୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ନଡ଼ିଆ କତା ବୋଝେଇ ଟ୍ରକ୍‌ରୁ ଜବତ କଲା ଏନ୍‌ସିବି, ଚାଳକ ଗିରଫ

ଭୁବନେଶ୍ୱର: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଆଜି ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଟୋଲଗେଟ୍‌ ନିକଟରୁ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏକ ନଡ଼ିଆ କତା ବୋଝେଇ ଟ୍ରକ୍‌‌ରେ ଏହି ନିଶାଦ୍ରବ୍ୟ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗୁ ଚାଲାଣ ହେଉଥିବା ଜଣାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ଏହି ମାମଲାରେ ଟ୍ରକ୍‌ର ଚାଳକ ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା ପିଠାପୁରମ୍‌ ଥାନା କାଠୁରଗୁଦାମ ଷ୍ଟ୍ରିଟ୍‌ର କେ. ଶ୍ରୀନିବାସ ରାଓ(୨୭)ଙ୍କୁ ଏନ୍‌ସିବି ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ନଡ଼ିଆ କତା ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏନ୍‌ସିବିକୁ ଖବର ମିଳିଥିଲା। ଓଡ଼ିଶା ସୀମାରେ ଟ୍ରକ୍‌ଟି ପ୍ରବେଶ କରିବା ପରେ ଏନ୍‌ସିବିର ଏକ ଟିମ୍ ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଟୋଲଗେଟ୍ ନିକଟରେ ଅପେକ୍ଷା କରିଥିଲ। ଗତକାଲି ବିଳମ୍ବିତ ରାତିରେ ଟୋଲଗେଟ୍‌ ନିକଟରେ ଟ୍ରକ୍‌ଟି ପହଞ୍ଚିବା ପରେ ଏନ୍‌ସିବିର ଏହି ସ୍ବତନ୍ତ୍ର ଟିମ୍‌ ଟ୍ରକ୍‌କୁ ଅଟକାଇ ଯାଞ୍ଚ କରିଥିଲା। ଟ୍ରକ୍‌ରେ ନଡ଼ିଆ କତା ବୋଝେଇ ହୋଇ ରହିଥିଲା। କିଛି କତାକୁ ବାହାର କରିବା ପରେ ଛୋଟ ଛୋଟ ପ୍ୟାକେଟ୍‌ରେ ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା। ଗୋଟିଏ ପ୍ୟାକେଟ୍‌ରେ ୨୫ କେଜି ଗଞ୍ଜେଇ ରହିଥିବା ବେଳେ ୨୮ଟି ପ୍ୟାକେଟ୍‌ ଏହି ନଡ଼ିଆ କତା ବୋଝେଇ ଟ୍ରକ୍‌ରୁ ବାହାରିଥିଲା। ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ରୢାକେଟ୍‌ ପଛରେ ଆଉ କାହାର ହାତ ରହିଛି, ଗଞ୍ଜେଇ କାହା ପାଖକୁ ଯାଉଥିଲା, ଟ୍ରକ ମାଲିକର ସମ୍ପୃକ୍ତି ରହିଛି କି ନାହିଁ ; ସେ ନେଇ ଏନ୍‌ସିବି ଖୋଳତାଡ଼ କରୁଛି। ନିଶାଦ୍ରବ୍ୟ ଧରିବାରେ ଚଳିତବର୍ଷ ଏହା ହେଉଛି ଏନ୍‌ସିବିର ତୃତୀୟ ଘଟଣା। ଗତ ଜୁନ୍‌ ମାସରେ ଏନ୍‌ସିବି ଏକ ଟ୍ରକକୁ ଧରିବା ସହ ୭ କ୍ୱିଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଥିଲା। ସେହିପରି ଗତମାସରେ ହଂସପାଳ ନିକଟରୁ ଏକ କଖାରୁ ବୋଝେଇ ଟ୍ରକରୁ ୧ କ୍ୱିଣ୍ଟାଲ ୩୫ କେଜି ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରିଥିଲା।

ଟ୍ରକ୍‌ରେ ଜାଲ୍ ନମ୍ବର!
ଏନ୍‌ସିବି ଜବତ କରିଥିବା ଟ୍ରକ୍‌ ନମ୍ବର ଜାଲ୍ ନେଇ ସନ୍ଦେହ ପ୍ରକାଶ ପାଇଛି। ଜବତ ଟ୍ରକ୍‌ ନମ୍ବର (ଏପି୦୫-ଟିବି-୧୫୬୬) ବୋଲି ଜଣାପଡ଼ିଛି। ଏହି ନମ୍ବର ଆନ୍ଧ୍ରପ୍ରଦେଶର ଏକାଧିକ ଆର୍‌ଟିଓରେ ରେଜିଷ୍ଟ୍ରେସନ୍‌ ହୋଇଥିବା ଦେଖାଉଛି। ବିଜୟୱାଡା, ବିଶାଖାପାଟନମ୍‌, ଅଙ୍କାପାଲି ୩ଟି ଆରଟିଓରେ ଏହି ନମ୍ବର ରେଜିଷ୍ଟ୍ରେସନ୍‌ ହୋଇଥିବା ଦେଖାଉଛି। ରେଜିଷ୍ଟ୍ରେସନ୍‌ ନମ୍ବରକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅଧିକ ଖୋଳତାଡ଼ ହେଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର