ଆସବାବପତ୍ର ଦେବା ନାଁରେ ଠକ ଲୁଟିନେଲା ୫୦ ହଜାର

ଭୁବନେଶ୍ୱର, : ରାଜଧାନୀରେ ଆଉ ଠକଙ୍କ କବଳରୁ ନିସ୍ତାର ନାହିଁ। ଆସବାବପତ୍ର ଦେବା ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ୫୦ ହଜାର ଟଙ୍କା ଲୁଟି ନେଇଛି। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି। ଠକେଇର ଶିକାର ହୋଇଛନ୍ତି ନୟାଗଡ଼ ଫତେଗଡ଼ ଅଞ୍ଚଳର ରମେଶ ପଣ୍ଡା(୪୮)।

ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତାଙ୍କୁ ସେକେଣ୍ଡ ହ୍ୟାଣ୍ଡ ଫ୍ରିଜ୍, ଓ୍ଵାସିଂମେସିନ୍, କୁଲର୍‌, ଖଟ, ସୋଫା ଆଦି ସାମଗ୍ରୀ ଦେବା ନାଁରେ ୫୦ ହଜାର ଟଙ୍କା ନେଇଥିଲା। ଠକ ନିଜ ସାଙ୍ଗରେ ରମେଶଙ୍କୁ ଧରି ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ପାଖରେ ପହଞ୍ଚିଥିଲା। ରମେଶଙ୍କଠାରୁ ନେଇଥିବା ଟଙ୍କା ବ୍ୟାଙ୍କରେ ଚେକ୍ ଆକାରରେ ଜମା କରିବ ବୋଲି କହିଥିଲା। ଠକ ବ୍ୟାଙ୍କ ଭିତରକୁ ଯାଇ ଆଉ ଫେରି ନ ଥିଲା। ରମେଶ ବହୁ ସମୟ ଧରି ଅପେକ୍ଷା କରିବା ପରେ ଠକକୁ ଖୋଜିବାକୁ ଯାଇଥିଲେ। କିନ୍ତୁ ପାଇ ନ ଥିଲେ। ଏପରିକି ତାର ମୋବାଇଲ ନମ୍ବର ମଧ୍ୟ ସୁଇଚ୍ ଅଫ୍ ରହିଥିଲା। ନିରାଶ ହେବା ପରେ ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ହଷ୍ଟେଲ୍‌ରେ ପଶି ଲୁଟିନେଲେ ଲାପଟପ୍, ମୋବାଇଲ୍ ଓ ଟଙ୍କା
ଭୁବନେଶ୍ବର : ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାର ପୁଷ୍ପରାଜ ରେସିଡେନ୍ସିରେ ଥିବା ଏକ ହଷ୍ଟେଲ୍‌ରେ ପଶି ଜଣେ ଦୁର୍ବୃତ୍ତ ୨ଟି ଲାପଟପ୍, ୨ଟି ସ୍ମାର୍ଟଫୋନ୍ ଓ ୪ହଜାର ଟଙ୍କା ଲୁଟି ନେଇଛି। ଏନେଇ ନୟାଗଡ଼ ମଧୁବନର ଯୁବକ ଚିତ୍ତରଂଜନ ବିଶ୍ବାଳ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଆଜି ସକାଳ ପ୍ରାୟ ୬ଟା ୩୦ରେ ତାଙ୍କ ରୁମ୍‌ରୁ ଜଣେ ସହଯୋଗୀ ଟ୍ୟୁସନ୍ ଯାଇଥିଲେ। ତେବେ ସେ ଭୁଲ୍‌ରେ କବାଟ ମୁକୁଳା କରି ଯାଇଥିଲେ। ଏହାର କିଛି ସମୟ ଭିତରେ କେହି ଅଜଣା ଦୁର୍ବୃତ୍ତ ଘରେ ପଶି ଲୁଟ୍‌ପାଟ୍ କରିଥିଲା। ଲୁଟ୍‌ର ସମସ୍ତ ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଛି। ସିସିଟିଭି ଆଧାରରେ ତମାଣ୍ଡୋ ପୁଲିସ ଚୋରିର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର