ଜମିଦେବାକୁ କହି ୬୭ଲକ୍ଷ ଠକେଇ; ଦୁଇ ଦଲାଲ୍‌ ଗିରଫ, ଏମ୍‌ଜି ହେକ୍ଟର ଜବତ

ବିତାଉ ଥିଲେ ରାଜକୀୟ ଜୀବନ, ସିନେମାରେ ବି ଲଗାଉଥିଲେ ଟଙ୍କା

ଭୁବନେଶ୍ବର : ନିଜକୁ ବଡ଼ ବିଲ୍ଡର ଓ ଜମିମାଲିକର ପରିଚୟ ଦେଉଥିଲେ। ଲୋକଙ୍କୁ ଶସ୍ତାରେ ଜମି, ଘର ଦେବାକୁ କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଲୁଟ୍‌ ଟଙ୍କା ଟଙ୍କାରେ ବିଳାସପୂର୍ଣ୍ଣ ଗାଡ଼ି ସାଙ୍ଗକୁ ରାଜଉଆସ ଭଳି ଘରେ ସମ୍ଭ୍ରାନ୍ତ ଜୀବନ ବିତାଉଥିଲେ। ସୌଖୀନରେ ବି କିଛି କମିନଥିଲା। ମୋଟା ମୋଟା ସୁନା ଚେନ୍‌ ଏବଂ ରଂଗିନ ଜୀବନଯାପନ କରୁଥିଲେ। ଖାଲି ଏତିକି ନୁ‌‌ହେଁ ଟଙ୍କାକୁ ଓଡ଼ିଆ ସିନେମାରେ ବି ଲଗାଉଥିବା ଚର୍ଚ୍ଚା ହେଉଛି। ଏଭଳି ଦୁଇ ଜମି ଦଲାଲ୍‌କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ ପରେ ଘଟଣା ପଦାକୁ ଆସିଛି। ସେମାନେ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅହିଆସ ଅଞ୍ଚଳର ଅମିତ ନାୟକ(୩୦) ଓ କଟକ ଗୋବିନ୍ଦପୁର ଅଞ୍ଚଳର ସଞ୍ଜିତ ମହାପାତ୍ର(୩୭)। ଉଭୟ ଏଠାରେ ୟୁନିଟ୍‌-୯ ଅଞ୍ଚଳରେ ରହୁଥିଲେ। ପୁଲିସ ସେମାନଙ୍କଠାରୁ ଗୋଟିଏ ଏମ୍‌ଜି ହେକ୍ଟର ଗାଡ଼ି ଜବତ କରିଛି।

ପୁଲିସ ସୂଚନା ମୁତାବକ, ଉଭୟ ଅମିତ ଓ ସଞ୍ଜିତ ରାଜଧାନୀରେ ଲୋକଙ୍କୁ ନିଜକୁ ବଡ଼ ବିଲ୍ଡରର ପରିଚୟ ଦେଇଥିଲେ। ସେମାନଙ୍କ ବେଶପୋଷାକ ଓ ଚାଲିଚଳଣି ଏଭଳି ଥିଲା ଯେ, ସେମାନଙ୍କୁ ସହଜରେ କେହି ଦଲାଲ୍‌ ବୋଲି ଜାଣିପାରିବେ ନାହିଁ। ଏହାର ସୁଯୋଗ ନେଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ। କମ୍‌ ଦରରେ କାହାକୁ ଜମି ତ କାହାକୁ ଫ୍ଲାଟ୍‌ ଦେବେ କହି ଟଙ୍କା ନେଉଥିଲେ। ଯୋଜନା ମୁତାବକ କେତେକ ସହଯୋଗୀଙ୍କୁ ଜମିମାଲିକ ସଜାଇ ଜାଗା ଉପରକୁ ନେଉଥିଲେ ଓ ଚତୁରତାର ସହ ଲୋକଙ୍କୁ ଫସାଇ ଟଙ୍କା ନେଉଥିଲେ। ତେବେ ୨୦୨୦ ମସିହାରେ ଚିତ୍ରସେନ ଘଡ଼େଇ ନାମକ ଜଣେ ବ୍ୟବସାୟୀଙ୍କୁ ଚକେଇସିଆଣିରେ ଜମି ଦେବାକୁ କହିଥିଲେ। ତାଙ୍କୁ ମଧ୍ୟ ଜଣେ ନକଲି ମାଲିକକୁ ଦେଖାଇ ଜମିପାଖକୁ ନେଇଥିଲେ। ଜମିଦେବାକୁ କହି ଅଭିଯୁକ୍ତ ଦ୍ବୟ ପ୍ରଥମେ ୪୮ ଲକ୍ଷ ଓ ପରେ ୧୯ ଲକ୍ଷ ଟଙ୍କା ମୋଟ୍‌ ୬୭ଲକ୍ଷ ଟଙ୍କା ନେଇଥିଲେ। ହେଲେ ନା ତାଙ୍କୁ ଜମି ଦେଇଥିଲେ ନା ଟଙ୍କା ଫେରାଇ ଥିଲେ। ଏନେଇ ଚିତ୍ରସେନ ପ୍ରଥମେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର