କରୋନା ସତ୍ତ୍ବେ ୫୪କୋଟି ହୋଲ୍‌ଡିଂ ଟିକସ ଆୟ

ପୂର୍ବ ବର୍ଷମାନଙ୍କର ସବୁ ରେକର୍ଡ ଭାଙ୍ଗିଲା

ଭୁବନେଶ୍ବର : କରୋନା କଟକଣା ସତ୍ତ୍ବେ ବିଏମ୍‌ସି ଏଥର ରେକର୍ଡ ରାଜସ୍ବ ଆଦାୟ କରିଛି। ଏଥର ବିଏମ୍‌ସି ପ୍ରାୟ ୧୦୦କୋଟି ଟଙ୍କାର ରାଜସ୍ବ ଆଦାୟ କରିଥିବା‌େବଳେ ଏଥିରେ ୫୪କୋଟି ୩୨ ଲକ୍ଷ ଟଙ୍କା କେବଳ ହୋଲଡିଂ ଟିକସ ବାବଦ ଆୟ। ଯାହା ବିଏମ୍‌ସିର ସର୍ବକାଳୀନ ରେକର୍ଡ। ପୂର୍ବରୁ କେବେ ହୋଲଡିଂ ଟିକସ ୪୫କୋଟି ଛୁଇଁନଥିବାବେଳେ ଏଥର ଗତବର୍ଷ ତୁଳନାରେ ୧୧କୋଟି ଅଧିକ ଆଦାୟ ହୋଇଥିବା ଜଣାପଡ଼ିଛି।

ବିଏମ୍‌ସିର ଜ‌େଣ ଅଧିକାରୀଙ୍କ କହିବାନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଆମେ ୬୦କୋଟିରୁ ଅଧିକ ହୋଲଡିଂ ଟିକସ ଆଦାୟ କରିବୁ ବୋଲି ଟା‌େର୍ଗଟ୍ ରଖିଥିଲୁ। କିନ୍ତୁ ମାର୍ଚ୍ଚ ୧୫ରେ ରାଜ୍ୟ ସରକାର ବିଏମ୍‌ସିର ନୂଆ ନିୟମରେ ହୋଲଡିଂ ଟିକସ ଆଦାୟ ଉପରେ ରୋକ୍‌ ଲଗାଇବା ପରେ ଆମର ରାଜସ୍ବ ଆଦାୟ ପ୍ରଭାବିତ ହୋଇଥିଲା। ଏପରିକି ହାଇକୋର୍ଟ ନୂଆ ନିୟମରେ ଲୋକ ୫୦% ପର୍ଯ୍ୟନ୍ତ ହୋଲଡିଂ ଟିକସ ଦେଇପାରିବେ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିବାରୁ ବହୁ ଲୋକ ଅଧା ହୋଲଡିଂ ଟିକସ ଦେଇଛନ୍ତି। ଶେଷ ମୁହୂର୍ତ୍ତରେ କିଛି ଲୋକ ଚେକ୍ ଦେଇଛନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ଚେକ୍ ଏନକ୍ୟାସ୍ ହୋଇନି। ଏହା ହେଲେ ହୋଲଡିଂ ଟିକସ ଆଦାୟ ୬୦କୋଟି ଟପିପାରେ।

ସେହିପରି ଟ୍ରେଡ୍‌ ଲାଇସେନ୍ସ ଫି’, ପାର୍କିଂସ୍ଥଳୀ ଆବଣ୍ଟନ, ବିଏମ୍‌ସିର ବିଭିନ୍ନ ସମ୍ପତ୍ତି ଭଡ଼ା, ଜରିମାନା ଆଦାୟ ଆଦିକୁ ହିସାବକୁ ନେଲେ ବିଏମ୍‌ସିର ରାଜସ୍ବ ଆଦାୟ ୧୦୦କୋଟି ଟପିଯିବ ବୋଲି ଆଶା କରୁଛୁ। ଏପ୍ରିଲ ଦ୍ବିତୀୟ ସପ୍ତାହ ବେଳକୁ ରାଜସ୍ବ ଆଦାୟ ସଂପୂର୍ଣ୍ଣ ହିସାବ ମିଳିଯିବ।

ସୂଚନାଯୋଗ୍ୟ ଯେ, ବିଏମ୍‌ସି ୨୦୧୭-୧୮ ଆର୍ଥିକ ବର୍ଷରେ ୪୩କୋଟି ୮୮ଲକ୍ଷ ୫୩ହଜାର ୩୯୮ ଟଙ୍କା ହୋଲଡିଂ ଟିକସ ଆଦାୟ କରିଥିବାବେଳେ ୨୦୧୮-୧୯ରେ ୪୪କୋଟି ୨୨ଲକ୍ଷ ୬୦ହଜାର ୯୫୭ଟଙ୍କା, ୨୦୧୯-୨୦ରେ ୪୩କୋଟି ୮୮ଲକ୍ଷ ୧୨ହଜାର ୯୨୯ଟଙ୍କା ହୋଲଡିଂ ଟିକସ ଆଦାୟ କରିଥିଲା।

ସମ୍ବନ୍ଧିତ ଖବର