ଶହେ ଟଙ୍କାର ମାଛ କିଣିଲେ, ତଣ୍ଡ ଗଣିଲେ ୫୦୦

ଭୁବନେଶ୍ବର : କରୋନା ମୁକାବିଲା ଲାଗି ଏବେ ଘଡ଼ିସନ୍ଧି ମୁହୂର୍ତ୍ତ। ସାମାଜିକ ଦୂରତ୍ବ ରକ୍ଷା ଏହାର ଏକମାତ୍ର ବାଟ ବୋଲି ପୁଲିସ, ପ୍ରଶାସନ, ଡାକ୍ତର ବାରମ୍ବାର ଲୋକଙ୍କୁ ଅନୁରୋଧ କରି ଚାଲିଛନ୍ତି। ଆଗାମୀ ୧୦ ରୁ ୧୨ ଦିନ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। କିନ୍ତୁ କିଛି ଅମାନିଆ ତାକୁ ମାନିବାକୁ ନାରାଜ। ଆମିଷ ବାର ପଡ଼ିଗଲେ ସବୁ ଆଇନକୁ ଫୁ କରି ଦେଉଛନ୍ତି। ନିଜେ ସଚେତନ ବି ହେଉ ନାହାନ୍ତି। ଆଜି ଏମିତି କିଛି ଚିତ୍ର ରାଜଧାନୀରେ ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ, ୟୁନିଟ୍-୮ ଅଞ୍ଚଳରେ ଜଣେ ବ୍ୟକ୍ତି କଲ୍ୟାଣ ମଣ୍ଡପ ସାମ୍ନାରେ ଥିବା ଆମିଷ ମାର୍କେଟକୁ ମାଛ କିଣିବାକୁ ଯାଇଥିଲେ। ମାତ୍ର ୨୦୦ ମିଟର ଦୂରରେ ଘର ହୋଇଥିଲେ ବି ବାଇକ୍ ଧରି ମାଛ କିଣିବାକୁ ଯାଇଥିଲେ। ପୁଲିସ ହାବୁଡ଼ରେ ପଡ଼ିବା ପରେ ବିଭିନ୍ନ ମିଛ କଥା କହି ଖସି ଯିବାକୁ ଚାହିଁଥିଲେ। କିନ୍ତୁ ପୁଲିସ ହାତରୁ ଖସି ପାରି ନ ଥିଲେ। ମାଛ ମାର୍କେଟ ପାଖରେ ଘର ବୋଲି ପୁଲିସ ଜାଣିବା ପରେ ୫୦୦ ଟଙ୍କା ଜରିମାନା ଆଦାୟ କରିଥିଲା। ମାତ୍ର ୧୦୦ ଟଙ୍କାର ମାଛ କିଣି ୫୦୦ ଟଙ୍କା ଜରିମାନା ଦେଇଥିଲେ ବାଇକ୍ ଚାଳକ। ରାଜଧାନୀରେ ଆଜି ୟୁନିଟ୍-୮, ୟୁନିଟ୍-୪, ସିଆର୍‌ପି, ନୂଆଗାଁ ଅଞ୍ଚଳରେ ବାଇକ୍ ଧରି ମାଛ କିଣିବାକୁ ଆସିଥିବା ଲୋକଙ୍କୁ ପୁଲିସ ଧରି ଜରିମାନା ଆଦାୟ କରିଥିଲା। ଆମିଷ କିଣାଠାରୁ ଜରିମାନା ମହଙ୍ଗା ପଡ଼ି ଯାଇଥିଲା।

ସେହିପରି ପରିବା ମାର୍କେଟ ଓ କିଛି ଛକରେ ବି ପୁଲିସ ବିନା କାରଣରେ ବାଇକ୍ ଧରି ବୁଲୁଥିବା ଚାଳକଙ୍କଠାରୁ ଜରିମାନ ଆଦାୟ କରିଥିଲା। ଭୁବନେଶ୍ବର ଓ କଟକ ଟୁଇନ୍ ସିଟିରେ ୧୭୭୪ ବାଇକ୍ ଚାଳକ ପୁଲିସ ହାତରେ ଧରା ପଡ଼ିଥିଲେ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। କିନ୍ତୁ ମାସ୍କ ନ ପିନ୍ଧି ରାସ୍ତାରେ ବୁଲିବା ଅଭିଯୋଗରେ ୪୦୬ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା କମିସନରେଟ ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର