଣା ଚାଲାଣ ହେଉଥିଲା

ଭୁବନେଶ୍ବର: କେତେବେଳେ ଗାଡ଼ି ହେଡ୍‌ଲାଇଟ୍‌ରେ ତ ଆଉ କେତେବେଳେ ସିଟ୍‌ ତଳେ। ବିଭିନ୍ନ ହାଇଟେକ୍ ଉପାୟରେ ନିଶାଦ୍ରବ୍ୟ ଚାଲାଣ କରୁଥିବା ଅନ୍ତଃରାଜ୍ୟ ନିଶା ମାଫିଆଙ୍କ ଆଉ ଏକ ଚାଲ୍‌କୁ ପର୍ଦ୍ଦାଫାସ୍ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଭୁବନେଶ୍ବର ଏନ୍‌ସିବି ଟିମ୍‌ ଗୁରୁବାର ବିଳମ୍ବିତ ରାତିରେ ପିତାପଲ୍ଲୀ-ବାରଙ୍ଗ ରାସ୍ତାରୁ ୫୦୬ କେଜି ଗଂଜେଇ ଭର୍ତ୍ତି ଏକ ଟ୍ରକ୍‌ ଜବତ କରିଛି। ଗିରଫ ହୋଇଥିବା ୩ ଅନ୍ତଃରାଜ୍ୟ ନିଶା ମାଫିଆ ହେଲେ, ଟ୍ରକ୍ ଚାଳକ ତଥା ହରିୟାଣା ହିସାର୍‌ର ବାସିନ୍ଦା ବଲଵନ ସିଂହ ଓରଫ କବୀର, ପଞ୍ଜାବ ପଟିଆଲାର ଯଶପାଲ ସିଂହ ଓ ଯଶନୁର୍ ସିଂହ। ଜବତ ଗଂଜେଇର ବଜାର ମୂଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏନ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି। ବଲଵନ୍ ଓ ଯଶପାଲ ନାଁରେ ପୂର୍ବରୁ ନିଶା କାରବାର ଅଭିଯୋଗ ରହିଛି।

ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶର ଅଙ୍କପଲ୍ଲୀରୁ ହରିୟାଣା ହିସାର୍‌କୁ ଗଂଜେଇ ଚାଲାଣ ପାଇଁ ନିଶା ମାଫିଆଙ୍କ ମଧ୍ୟରେ ଡିଲ୍ ହୋଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ଏନ୍‌ସିବି ଗତକାଲି ଅପରାହ୍‌ଣରୁ ପିତାପଲ୍ଲୀ-ବାରଙ୍ଗ ରାସ୍ତାରେ ଡେରା ପକାଇଥିଲା। ବିଳମ୍ବିତ ରାତିରେ ଟ୍ରକ୍ ଦ୍ରୁତ ଗତିରେ ଯିବା ସମୟରେ ଏନ୍‌ସିବିର ପୂରା ଟିମ୍ ଗୋଡ଼ାଇ ଗୋଡ଼ାଇ ଟ୍ରକ୍‌(ପିବି ୧୧ସିଆର୍‌ ୨୯୫୮)କୁ ଧରିଥିଲେ। ଟ୍ରକ୍‌ରୁ ପାର୍ଟ୍ସ ପ୍ୟାକେଟ୍‌ ଖୋଲି ଯାଞ୍ଚ୍ କରିବା ପରେ ୨୦ରୁ ଅଧିକ ଗଂଜେଇ ଭର୍ତ୍ତି ଜରି ବସ୍ତା ମିଳିଥିଲା। ପରେ ଆଜି ୩ ଅଭିଯୁକ୍ତଙ୍କୁ ଏବଂ ଜବତ ଟ୍ରକ୍ ଓ ଗଂଜେଇକୁ ଭୁବନେଶ୍ବର ଏଲ୍‌ଡି କୋର୍ଟରେ ହାଜର କରାଇଛି ଏନ୍‌ସିବି। ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତମାନେ ଏହିଭଳି ନିୟମିତ ବ୍ୟବଧାନରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରୁ ଗଂଜେଇ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଭଳି ରାଜ୍ୟକୁ ଚାଲାଣ କରୁଥିଲେ। ଧରାନପଡ଼ିବା ପାଇଁ ବିଭିନ୍ନ ଉପାୟରେ ଗଂଜେଇ ଚାଲାଣ କରୁଥିଲେ।

ସମ୍ବନ୍ଧିତ ଖବର