ରାଜଧାନୀରେ କ୍ରେଡିଟ୍‌ କାର୍ଡ ଆକ୍ଟିଭେଟ୍‌ କରାଇବା ଆଳରେ ଲୁଟିନେଲେ ୬୦ ହଜାର

ଭୁବନେଶ୍ୱର : ଯେତେ ଅଭିଯୋଗ ହେଲେ ବି କାର୍ଯ୍ୟାନୁଷ୍ଠାନ ହେଉନି। ଯେତେ ସଚେତନ କଲେ ବି ଲୋକ ବୁଝୁନାହାନ୍ତି। ଫଳରେ ବଢ଼ି ବଢ଼ି ଚାଲିଛି ସାଇବର ଠକେଇ। ଯୋଜନ ଯୋଜନ ଦୂରରେ ବସି ମାତ୍ର କେଇ ସେକେଣ୍ଡରେ ଆକାଉଣ୍ଟରେ କଳାକନା ବୁଲାଇ ଦେଉଛି ଦୁର୍ବୃତ୍ତ। ଆଜି ପୁଣି ଏଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଆକ୍ଟିଭେଟ୍‌ କରାଇବା ପାଇଁ କହି ଶିକ୍ଷୟିତ୍ରୀଙ୍କ କ୍ରେଡିଟ୍‌ କାର୍ଡରୁ ୬୦ ହଜାର ଟଙ୍କା ନେଇଯାଇଛି ଦୁର୍ବୃତ୍ତ। ଦୁର୍ବୃତ୍ତର ନିର୍ଦ୍ଦେଶ କ୍ରମେ ଶିକ୍ଷୟିତ୍ରୀ ତାଙ୍କ କ୍ରେଡିଟ୍‌ କାର୍ଡ ସହ ନମ୍ବର ସହ କାର୍ଡର ସିଭିଭି(କା‌ର୍ଡ ଭେରିଫି‌କେସନ ଭାଲ୍ୟୁ) ନମ୍ବର ଦେବା ପରେ ପରେ ହିଁ ଏହି ଟଙ୍କା ଚାଲିଯାଇଛି। ଠକେଇର ଶିକାର ହୋଇଥିବା ଶିକ୍ଷୟିତ୍ରୀ ହେଉଛନ୍ତି ଲକ୍ଷ୍ମୀସାଗର ଜୟଦୁର୍ଗା ନଗରର ମଧୁମିତା ପଟ୍ଟନାୟକ। ଏନେଇ ସେ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଗତକାଲି ପୂର୍ବାହ୍ନ‌ରେ ମଧୁମିତାଙ୍କ ମୋବାଇଲକୁ (୯୧୨୬୧୯୮୫୬୨) ନମ୍ବରରୁ କଲ୍‌ ଆସିଥିଲା। ଆକ୍ସିସ ବ୍ୟାଙ୍କ୍‌ କ୍ରେଡିଟ୍‌ କାର୍ଡ ସେକ୍ସନରୁ କହୁଛି ବୋଲି କହି ଦୁର୍ବୃତ୍ତ ୧ ମିନିଟ କଥା ହେବାକୁ ସମୟ ମାଗିଥିଲା। କ୍ରେଡିଟ୍‌ କାର୍ଡ ଆକ୍ଟିଭେଟ୍‌ କରିବା ପାଇଁ ନମ୍ବର, ସିଭିଭି ନମ୍ବର ନେବା ପରେ ମୋବାଇଲକୁ ଆସିଥିବା ଓଟିପି ମଧ୍ୟ ନେଇ ଯାଇଥିଲା। ୧୦ ମିନିଟ୍‌ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୬୦ ହଜାର ଟଙ୍କା କଟି ଯାଇଥିବା ଶିକ୍ଷୟିତ୍ରୀଙ୍କ ମୋବାଇଲକୁ ମେସେଜ୍‌ ଆସିଥିଲା। ମଧୁମିତା ବ୍ୟାଙ୍କ କଷ୍ଟମର କେୟାରକୁ ଫୋନ୍‌ କରି କାର୍ଡ ବ୍ଲକ୍‌ କରାଇଥିଲେ।

ମଧୁମିତାଙ୍କ ଅଭିଯୋଗ ମୁତାବକ, ସେ ୬ ମାସ ତଳେ କାର୍ଡ ନେଇଥିଲେ ମଧ୍ୟ ବ୍ୟବହାର କରି ନଥିଲେ। ଆବଶ୍ୟକ ହେଉ ନଥିବାରୁ ସେ ଏହାକୁ ଫେରାଇ ଦେବାକୁ ବସିଥିଲେ। ହେଲେ କରୋନା ପାଇଁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପାଇଁ ବ୍ୟାଙ୍କ୍‌ ଯାଇ ପାରି ନଥିଲେ। ହେଲେ ତାଙ୍କର କ୍ରେଡିଟ୍‌ କାର୍ଡ ଅଛି, ଆକ୍ଟିଭେଟ୍‌ ହେଇନାହିଁ କିମ୍ବା ବ୍ୟବହାର ହୋଇ ନାହିଁ ବୋଲି ଦୁର୍ବୃତ୍ତମାନେ କେମିତି ଜାଣିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁ ନମ୍ବରରୁ ଫୋନ୍‌ ଆସିଥିଲା ତାହା ଟ୍ରୁ କଲରରେ ଆସାମର ଏକ ଘରୋଇ ବ୍ୟାଙ୍କ ବୋଲି ଦେଖାଉଛି। ଏହି କାରବାରରେ ବ୍ୟାଙ୍କ୍‌ର ସଲାସୁତରା ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର