ପୂର୍ବତନ କୃଷି ଅଧିକାରୀଙ୍କ ଘରେ କଳାକନା ବୁଲାଇଲେ, ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍‌

ବାଲିଅନ୍ତା: ସ୍ଥାନୀୟ ପାହାଳ ଫାଣ୍ଡି ଅଧୀନ ନଖରାଗଡ଼ା ଅଞ୍ଚଳର ଗତକାଲି ରାତିରେ ଗ୍ରିଲ୍‌ ତଡ଼ା ଗ୍ୟାଙ୍ଗ୍‌ର ଦୁର୍ବୃତ୍ତମାନେ ସିରିଜ୍‌ ଚୋରି କରିଛନ୍ତି। ୨ ଜଣଙ୍କ ଘରୁ ଚୋରି କରିବାରେ ସଫଳ ହୋଇଥିବାବେଳେ ଅନ୍ୟ ଦୁଇ ପରିବାରର ଲୋକମାନେ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ବିଫଳ ହୋଇଥିବା ଜଣାପଡ଼ିଛି। ତେବେ ପୂର୍ବତନ କୃଷି ଅଧିକାରୀ ଯଯାତିକେଶରୀ ପ୍ରଧାନଙ୍କ ଘରେ ସେମାନେ କଳାକନା ବୁଲାଇଛନ୍ତି। ଝରକା ତାଡ଼ି ଘରେ ପଶିବା ପରେ ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଓ ଅନ୍ୟ ଜଣେ ପଡ଼ୋଶୀ ଭକ୍ତବତ୍ସଳ ଆଚାର୍ଯ୍ୟଙ୍କ ଘରୁ ୭ ହଜାର ଟଙ୍କା ଓ ଲାପଟପ୍‌ ଲୁଟି ନେଇଛନ୍ତି। ଏ ନେଇ ପାହାଳ ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି, କିନ୍ତୁ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ।

ସୂଚନାନୁଯାୟୀ ଲୁଟେରାମାନେ ଯଯାତିଙ୍କ ଘରର ଝରକା ତାଡ଼ି ଭିତରେ ପଶିଥିଲେ। ପରିବାର ଲୋକ ଶୋଇଥିବା ଘରର କବାଟ ବାହାରପଟୁ ବନ୍ଦ କରି ଦେଇଥିଲେ। ଆଲ୍‌ମିରା ଭାଙ୍ଗି ସେମାନେ ସୁନାଗହଣା ଲୁଟପାଟ କରିଥିଲେ। ମାତ୍ର ପରିବାର ଲୋକେ ରାତି ପାହିବା ପର୍ଯ୍ୟନ୍ତ ଏବାବଦରେ କିଛି ଜାଣିପାରିନଥିଲେ। ଆଜି ସକାଳେ ସେମାନେ ଉଠିବା ପରେ କବାଟ ବନ୍ଦ ଥିବାରୁ ପଡ଼ୋଶୀମାନଙ୍କୁ ଡାକିଥିଲେ ଓ ସେମାନେ କବାଟ ଖୋଲିବା ପରେ ଚୋରି ଘଟଣା ଜଣାପଡ଼ିଥିଲା। ତାଙ୍କ ଘରୁ ଚୋରିଯାଇଥିବା‌ ଅଳଙ୍କାର ମଧ୍ୟରେ ସୁନାହାର, ସୁନାଚେନ, କାନଫୁଲ, କାନପେଣ୍ଡିଫୁଲ, ଚୂଡ଼ି, ସୁନାବାହୁଟି, ୨୦ଟି ସୁନାମୁଦି ଏବଂ ବିପୁଳ ପରିମାଣର ରୂପା ଗହଣା ରହିଛି। ପ୍ରାୟ ୧୩ ଭରି ଓଜନର ସୁନା ଗହଣା ଚୋରି ହୋଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ସବୁର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏତଲାରେ ଦର୍ଶାଯାଇଛି। ସେହିଭଳି ଭକ୍ତବତ୍ସଳ ଆଚାର୍ଯ୍ୟଙ୍କ ଘରୁ ଆଲମିରା ଭାଙ୍ଗି ୭୦୦୦ ଟଙ୍କା, ଲାପ୍‌ଟପ ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ଲୁଟ ହୋଇଛି। ତେବେ ଅନ୍ୟ ଦୁଇ ପଡ଼ୋଶୀ ମନ୍ମଥ ରାଓ ଓ ଧନେଶ୍ବର ପଲେଇଙ୍କ ଘରୁ ଲୁଟ୍‌ କରିବାରରେ ଦୁର୍ବୃତ୍ତମାନେ ବିଫଳ ହୋଇଛନ୍ତି। ଗ୍ରିଲ ଭାଙ୍ଗି ଭିତରକୁ ପଶିବାବେଳେ ସେମାନେ ଉଠିପଡ଼ିବାରୁ ଚୋରମାନେ ଚମ୍ପଟ୍‌ ମାରିଥିଲେ। ଏହି ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଦୁର୍ବଳ ହୋଇଥିବା ମଉକାରେ ବହୁ ଚୋରି ହେଉଥିବା ଅଭିଯୋଗ ହେଉଛି। ବଞ୍ଚବଟି ସ୍କୁଲର କୋଭିଡ୍‌ ସେଣ୍ଟରରୁ ଇନ୍‌ଭର୍ଟର ଓ ଅନ୍ୟାନ୍ୟ ମୂଲ୍ୟବାନ ସମଗ୍ରୀ ଲୁଟ ହୋଇଯାଇଛି ବୋଲି ସମିତି ସଭ୍ୟ ମହେଶ୍ବର ଦାସ କହିଛନ୍ତି। ଏ ସଂକ୍ରାନ୍ତରେ ସ୍କୁଲ ଶିକ୍ଷା କମିଟି ପାହାଳ ଫାଣ୍ଡିରେ ଅଭିଯୋଗ କରିଥିବା ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର