ଭୁବନେଶ୍ବର : ବୁଧବାର ଦିନ ପ୍ରାୟ ‌‌ଗୋଟାଏ ବେଳେ ଖଣ୍ଡଗିରି ଥାନା ଆଇଗିଣିଆ ଓଭରବ୍ରିଜ ତଳେ ଜଣେ ମାଛ ଦୋକାନୀ ଲୁଟର ଶିକାର ହୋଇଛନ୍ତି। କେତେକ ଦୁର୍ବୃତ୍ତ ଟଙ୍କା ଖୁଚୁରା ବାହାନାରେ ନିଶା ଶୁଂଘାଇ ୫୦ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଦୋକାନ ମାଲିକ ମହମ୍ମଦ ସଫିକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ମହମ୍ମଦ ଦୋକାନ ବନ୍ଦ କରୁଥିବା ବେଳେ ୩ ଜଣ ଯୁବକ ଏକ କାର୍‌ରେ ଆସିଥିଲେ। ସେମାନେ ସଫିକଙ୍କ ନିକଟକୁ ଆସି ଦୁଇ ହଜାର ଟଙ୍କା ଖୁଚୁରା ଦେବାକୁ କହିଥିଲେ। ସଫିକ ପର୍ସ ଖୋଲି ଟଙ୍କା ଖୁଚରା ଦେବା ପରେ ସେ ଆଉ କିଛି ଜାଣି ପାରି ନଥିଲେ। କିଛି ସମୟ ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପର୍ସରେ ଥିବା ୫୦ ହଜାର ଟଙ୍କା ଚୋରି ହୋଇଯାଇଛି। ଘଟଣାର ଦୃଶ୍ୟ ସିସି କ୍ୟାମେରାରେ ମଧ୍ୟ ମହଜୁଦ ଅଛି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଖୋଳତାଡ଼ କରିଛି।