୭ କୋଟି ଠକେଇ : ହିନ୍ଦୁସ୍ତାନ ଡେଭଲପର୍ସର ୩ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର : ମଦନପୁର ମୌଜାରେ ହିନ୍ଦାସ୍ତାନ ଭ୍ୟାଲି ପ୍ରୋଜେକ୍ଟସ୍‌ ଅଧୀନରେ ଜାଗା ଯୋଗାଇ ଦେବାକୁ କହି ୭ କୋଟି ଠକି ନେଇଥିବା ୩ ଠକଙ୍କୁ କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି। ସେମାନେ ହେଉଛନ୍ତି, ପୂର୍ବତନ ଆନ୍ଧ୍ରବ୍ୟାଙ୍କ୍‌ ମ୍ୟାନେଜର୍‌ ତଥା ଆନ୍ଧ୍ରବ୍ୟାଙ୍କ୍ ଏମ୍ପ୍ଲଇଜ୍‌ ହାଉସିଂ କୋ-ଅପରେଟିଭ୍‌ ସୋସାଇଟି ସମ୍ପାଦକ ଭୀମଟାଙ୍ଗିର ପ୍ରଫୁଲ୍ଲ ଷଡ଼ଙ୍ଗୀ, ହିନ୍ଦୁସ୍ତାନ ଡେଭଲପର୍ସର ଅନ୍ୟ ଦୁଇଜଣ ପାର୍ଟନର୍‌ କଟକ ନୂଆପଡ଼ାର ମନୋଜ ମହାପାତ୍ର ଓ ବମିଖାଲ ବାସୁଦେବ ନଗରର ଅମ୍ବିକା ପ୍ରସାଦ ମହାନ୍ତି। ଏମାନଙ୍କୁ ଓପିଆଇଡିର ସ୍ବତନ୍ତ୍ର କୋର୍ଟ କଟକରେ ହାଜର କରାଯାଇଛି। ୧୬୦ ଜଣଙ୍କଠାରୁ ସଂସ୍ଥା ୭ କୋଟି ଠକି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ଆନ୍ଧ୍ରବ୍ୟାଙ୍କ୍ ଏମ୍ପ୍ଲଇଜ୍‌ ହାଉସିଂ କୋ-ଅପରେଟିଭ୍‌ ସୋସାଇଟି ଗଠନ କରିଥିଲେ। ଚନ୍ଦ୍ରଶେଖରପୁର ଆନ୍ଧ୍ର ବ୍ୟାଙ୍କ୍‌ ଶାଖାରେ ଏହି ନାମରେ ଏକ ଆକାଉଣ୍ଟ ମଧ୍ୟ ଖୋଲା ଯାଇଥିଲା। କେବଳ ଶ୍ରୀ ଷଡ଼ଙ୍ଗୀ ହିଁ ଏହି ଆକାଉଣ୍ଟ ପରିଚାଳନା କରିବା ପାଇଁ କ୍ଷମତା ଦିଆଯାଇଥିଲା। ଷଡ଼ଙ୍ଗୀଙ୍କ ପରାମର୍ଶ କ୍ରମେ ଆନ୍ଧ୍ର ବ୍ୟାଙ୍କ କର୍ମଚାରୀଙ୍କ ସମେତ ୧୬୦ ଜଣ ଏହି ଆକାଉଣ୍ଟରେ ୭ କୋଟି ଟଙ୍କା ଜମା କରିଥିଲେ। ଅର୍ଥ ଜମା ହୋଇଗଲା ପରେ ପ୍ରଫୁଲ୍ଲ ମନୋଜ ଓ ଅମ୍ବିକାଙ୍କୁ ନି‌ୟୋଜିତ କରିଥିଲେ। ଜମି ଡେଭଲପ କରି ଯୋଗାଇବେ ବୋଲି ସେମାନଙ୍କ ସହ ଷଡ଼ଙ୍ଗୀ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ। ୨୦୦୯ରୁ ୨୦୧୧ ମଧ୍ୟରେ ସମ୍ପୃକ୍ତ ଡିଲର ହିତାଧିକାରୀମାନଙ୍କୁ ସେଲ୍‌ ଡିଡ୍‌ ଯୋଗାଇଥିଲା, କିନ୍ତୁ ପୋଜେସନ୍‌ ଦେଇ ନଥିଲା। ହିତାଧିକାରୀମାନେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ ଧରାଛୁଆଁ ଦେଇ ନଥିଲେ। ଏ ନେଇ ଶତାବ୍ଦୀ ନଗରର ରତିକାନ୍ତ ସାମଲ ଗତ ୪ ତାରିଖରେ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ। ଇଓଡବ୍ଲୁ ଏକ ମାମଲା(୯/୧୯) ରୁଜୁ କରିବା ସହ ତଦନ୍ତ ଚଳାଇଥିଲା। ଆଜି ତିନିଜଣଙ୍କୁ ଗିରଫ କରି କଟକର ସ୍ବତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି। ଏଥିରେ ଆଉ ଅନ୍ୟମାନଙ୍କର ସମ୍ପୃକ୍ତି ନେଇ ଖୋଳତାଡ଼ ଆରମ୍ଭ ହୋଇଥିବା ଇଓଡବ୍ଲୁ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର