ପ୍ୟାନ୍‌ କାର୍ଡ ଆକ୍ଟିଭେସନ କରାଇବେ କହି ୭୦ ହଜାର ଲୁଟ୍

ଭୁବନେଶ୍ବର : ସାଇବର୍ ଲୁଟେରାଙ୍କ ଚାଲ୍‌ର ଶିକାର ହୋଇ ଜଣେ ବ୍ୟକ୍ତି ୭୦ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ସାଇବର ସେଲ୍‌ର ଦ୍ବାରସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ବେଲପାହାଡ଼ର ଉମାକାନ୍ତ ସ’ଙ୍କୁ ଆଜି ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଠକ ଜଣକ ତାଙ୍କୁ ପ୍ୟାନ୍ କାର୍ଡରେ କିଛି ସମସ୍ୟା ଅଛି କହି ଜାଲରେ ପକାଇଥିଲା। କିଛି ସମୟ ମଧ୍ୟରେ ଯଦି ସେ ଆବଶ୍ୟକ ତଥ୍ୟ ନ ଦିଅନ୍ତି ତେବେ ପ୍ୟାନ୍‌କାର୍ଡ ଅଚଳ ହୋଇଯିବ କହିଥିଲା। ଆଉ କାର୍ଡ ଆକ୍ଟିଭେସନ୍ ପାଇଁ ମୋବାଇଲ୍‌କୁ ଯାଇଥିବା ଓଟିପି ଏବଂ ଆକ୍ଟିଭେସନ୍ ଫି’ ବାବଦକୁ ୧୦ଟଙ୍କା ମାଗିଥିଲା। ଏହା ପରେ ୪ଟି ପର୍ଯ୍ୟାୟରେ ସାଇବର ଠକ ଉମାକାନ୍ତଙ୍କ ଆକାଉଣ୍ଟରୁ ପ୍ରାୟ ୭୦ହଜାର ଟଙ୍କା ନେଇ ଯାଇଥିଲା। ସେହିଭଳି କେନ୍ଦୁଝର ଜୁରୁଡ଼ି ଅଞ୍ଚଳରୁ ଜଣେ ଯୁବକଙ୍କ ପାଖରୁ ସାଇବର ଠକ ପ୍ରାୟ ୭୩ହଜାର ଟଙ୍କା ଲୁଟି ନେଇଛି। ମେସେଜ୍‌ ପଠାଇ ସିମ୍ ଅଚଳ କରାଇବା ବାହାନାରେ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି। ଏ ନେଇ ସେ ଭୁବନେଶ୍ବର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର