ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ପ୍ରତାପରୁଦ୍ରପୁର-କଣ୍ଟାପଡ଼ା ଗ୍ରାମ ଉନ୍ନୟନ ମୁଖ୍ୟ ରାସ୍ତାର ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ବର ମନ୍ଦିର ନିକଟରେ ଦୁଇଜଣ ଦୁର୍ବୃତ୍ତ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ହାଣି ୭୫ ହଜାର ଟଙ୍କା‌ ଲୁଟି ନେଇଛନ୍ତି। ଲୁଟର ଶିକାର କର୍ମଚାରୀ ହେଲେ ନଖରାସ୍ଥିତ ଭାରତ ଅର୍ଥ ଲଗାଣକାରୀ ସଂସ୍ଥାର ଜ୍ଞାନେନ୍ଦ୍ର ଦ୍ବିବେଦୀ। ଜ୍ଞାନେନ୍ଦ୍ରଙ୍କ ହାତରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ଲାଗି ଜ୍ଞାନ୍ଦ୍ରେଙ୍କୁ ଅଡ଼ଶପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ବାଲିଅନ୍ତା ଥାନା ଏଏସଆଇ ଅରୁଣ ମଲ୍ଲିକ ଓ ଏସଆଇ ତୃପ୍ତିମୟୀ ରାଉତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରିପୋର୍ଟ ଲେଖା ହେବା ବେଳକୁ ବାଲିଅନ୍ତା ଥାନାରେ ମାମଲା ରୁଜୁ ହୋଇନଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

Advertisment

ସୂଚନା ମୁତାବକ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ଜ୍ଞାନେନ୍ଦ୍ର କଣ୍ଟାପଡ଼ା ରାସ୍ତାରେ ନଖରା ଯାଉଥିବା ବେଳେ ଦୁଇଜଣ ଯୁବକ କଳା ପଲସର୍‌ରେ ତାଙ୍କୁ ପିଛା କରି ଅଟକାଇଥିଲେ। ସେ ଗାଡ଼ି ରଖିବା ପରେ ଭୁଜାଲି ଦେଖାଇ ଭୟଭୀତ କରାଇ ଟଙ୍କା ଭର୍ତ୍ତି ବ୍ୟାଗ ମାଗିଥିଲେ। ହେଲେ ଜ୍ଞାନେନ୍ଦ୍ର ବିରୋଧ କରିବାରୁ ତାଙ୍କ ଡାହାଣ ହାତ ପାପୁଲିକୁ ଭୁଜାଲିରେ ହାଣି ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ। ବାଲିଅନ୍ତା ଥାନା ପୁଲିସ ଆହତ ଫାଇନାନ୍ସ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି।