ଖଣ୍ଡଗିରି : ବୃଦ୍ଧାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୦ ହଜାର ଗାଏବ୍‌

ଖଣ୍ଡଗିରି : ଜଣେ ବୃଦ୍ଧାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅନ୍‌ଲାଇନ୍‌ ସପିଂ ଜରିଆରେ ୯୦ ହଜାର ଟଙ୍କା ଗାଏବ୍‌ ହୋଇଯାଇଛି। ଗୁଗୁଲ୍‌ ପେ’ ଓ ପେଟିଏମ୍‌ ଭଳି ସଂସ୍ଥା ଜରିଆରେ ଲଗାତାର ସପିଂ ହୋଇ ଶେଷରେ ତାଙ୍କ ଆକାଉଣ୍ଟ ଶୂନ ହୋଇଯାଇଛି। ଲୁଟ୍‌ର ଶିକାର ମହିଳା ହେଲେ, ସ୍ଥାନୀୟ ଡୁମୁଡୁମାର ଶ୍ୟାମସୁନ୍ଦର ପାତ୍ରଙ୍କ ସ୍ତ୍ରୀ ପ୍ରମିଳା ପାତ୍ର(୭୫)। ଏନେଇ ସେ ଖଣ୍ଡଗିରି ଥାନା ଓ ବ୍ୟାଙ୍କରେ ଅଭିଯୋଗ କରିବା ପରେ ଉଭୟ ପକ୍ଷରୁ ଛାନ୍‌ଭିନ୍ ଆରମ୍ଭ ହୋଇଛି।

ପ୍ରମିଳାଙ୍କ ଅଭିଯୋଗ ଅନୁସାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଡୁମୁଡୁମା ଶାଖାରେ ତାଙ୍କର ଆକାଉଣ୍ଟ ଅଛି। ସେଥିରେ ୯୦ହଜାର ଟଙ୍କା ଥିଲା। ଆଜି କିଛି ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯାଇଥିଲେ। ମାତ୍ର ଆକାଉଣ୍ଟରେ ଯ‌ଥ‌େଷ୍ଟ ବାଲାନ୍‌ସ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ଜମା ବହି ଯାଞ୍ଚ କରିବା(ଅପ୍‌ଡେଟ୍‌) ପରେ ବ୍ୟାଙ୍କ ପକ୍ଷରୁ ଯାହା କୁହାଗଲା, ସେଥିରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ଅନ୍‌ଲାଇନ୍‌ ସପିଂ ଜରିଆରେ ତାଙ୍କର ସବୁତକ ଟଙ୍କା ସରିଯାଇଛି ବୋଲି ବ୍ୟାଙ୍କର ଅଧିକାରୀ ତାଙ୍କୁ କହିଥିଲେ। ଗତ ଅଗଷ୍ଟ ୮ ତାରିଖରୁ ସେପ୍ଟେମ୍ବର ୨୯ତାରିଖ ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟରୁ ସପିଂ କରାଯାଇଛି ବୋଲି ଜଣାପଡ଼ିଥିଲା। କେତେବେଳେ ଗୁଗୁଲ୍ ପେ’ ତ କେତେବେଳେ ପେଟିଏମ୍‌ ଭଳି ସଂସ୍ଥା ବ୍ୟବହାର କରି କେହି ୯୦ ହଜାର ଟଙ୍କା ସାରି ଦେଇଥିବା ଜଣାପଡ଼ିଥିଲା। ବଡ଼ କଥା ହେଉଛି ନିଜେ ପ୍ରମିଳା ଆଣ୍ଡ୍ରଏଡ୍‌ ଫୋନ୍‌ର ବ୍ୟବହାର ଜାଣିନାହାନ୍ତି। ଏମିତିକି ତାଙ୍କ ପରିବାରରେ କେହି ଏଭଳି ଅନ୍‌ଲାଇନ୍‌ ବ୍ୟବସ୍ଥା ବାବଦରେ ଜାଣିନଥିବା ମଧ୍ୟ ସେ ଦାବି କରିଛନ୍ତି। ତେଣୁ ପ୍ରଥମେ ରାଗରେ ପ୍ରମିଳା ବ୍ୟାଙ୍କର କର୍ମଚାରୀମାନଙ୍କୁ ଏଥିପାଇଁ ଦାୟୀ କରିଥିଲେ। କେହି କର୍ମଚାରୀ ଏଭଳି କାଣ୍ଡ କରିଛି ବୋଲି ଅଭିଯୋଗ କରିଥିଲେ। ମାତ୍ର ଶାଖା ପ୍ରବନ୍ଧକ ତାଙ୍କୁ ବୁଝାସୁଝା କରି ଖଣ୍ଡଗିରି ଥାନାକୁ ପଠାଇଥିଲେ। ପୁଲିସ ଏତଲା ମିଳିଲେ ବ୍ୟାଙ୍କ ପକ୍ଷରୁ ଯାଞ୍ଚ କରାଯିବ ବୋଲି ଶାଖା ପ୍ରବନ୍ଧକ ତାଙ୍କୁ ବୁଝାଇଥିଲେ। ତେଣୁ ଖଣ୍ଡଗିରି ଥାନାକୁ ଯାଇ ପ୍ରମିଳା ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସୂଚନାନୁସାରେ ପ୍ରମିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଭଳି ଅନଲାଇନ୍‌ ସପିଂ ବ୍ୟବସ୍ଥା ସହ ସଂଯୋଗ କରାଯାଇଛି ଓ କେଉଁ ମୋବାଇଲ୍‌ ନମ୍ବରରେ ଏଭଳି କାରବାର ହୋଇଛି, ତାହା ବ୍ୟାଙ୍କରୁ ମିଳିଯିବ। ପରେ ପ୍ରକୃତରେ ଏହି କାଣ୍ଡ ପଛରେ କାହାର ହାତ ଅଛି, ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର