ଭୁବନେଶ୍ବର : ରାଜ୍ୟରେ ଆୟକର ଆଦାୟରେ ଜବରଦସ୍ତ ବୃଦ୍ଧି ହୋଇଛି। ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ୭ ତାରିଖ ସୁଦ୍ଧା ଓଡ଼ିଶାରେ ୫୫୮୦ କୋଟି ଟଙ୍କାର ଆୟକର ଆଦାୟ ହୋଇଛି। ଗତବର୍ଷ ଏହି ସମୟ‌ରେ ୪୬୧୮ କୋଟି ଟଙ୍କାର ଆୟକର ଆଦାୟ ହୋଇଥିଲା। ଚଳିତ ବର୍ଷ ସେଥିରେ ୨୭.୩୨%ର ବୃଦ୍ଧି ହୋଇଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ସଦସ୍ୟ ପ୍ରସନ୍ନ କୁମାର ଦାଶ କହିଛନ୍ତି।

Advertisment

ଆଜି ଆୟକର ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇ କହିଛନ୍ତି ଯେ, ଆୟକର ଆଦାୟ ଅଭିବୃଦ୍ଧିରେ ଓଡ଼ିଶା ବହୁତ ଆଗରେ ରହିଛି। ଏହାର ଅଭିବୃଦ୍ଧି ଜାତୀୟ ସ୍ତରରେ ତୃତୀୟ ସର୍ବାଧିକ। ୨୦୧୮-୧୯ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୨,୧୫୧ କୋଟି ଟଙ୍କାର ଆୟକର ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥି ମଧ୍ୟରୁ ୫୮୮୦.୯ କୋଟି ଟଙ୍କା ଆଦାୟ ହୋଇସାରିଲାଣି ଯାହା ମୋଟ ଲକ୍ଷ୍ୟର ୪୮.୪% ସହିତ ସମାନ।

୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶାରେ ୯୭୨୮ କୋଟି ଟଙ୍କାର ଆୟକର ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ମଣ୍ଡଳର ଆୟକର ବିଭାଗ ପକ୍ଷରୁ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଯଥେଷ୍ଟ ଅଧିକ ୧୦୨୧୫ କୋଟି ଟଙ୍କାର ଟିକସ ଆଦାୟ କରାଯାଇଥିଲା।

‌ରାଜ୍ୟରେ ଆୟକର ରିଟର୍ଣ୍ଣ ଫାଇଲ୍‌ କରୁଥିବା ଟିକସଦାତାଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଗତ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ୍‌ କରୁଥିବା ଟିକସଦାତାଙ୍କ ସଂଖ୍ୟା ୮,୫୪,୭୯୬ ଥିଲା। ଚଳିତ ବର୍ଷ ସେଥିରେ ଆଉ ୧ ଲକ୍ଷ ୭୯ ହଜାର ୭୩୫ ଜଣ ଟିକସଦାତା ଯୋଡ଼ି ହୋଇଛନ୍ତି।

ଶ୍ରୀ ଦାସ ଏହି ଅବସରରେ ସୂଚନା ଦେଇ କହିଛନ୍ତି ଯେ, ଟିକସକୁ ନେଇ ୧୮୦୦ଟି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ସେହିପରି ଆଇଟିଏଟିରେ ୭୦୦ଟି ମାମଲା ବିଚାରାଧୀନ ରହିଛି। ଏହି ଅବସରରେ ପ୍ରିନ୍‌ସିପାଲ୍ କମିସନର, ଭୁବନେଶ୍ବର ସୁବ୍ରତ ମିଶ୍ର, ପ୍ରିନ୍‌ସିପାଲ୍‌ କମିସନର କଟକ ଓ ଭୁବନେଶ୍ବର ଡି ଏନ୍ କର ଓ ଆୟକର କମିସନର (ଟିଡିଏସ୍‌) ଅସିତ କୁମାର ମହାପାତ୍ର ଉପସ୍ଥିତ ଥିଲେ।