୬୦ହଜାର କୋଟି ଠକେଇ ମାମଲା: ସୁବାସ ଅଗ୍ରୱାଲଙ୍କ ସମେତ ୨୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍

ଅନ୍ୟତମ ନିର୍ଦ୍ଦେଶକ ରାଜେଶ ଅଗ୍ରୱାଲ ସାମିଲ
୩ କମ୍ପାନିରେ ଲାଗିଛି ଠକେଇ ଅର୍ଥ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ପର୍ଲସ୍ ଗ୍ରୁପ୍ ଠକେଇ ମାମଲାରେ ୧୧ ଅଭିଯୁକ୍ତଙ୍କୁ ଗିରଫ କରିବାର ୧୪ ଦିନ ପରେ ସିବିଆଇ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରିଛି। ଠିକା କମ୍ପାନି ଏଆର୍‌ଏସ୍ଏସ୍ ମାଲିକ ସୁବାସ ଅଗ୍ରୱାଲ, ନିର୍ଦ୍ଦେଶକ ରାଜେଶ ଅଗ୍ରୱାଲଙ୍କ ସମେତ ୨୪ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ନୂଆଦିଲ୍ଲୀ ରାଉଜ୍ ଆଭେନ୍ୟୁ ଜିଲ୍ଲା କୋର୍ଟସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ସେହିପରି ତିନି କମ୍ପାନି ପର୍ଲସ୍ ଇନ୍‌ଫ୍ରାଷ୍ଟ୍ରକଚର୍ ପ୍ରୋଜେକ୍ଟ ଲିମିଟେଡ୍, ଏଆର୍‌ଏସ୍ଏସ୍ ଇନଫ୍ରାଷ୍ଟ୍ରକଚର୍ ଲିମିଟେଡ୍, ଜୈନ୍‌ ଇନଫ୍ରା ପ୍ରୋଜେକ୍ଟସ୍ ଲିମିଟେଡର ନାଁ ରହିଛି। ଶହ ଶହ କୋଟି ଟଙ୍କାର ଠକେଇ ଅର୍ଥ ଏହି ସବୁ କମ୍ପାନିରେ ବିନିଯୋଗ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପର୍ଲସ ଗ୍ରୁପ୍ ଲୋଭନୀୟ ସ୍କିମ୍ ଦେଖାଇ ସାରା ଦେଶରୁ ୫.୫କୋଟି ଲୋକଙ୍କଠାରୁ ୬୦ ହଜାର କୋଟି ଟଙ୍କା ଠକେଇ କରିଥିଲା। ସେତେବେଳେ ଏହା ଦେଶର ସବୁ ଠାରୁ ବଡ଼ ଚିଟ୍‌ଫଣ୍ଡ ଠକେଇ ଭାବେ ସାମ୍ନାକୁ ଆସିଥିଲା। ଏ ନେଇ ୨୦୧୪ରେ ସିବିଆଇରେ ମାମଲା ରୁଜୁ ହେବା ପରେ ୨୦୧୬ରେ ପର୍ଲସ ଗ୍ରୁପର ୪ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ତଦନ୍ତ ସମୟରେ ଆହୁରି ୧୧ ଜଣଙ୍କ ସମ୍ପୃକ୍ତି ଥିବା ସିବିଆଇ ଜାଣିବାକୁ ପାଇଥିଲା। ଅଭିଯୁକ୍ତମାନେ ଶିଳ୍ପପତି, ବ୍ୟବସାୟୀ ଥିଲେ। ଗତ ଡିସେମ୍ବର ୨୨ ତାରିଖରେ ସିବିଆଇର ଏକାଧିକ ଟିମ୍ ଦିଲ୍ଲୀ, ଚଣ୍ଡୀଗଡ଼, କୋଲକାତା ଓ ଭୁବନେଶ୍ବରରୁ ଚଢ଼ଉ କରି ୧୧ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଭିତରେ ଭୁବନେଶ୍ବରରୁ ଏଆର୍‌ଏସ୍ଏସ୍ କମ୍ପାନି ମାଲିକ ସୁବାସ ଅଗ୍ରୱାଲ ଓ ନିର୍ଦ୍ଦେଶକ ରାଜେଶ ଅଗ୍ରୱାଲ ଥିଲେ। ଗିରଫ ପରଦିନ ଅର୍ଥାତ୍ ଡିସେମ୍ବର ୨୩ ତାରିଖରେ ସମସ୍ତ ୧୧ ଅଭିଯୁକ୍ତଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ସୁବାସ ଓ ରାଜେଶଙ୍କ ସମେତ ୮ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଟିମ୍ ରିମାଣ୍ଡରେ ନେଇ ମାରାଥନ୍ ଜେରା କରିବା ସହ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ।

Times of India

୨୦୧୬ରେ ପ୍ରଥମ ଦଫାରେ ଅଭିଯୁକ୍ତଙ୍କ ଗିରଫଦାରି ପରେ ଘଟଣାର ଅଧିକ ତଦନ୍ତ କରାଯାଇଥିଲା। ସେହି ସମୟରେ ଠକେଇର ପୂରା ଗୁମର ଫିଟିଥିଲା। ଏହି ଠକେଇ ପାଇଁ ଲୋକଙ୍କୁ ନକଲି ଜମି ପଟ୍ଟା ଦେଇ ଲୋଭ ଦେଖାଇଥିଲା ଉଭୟ ଜୟପୁର ଓ ଚଣ୍ଡୀଗଡ଼ସ୍ଥିତ ଅର୍ଥ ହଡ଼ପକାରୀ ସଂସ୍ଥା। ଏହିଭଳି ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୫ହଜାର କୋଟି ଟଙ୍କା ଠକିବା ପରେ ଏନେଇ ପଞ୍ଜାବ ଓ ହରିୟାଣାରେ ଲୋକେ ପୁଲିସର ଦ୍ବାରସ୍ଥ ହୋଇଥିଲେ। ସ୍ଥାନୀୟ ହାଇକୋର୍ଟ ଲୋକଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ସଂପୃକ୍ତ ଅର୍ଥ ହଡ଼ପକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଟଙ୍କା ଫେରସ୍ତ କରିବା ପାଇଁ ସଂପୃକ୍ତ ସଂସ୍ଥା ପୁଣି ସମାନ ଢଙ୍ଗରେ ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ। ଦୁଇଟି ବେସରକାରୀ ସଂସ୍ଥା ଜରିଆରେ ସାରା ଦେଶରେ ଲୋଭନୀୟ ସ୍କିମ୍ ଦେଖାଇ ଭଲ ଲାଭ ଦେବା ଆଳରେ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିଲେ। ପରେ ଏହି ହଡ଼ପ ଟଙ୍କାକୁ ପ୍ରଥମ ପର୍ଯ୍ୟାୟରେ ଜମାକାରୀଙ୍କୁ ଫେରସ୍ତ କରିଥିଲେ। ନୂଆ ସଂସ୍ଥା ତିଆରି କରାଯାଇଥିଲା। ଯେପରି ଏହି ଚିଟଫଣ୍ଡ୍ ସ୍କାମ୍‌ରେ ଅଧିକରୁ ଅଧିକ ଲୋକ ସାମିଲ ହେବେ ସେଥିପାଇଁ ସାରା ଭାରତରେ ଲକ୍ଷାଧିକ ଦଲାଲ ନିଯୁକ୍ତ ହୋଇଥିଲେ। ଏହି ଦଲାଲଙ୍କ ଜରିଆରେ ଜମାକାରୀ ସଂଗ୍ରହ କରି ଟଙ୍କା ଲଗାଇବା ପରେ ସେମାନଙ୍କ ପାଇଁ ମଧ୍ୟ ସ୍ଲାବ୍‌ ବ୍ୟବସ୍ଥା କରାଯାଇଥିଲା। ଦିଆଯାଇଥିବା ଟାର୍ଗେଟ ଆଧାରରେ ଦଲାଲମାନଙ୍କୁ ମୋଟା ଅଙ୍କରେ କମିସନ୍ ଦିଆଯାଉଥିଲା। ଦୁଇଟି ପର୍ଯ୍ୟାୟରେ ୫.୫ କୋଟି ଲୋକଙ୍କ ଠାରୁ ୬୦ ହଜାର କୋଟି ଟଙ୍କା ଠକେଇ ହୋଇଥିଲା। ରାଜସ୍ଥାନ ଜୟପୁରର ଏଗିସ୍ ନାମକ ବେସରକାରୀ ସଂସ୍ଥା ସହାୟତାରେ ଅଷ୍ଟ୍ରେଲିୟ କମ୍ପାନିରେ ଠକେଇ ଅର୍ଥ ବିନିଯୋଗ କରା ଯାଇଥିବା ଜଣାପଡ଼ିଥିଲା। ପ୍ରାୟ ୧୩୨.୯୯ ମିଲିୟନ୍ ଏୟୁଡି ଅର୍ଥାତ୍ ଭାରତୀୟ ଟଙ୍କାରେ ପ୍ରାୟ ୭୨୦କୋଟି ଟଙ୍କା ଅଷ୍ଟ୍ରେଲିଆ କମ୍ପାନିର ନିବେଶ କରାଯାଇଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର