ପାଞ୍ଚ ଦିନରେ ସାତ ହଜାର ଲୁଟ୍

ଯବାନଙ୍କୁ ନିଶା ଦେଇ ଲୁଟିଲେ, ମୋବାଇଲ ଲୁଟେରାକୁ ମାଡ଼ି ବସିଲେ ଲୋକେ

ଚନ୍ଦ୍ରଶେଖରପୁର : ଏକ ପ୍ରତିଷ୍ଠିତ ମୋଟର୍ସ କମ୍ପାନି ସର୍ଭିସିଂ ସଂସ୍ଥାର ଜାଲ୍‌ ୱେବସାଇଟ୍‌ ଖୋଲି ଗ୍ରାହକଙ୍କୁ ଲୁଟୁଥିବା ଏକ ସଂସ୍ଥାକୁ ଠାବ କରିଛି ଇନ୍‌ଫୋସିଟି ଥାନା ପୁଲିସ୍। ୩ ଜଣ ଗ୍ରାହକ ଏହି ୱେବସାଇଟ୍‌ ମାଧ୍ୟମରେ ଗତ ୫ ଦିନ ମଧ୍ୟରେ ୭ହଜାର ଟଙ୍କା ହରାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପଟିଆ ମ୍ୟାଗନେଟ୍ ଛକରେ ଥିବା ଏକ ପ୍ରତିଷ୍ଠିତ ଗାଡ଼ି ସୋ’ ରୁମ୍ ନାମରେ ଜାଲ୍‌ ୱେବସାଇଟ୍‌ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଠିକଣା ସମାନ ଦିଆଯାଇଥିବା ବେଳେ ଗୁଗୁଲ୍ ମ୍ୟାପ୍‌ରେ ଦୂରତା ସାମାନ୍ୟ ପରିବର୍ତ୍ତନ ଦର୍ଶାଯାଇଛି। ଅନ୍ୟପକ୍ଷରେ ଜାଲ୍‌ ୱେବସାଇଟ୍‌ରେ ୨୪ ଘଣ୍ଟିଆ ସେବା ବିଷୟରେ ଉଲ୍ଲେଖ ଥିବାରୁ ଗ୍ରାହକ ଆକୃଷ୍ଟ ହୋଇ ଗାଡ଼ି ସର୍ଭିସିଂ କରିବା ପାଇଁ ଅନଲାଇନ୍‌ରେ ମାତ୍ର ୧୦ଟଙ୍କା ପଇଠ କରି ଟୋକେନ୍ ହାସଲ କରିବା ପୂର୍ବରୁ ଆକାଉଣ୍ଟରୁ ସମସ୍ତ ଟଙ୍କା ଗାଏବ ହୋଇଯାଉଛି। ଲୁଟ୍‌ର ଶିକାର ହୋଇଥିବା ୩ଜଣ ଗ୍ରାହକଙ୍କ ଆକାଉଣ୍ଟରେ ଅଳ୍ପ ଟଙ୍କା ଥିବାରୁ ମାତ୍ର ୭ହଜର ଟଙ୍କା ଗାଏବ ହୋଇଛି। ‌ଯଦି ମୋଟା ଅଙ୍କର ଟୋକନ ଅନଲାଇନରେ କଟା ଯାଇଥାନ୍ତା ତେବେ ଆକାଉଣ୍ଟରୁ ସମସ୍ତ ଟଙ୍କା ଗାଏବ ହେବାର ଆଶଙ୍କା ରହିଛି ବୋଲି ପୁଲିସ୍ କହିଛି। ଏନେଇ ଇନଫୋସିଟି ଥାନା ଆଇଆଇସି ବିଶ୍ବଜିତ୍ ମହାନ୍ତି ସାଇବର୍ କ୍ରାଇମ୍ ସେଲ୍‌କୁ ସୂଚନା ଦେଇ ଉକ୍ତ ୱେବସାଇଟ୍‌କୁ ତୁରନ୍ତ ବନ୍ଦ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଅପରପକ୍ଷରେ ଜାଲ୍‌ ୱେବସାଇଟ୍‌ କରି ଠକୁଥିବା ଦଳକୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

ଯବାନଙ୍କୁ ନିଶା ଦେଇ ଲୁଟିଲେ

ଭୁବନେଶ୍ୱର : କୋଲକାତାରୁ ଆସୁଥିବା ଜଣେ ଯବାନ ଟ୍ରେନ୍‌ରେ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି। ତାଙ୍କୁ ନିଶାସକ୍ତ ଅବସ୍ଥାରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍‌ପିଟାଲ‌‌ରେ ଭର୍ତ୍ତି କରାଯାଇଛି। ସେ ହେଲେ, କର୍ଣ୍ଣାଟକ ବେଲଗାଓଁର ରାଜୁ ଏସ୍‌ପି। କୋଲକାତା ୨୦୩ ଇଞ୍ଜିନିୟରିଂ ରେଜିମେଣ୍ଟରେ କାମ କରନ୍ତି। ଆଜି ସେ ଘରକୁ ଯାଉଥିଲେ। ଭୁବନେଶ୍ବରରେ ଓହ୍ଲାଇ ସେ ଆଉ ଏକ ଟ୍ରେନ୍‌ ଧରିଥାଆନ୍ତେ। ଟ୍ରେନ୍‌ରେ ସେ ଏକ ଅମୃତଭଣ୍ଡା ଖାଇବା ପରେ ବେହୋସ ହୋଇ ଯାଇଥିଲେ। ଲୁଟେରାମାନେ ତାଙ୍କଠାରୁ ୨ ହଜାର ଟଙ୍କା, ଏଟିଏମ୍‌ କାର୍ଡ ଓ ବ୍ୟାଗ୍‌ ଲୁଟି ନେଇଥିଲେ।

ମୋବାଇଲ ଲୁଟେରାକୁ ମାଡ଼ି ବସିଲେ ଲୋକେ

ଭୁବନେଶ୍ୱର : ରବୀନ୍ଦ୍ର ମଣ୍ଡପ ଛକରେ ଜଣେ କାର୍‌‌ ଚାଳକଙ୍କଠାରୁ ମୋବାଇଲ ଛଡ଼ାଇ ଦୌଡ଼ୁଥିବା ବେଳେ ଲୋକମାନେ ଲୁଟେରାକୁ କାବୁ କରିଛନ୍ତି। ନିସ୍ତୁକ ମାଡ଼ ମାରି ତାକୁ କ୍ୟାପିଟାଲ ଥାନା ପୁଲିସ ଜିମା ଦେଇଛନ୍ତି। ଲୁଟେରାଠାରୁ ଦୁଇଟି ଚୋରା ମୋବାଇଲ ଜବତ କରାଯିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି। ଲୁଟେରା ଜଣକ ହେଲା ଆଖଣ୍ଡଳମଣୀ ବସ୍ତିରେ ରହୁଥିବା କେନ୍ଦ୍ରାପଡ଼ାର ସୁଶାନ୍ତ ସାହୁ ଓରଫ ବାପି। ଅଭିଯୋଗକାରୀ କାର୍‌ ଚାଳକ ହେଉଛନ୍ତି ବଡ଼ଚଣା ଅଞ୍ଚଳର ରମେଶ ସାହୁ। ସେ ବଡ଼ଚଣା ଅଞ୍ଚଳର ଜଣେ ମାଲିକଙ୍କର ଗାଡ଼ି ଚଳାନ୍ତି। ଭଡ଼ାସୂତ୍ରରେ ସେ ଏହି ଗାଡ଼ି ଆଣି ଭୁବନେଶ୍ବର ଆସିଥିଲେ। ଗାଡ଼ିରେ ଆସିଥିବା ବ୍ୟକ୍ତି ରବୀନ୍ଦ୍ର ମଣ୍ଡପ ଭିତରକୁ ଯାଇଥିବା ବେଳେ ସେ କାଚ ଖୋଲି ଗାଡ଼ି ଭିତରେ ବସି ମୋବାଇଲ ଦେଖୁଥିଲେ। ଏତିକିବେଳେ ଲୁଟେରା ଦୁଇଜଣ ଏକ ବାଇକ୍‌ରେ ଆସି ତାଙ୍କ ମୋବାଇଲ ଛଡ଼େଇ ଚମ୍ପଟ ମାରିଥିଲେ। ସେ ପାଟି କରିବାରୁ କିଛି ଯୁବକ ଗୋଡ଼ାଇ ପ୍ରାୟ ଅଧ କିଲୋମିଟର ପରେ ଲୁଟେରାଙ୍କୁ ଧରିଥିଲେ। ଜଣେ ଲୁଟେରା ଫେରାର ‌ହୋଇଯାଇଥିବା ବେଳେ ଅନ୍ୟ ଜଣେ ଧରା ପଡ଼ି ଯାଇଥିଲା।

ଦାଦାବଟି ମାଗି ଯୁବକ ଗିରଫ

ଭୁବନେଶ୍ୱର : ଠିକାଦାରଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ବୁ‌ଦ୍ଧେଶ୍ବରୀ କଲୋନିର ଜିମି ଭୂୟାଁକୁ ଗିରଫ କରିଛି। ପୂର୍ବରୁ ଏହି ଗ୍ୟାଙ୍ଗ୍‌ର ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆ‌ଜି ଜିମିକୁ ଗିରଫ କରାଯାଇ ‌କୋର୍ଟ ଚାଲାଣ କରାଯାଇଛି। ଓସ୍କାର ସିଟି ଅଞ୍ଚଳରେ ନୂଆ ନୂଆ ଘର ତିଆରି ଚାଲିଛି। ଯେଉଁମାନେ ଘର ତିଆରି କରନ୍ତି ସେମାନଙ୍କୁ ଧମକାଇ ଏହି ଗ୍ୟାଙ୍ଗ୍‌ ବେଶ୍‌ ମୋଟା ଅଙ୍କରେ ଦାଦାବଟି ଆଦାୟ କରନ୍ତି। ଏହି କ୍ରମରେ ଜଣେ ଠିକାଦାର ଛବୀନ୍ଦ୍ର ମାଝୀଙ୍କୁ ଏମାନେ ଧମକାଇ ମୋଟା ଅଙ୍କର ଅର୍ଥ ଦାବି କରିଥିଲେ। ହେଲେ ଛବୀନ୍ଦ୍ର ଏହି ଅଞ୍ଚଳର ହୋଇଥିବାରୁ ବଟି ଦେବେ ନାହିଁ ବୋଲି ମନା କରି ଦେଇଥିଲେ। ଏ ନେଇ ଛବୀନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ଜିମିକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର