ଚାଞ୍ଚଲ୍ୟକର ଠକେଇର ପର୍ଦ୍ଦାଫାସ୍‌: ହୋଟେଲ୍ ବିକିବେ କହି ୫୦ଲକ୍ଷ ଚଳୁ

ଆଇଟିଡିସି ଓ ଓଟିଡିସିର ଅଧିକାରୀ ସାଜି କରିଥିଲେ ୧୫କୋଟିର ଡିଲ୍‌

ଅଣ୍ଡା ଓ ଚିକେନ୍ ହୋଲସେଲ୍‌ର ବ୍ୟବସାୟୀଙ୍କୁ ଚୂନ ଲଗାଇଥିଲେ
କଟକରୁ ଧରାପଡ଼ିଲା ମୁଖ୍ୟ କାର୍ପଟଦାର, ଅନ୍ୟ ଜଣେ ଜେଲ୍‌ରେ
ଠକାମିର ଶିକାର ହେବା ପରେ ବ୍ୟବସାୟୀଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌

ଭୁବନେଶ୍ୱର : ପୁରୀର ସର୍ବପୁରାତନ ନୀଳାଚଳ ଅଶୋକ ହୋଟେଲ୍ ବିକ୍ରି କରିବାକୁ କହି ବଡ଼ଧରଣର ଠକେଇର ମସୁଧା ହୋଇଥିଲା। ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଆଇଟିଡିସି) ନୁହେଁ; ଏହି ସଂସ୍ଥାର ଜଣେ ଅଧିକାରୀ ବୋଲି ନିଜକୁ ପରିଚୟ ଦେଇ ଯୋଜନା କରିଥିଲା ଧୂର୍ତ୍ତ। ଏଥିପାଇଁ ସମ୍ପୂର୍ଣ୍ଣ ନୀଳନକ୍ସା ମଧ୍ୟ ତିଆରି ସରିଥିଲା। ହୋଟେଲ୍ ବିକ୍ରି ପାଇଁ ୧୨କୋଟି ଟଙ୍କାର ଡିଲ୍ ହୋଇଥିବା ବେଳେ ବିକ୍ରିରେ ସହଯୋଗ କରୁଥିବାରୁ ୩କୋଟି ଟଙ୍କା ନେଇଥାନ୍ତ‌ା ଠକ। ଡିଲ୍ ହୋଇଥିବା ଜଣେ ବ୍ୟବସାୟୀଙ୍କଠାରୁ ସେ ପ୍ରାଥମିକ ପର୍ଯ୍ୟାୟରେ ୫୦ଲକ୍ଷ ଟଙ୍କା ନେଇ ମଧ୍ୟ ସାରିଥିଲା। ତେବେ ଅଧିକ ଅର୍ଥ ଠକିବା ପୂର୍ବରୁ ଗତ ୨୨ ତାରିଖ ଦିନ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଠକେଇର ମୁଖ୍ୟ କାର୍ପଟଦାରକୁ ଅନିକେଶ ସାହୁକୁ କଟକ ବକ୍ସିବଜାରରୁ ଗିରଫ କରିବା ସହ ଏହି ଚାଞ୍ଚଲ୍ୟକର ଠକେଇର ପର୍ଦ୍ଦାଫାସ୍ କରିଛି। ଏ କଥା‌ ମଧ୍ୟ ଜଣାପଡ଼ିଛି ଯେ ତାକୁ ଏହି ଠକେଇରେ ଅନିକେଶକୁ ସହଯୋଗ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ପୂର୍ବତନ ଠିକା ସହକାରୀ ଯନ୍ତ୍ରୀ ଚନ୍ଦନ ଆକାଶ ମହାନ୍ତି ସହଯୋଗ କରୁଥିଲା। ଚନ୍ଦନ ପୂର୍ବରୁ ୩କୋଟି ଟଙ୍କାର ଵାର୍କ ଅର୍ଡର ଦେବା ନାଁରେ ବାବା ବିଜୟାନନ୍ଦଙ୍କ ସହ ମିଶି ଗଂଜାମର ଜଣେ ଠିକାଦାରଙ୍କୁ ଠକି ଗିରଫ ହୋଇ ଏବେ ଜେଲ୍‌ରେ ଅଛି।

ଇଓଡବ୍ଲୁର ଦାୟିତ୍ବରେ ଥିବା ଏସ୍‌ପି ଦିଲ୍ଲୀପ ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଚା‌ଞ୍ଚଲ୍ୟକର ଠକେଇର ପର୍ଦ୍ଦାଫାସ୍‌ କରିଥିଲେ। ଅଭିଯୋଗ ଅନୁସାରେ ଚନ୍ଦନ ଓ ଅନିକେଶ ୨୦୧୯ରେ ଆଇଟିସିର ନୀଳାଚଳ ଅଶୋକ ହୋଟେଲ୍ ବିକ୍ରି ପାଇଁ ପୁରୀର ଅଣ୍ଡା ଓ ଚିକେନ୍ ହୋଲସେଲ୍‌ର ବ୍ୟବସାୟୀ ତପନ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ। ସେମାନେ କହିଥିଲେ ଯେ ୨୦୦୪ରୁ ହୋଟେଲ୍ ବନ୍ଦ ହୋଇ ପଡ଼ିବା ଯୋଗୁଁ ଆଇଟିଡିସି ଏହି ହୋଟେଲ୍‌କୁ ବର୍ତ୍ତମାନ ଲିଜ୍‌ରେ ଦେବାକୁ ଚାହୁଁଛି। ତେଣୁ ଆପଣ କିଣିବେ ଯଦି କୁହନ୍ତୁ। ତପନ ଏହି ୨ଧୂର୍ତ୍ତଙ୍କୁ ସେମାନଙ୍କ ପରିଚୟ ମାଗିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ପର୍ଯ୍ୟଟନ ବିଭାଗର ୨ ବରିଷ୍ଠ ପଦାଧିକାରୀ ବୋଲି କହିଥିଲେ। ଏହା ପରେ ହୋଟେଲ୍ ବିକ୍ରି ପାଇଁ ବାରମ୍ବାର ବୈଠକ କରିଥିଲେ। ଶେଷରେ ସହମତି ହୋଇଥିଲା ଯେ ହୋଟେଲ୍ ଲିଜ୍ ବାବଦକୁ କାଗଜପତ୍ରରେ ୧୨କୋଟି ଟଙ୍କା ଆଇଟିଡିସି ନେବ ଏବଂ ହୋଟେଲ୍ ବିକ୍ରି କରାଇବରେ ସହଯୋଗ କରିଥିବାରୁ ସେମାନେ ଅଲଗା ୩କୋଟି ଟଙ୍କା ନେବେ। ୧୫କୋଟି ଟଙ୍କାର ଡିଲ୍‌ରେ ତପନ ରାଜି ହୋଇଯିବା ପରେ ପ୍ରାଥମିକ ପର୍ଯ୍ୟାୟରେ ଅନିକେଶ ଓ ଚନ୍ଦନ ତପନଙ୍କୁ ୨୦ଲକ୍ଷ ଟଙ୍କା ଦେବାକୁ କହିଥିଲେ। ତପନଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଜାଣିଶୁଣି ଆଇଟିଡିସିର ଅଫିସିଆଲ୍ ବ୍ୟାଙ୍କ୍‌ ଆକାଉଣ୍ଟ୍ ତଥ୍ୟ ଦେଇ ୨୦ଲକ୍ଷ ଟଙ୍କା ଡିପୋଜିଟ୍ କରାଇଥିଲେ। ବ୍ୟାଙ୍କ୍‌ରେ ଡିପୋଜିଟ୍ ସମୟରେ ତପନ ଯାଞ୍ଚ କରିବାରୁ ସମସ୍ତ ତଥ୍ୟ ଆଇଟିଡିସିର ଦେଖାଉଥିବାରୁ ସେ ଏମାନଙ୍କ ଉପରେ ଆଉ ସନ୍ଦେହ କରିନଥିଲେ। ଏହାରି ସୁଯୋଗରେ ଚନ୍ଦନ ଓ ଅନିକେଶ ତପନଙ୍କୁ ଡିଲ୍ ଆଗକୁ ବଢ଼ାଇବା ପାଇଁ ଆଉ ୩୦ଲକ୍ଷ ଟଙ୍କା ମାଗିଥିଲେ। ଏହା ପରେ ତପନ ଯେତେବେଳେ କାଗଜପତ୍ରରେ ପଂଜୀକରଣ କରିବା ପାଇଁ ଉଭୟଙ୍କୁ ଡାକିଥିଲେ, ସେମାନେ ବିଭିନ୍ନ ଆଳ ଦେଖାଇ ଧରାଛୁଆଁ ଦେଇନଥିଲେ। ସେତେବେଳେ ଯାଇ ତପନ ଜାଣିବାକୁ ପାଇଥିଲେ ଯେ ହୋଟେଲ୍ କିଣିବାକୁ ଯାଇ ସେ ୫୦ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି। ଏହା ତାଙ୍କୁ ଗଭୀର ମାନସିକ ଧକ୍କା ଦେଇଥିଲା। ସେ ପ୍ରଥମେ ବ୍ରେନ୍‌ଷ୍ଟ୍ରୋକ୍ ଓ ପରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଏବେ ଶଯ୍ୟାଶାୟୀ ଥିବା ତାଙ୍କ ପତ୍ନୀ ବିଜୟିନୀ ମହାନ୍ତି ଅଭିଯୋଗ କରିଛନ୍ତି।

ବିଜୟିନୀଙ୍କ ଅଭିଯୋଗ ଆଧାରରେ ଅନିକେଶଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଠକେଇର ଚେର ଆହୁରି ଲମ୍ବା ଏବଂ ଏଥିରେ ଅନେକ ଲୋକଙ୍କ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ଅପରପକ୍ଷରେ ଆଇଟିଡିସି ଆକାଉଣ୍ଟ୍‌କୁ ବେନାମୀ ଲୋକ ୨୦ଲକ୍ଷ ଟଙ୍କା ପଠାଇଥିଲେ ହେଁ ଏହି ଟଙ୍କାର ବିଭାଗୀୟ କର୍ତ୍ତୃପକ୍ଷ ଯାଞ୍ଚ ନ କରିବାରୁ ଠକେଇରେ ଏହି ବିଭାଗର କିଛି କର୍ମଚାରୀଙ୍କ ମଧ୍ୟ ସଂପୃକ୍ତୀ ଥିବା ଆଶଙ୍କା କରାଯାଉଛି। ମାତ୍ର ଇଓଡବ୍ଲୁ ଏ ନେଇ କୌଣସି ଲିଙ୍କ୍ ପାଇନଥିବା ସ୍ପଷ୍ଟ କରିଛି। ତେବେ ଆବଶ୍ୟକ ହେଲେ ଚନ୍ଦନ ଓ ଅନିକେଶଙ୍କ ପୂରା କଳା ଚିଠାର ପର୍ଦ୍ଦାଫାସ ପାଇଁ ସେମାନଙ୍କୁ ରିମାଣ୍ଡ୍‌ରେ ଆଣିବ ବୋଲି ଇଓଡବ୍ଲ୍ୟୁ ସୂଚନା ଦେଇଛି।

ସମ୍ବନ୍ଧିତ ଖବର