ଭୁବନେଶ୍ବର : ଦୁଇଟି ଦାମୀ ମୋବାଇଲ କିଣିବା ପାଇଁ ଓଏଲ୍‌ଏକ୍ସ ଜରିଆରେ ଯୋଗାଯୋଗ କରି ୯୦ ହଜାର ଟଙ୍କା ହରାଇଛନ୍ତି ଜଣେ ଯୁବକ। ଠକାମିର ଶିକାର ହୋଇଥିବା ଯୁବକ ହେଲେ ବାରଙ୍ଗ ଦାଢ଼ାପାଟଣାର ନାରାୟଣ ସାହୁ। ସିଧାସଳଖ ଦୋକାନୀଠାରୁ ନକିଣି ଜଣେ ଦଲାଲ୍‌ ମାଧ୍ୟମରେ ମୋବାଇଲ୍‌ କିଣିବା ନାରାୟଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

Advertisment

ନାରାୟଣଙ୍କ ଅଭିଯୋଗ ଅନୁସାରେ ସେ ଗତ ୯ ତାରିଖରେ ଓଏଲ୍‌ଏକ୍ସରେ ଏଥିପାଇଁ ଏକ ପୋଷ୍ଟ କରିଥିଲେ। ୧୦ ତାରିଖରେ ସିଦ୍ଧାର୍ଥ ପାଣିଗ୍ରାହୀ ନାମକ ଜଣେ ଯୁବକ ତାଙ୍କୁ ଫୋନ୍ କରି ମୋବାଇଲ୍‌ ଫୋନ୍‌ କିଣାଇଦେବ ବୋଲି କହିଥିଲେ। ବାପୁଜୀନଗରର ଏକ ଦୋକାନରୁ କିଣାଇ ଦେବ ବୋଲି ସେ କହିଥିଲା ଓ ଦୋକାନର ଠିକଣା ଦେଇଥିଲା। ନାରାୟଣ ସେହି ଦୋକାନରେ ପହଞ୍ଚିବା ପରେ ଦୋକାନୀ ତାଙ୍କୁ ଏକ ଏଟିଏମ୍‌ କାର୍ଡ ଦେଖାଇଥିଲେ ଓ ସେଇଟି ସିଦ୍ଧାର୍ଥଙ୍କର ବୋଲି କହିଥିଲେ। ତେଣୁ ସିଦ୍ଧାର୍ଥ ଆକାଉଣ୍ଟକୁ ଟଙ୍କା ପଠାଇବା ପରେ ସେ ଏଟିଏମ୍ କାର୍ଡ ସ୍ବାଇପ୍ କରି ଟଙ୍କା ଉଠାଇ ନେବେ ବୋଲି କହିଥିଲେ। ସିଦ୍ଧାର୍ଥ ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ନାରାୟଣ ୯୦ ହଜାର ଟଙ୍କା ପଠାଇଥିଲେ। କିନ୍ତୁ ଉକ୍ତ ଏଟିଏମ୍ କାର୍ଡକୁ ସ୍ବାଇପ୍ କଲାବେଳକୁ ତାହା ଅଚଳ ହୋଇ ଯାଇଥିବା ଜଣାପଡ଼ିଲା।

ଦୋକାନୀଙ୍କଠାରୁ ଏହା ଜାଣିବା ପରେ ନାରାୟଣ ବାରମ୍ବାର ଫୋନ୍‌ କରି ସିଦ୍ଧାର୍ଥ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତା’ ଫୋନ୍ ସୁଇଚ୍ ଅଫ୍ ହୋଇ ଯାଇଥିଲା। ଠକାମିର ଶିକାର ହୋଇଥିବା ଜାଣିବା ପରେ ନାରାୟଣ କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିଛି। ଏହି ମାମଲାରେ ପୁଲିସ ସମ୍ପୃକ୍ତ ଦୋକାନୀଙ୍କୁ ସନ୍ଦେହ କରି ତଦନ୍ତ ପରିସରଭୁକ୍ତ କରିଛି। ଦୋକାନୀ ସିଦ୍ଧାର୍ଥଙ୍କ ଏଟିଏମ୍‌ କାର୍ଡ ରଖିଥିବାରୁ ତାଙ୍କ ଜଣାଶୁଣା ବୋଲି କୁହାଯାଉଛି। ଏହାଛଡ଼ା ଦୋକାନୀ ସିଧାସଳଖ ଟଙ୍କା ନନେଇ ସିଦ୍ଧାର୍ଥ ଜରିଆରେ କାରବାର କରିଥିବାରୁ ଏହା ଏକ ବ୍ଲୁ-ପ୍ରିଣ୍ଟ ବୋଲି ସନ୍ଦେହ କରାଯାଉଛି।