ଧଉଳି : ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ନିକଟରେ ଥିବା ଏକ ମାର୍ବଲ ଓ ଟାଇଲ ଦୋକାନରୁ ଜଣେ ଦୁର୍ବୃତ୍ତ ମାର୍ବଲ କିଣିବା ବାହାନାରେ ଆସି ୫୪ ହଜାର ଟଙ୍କା ଲୁଟି ନେଇଛି। ଏନେଇ ଦୋକାନ କର୍ମଚାରୀ ଜିତେନ୍ଦ୍ର କୁମାର ଭୂୟାଁ ସୋମବାର ସଂଧ୍ୟାରେ ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଉକ୍ତ ମାର୍ବଲ ଦୋକାନ ସହିତ ଆଖପାଖ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଛି। ମାତ୍ର ଲୁଟେରାକୁ ଚିହ୍ନଟ କରିପାରି ନାହିଁ।
ଅଭିଯୋଗ ମୁତାବକ ସୋମବାର ଅପରାହ୍ନ ୨ଟା ବେଳେ ଦୋକାନରେ ଦୀପକ ଦଳେଇ ନାମକ ଜଣେ କର୍ମଚାରୀ ଥିଲେ। ଏହି ସମୟରେ ଦୋକାନକୁ ଜଣେ ଯୁବକ ମାର୍ବଲ କିଣିବା ବାହାନାରେ ଆସିଥିଲା। ଏହା ପରେ ଦୀପକଙ୍କୁ ପାଣି ମାଗିଥିଲା। ଦୀପକ ପାଣି ଆଣିବାକୁ ଯାଇଥିବା ବେଳେ ଲୁଟେରା କ୍ୟାସ୍ ଡ୍ର’ ଖୋଲି ୫୪ ହଜାର ଟଙ୍କା ନେଇ ବାଇକ୍ରେ ଫେରାର୍ ହୋଇଯାଇଥିଲା।