୯୦ ହଜାର ଟଙ୍କା ଲୁଟିନେଲେ ସାଇବର୍‌ ଠକ, ଆମାଜନ୍‌ରେ ଚାକିରି ଦେବାକୁ କହି ମହିଳାଙ୍କୁ ଠକେଇ

ଭୁବନେଶ୍ବର : ଡୁମୁଡୁମା ଫେଜ୍-୪ ଅଞ୍ଚଳର ଜଣେ ମହିଳାଙ୍କୁ ସାଇବର ଠକ ଚୂନ ଲଗାଇଛନ୍ତି। ଆମାଜନ୍‌ରେ ଚାକିରି ଦେବାକୁ କହି ତାଙ୍କ ଆକାଉଣ୍ଟ୍‌ରୁ ୯୦ ହଜାର ଟଙ୍କା ଚଳୁ କରିଦେଇଛନ୍ତି। ଏନେଇ ମହିଳାଜଣଙ୍କ ସାଇବର୍ ହେଲ୍ପ ଡେସ୍କ୍‌ରେ ଅଭିଯୋଗ କରିଛନ୍ତି।

ଠକେଇର ଶିକାର ହୋଇଥିବା ମହିଳା ଜେ. ହେମଲତାଙ୍କୁ ଗତ ୧୫ତାରିଖରେ ଏକ ମେସେଜ୍ ଆସିଥିଲା। ଉଲ୍ଲେଖ ଥିଲା, ଆମାଜନ୍‌ରେ ଜରୁରୀକାଳୀନ ଭାବେ ୨ଜଣଙ୍କୁ ନିଯୁକ୍ତି ଦିଆଯିବ। ଯୋଗାଯୋଗ ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ। ଠକ ଦେଇଥିବା ଲିଙ୍କ୍‌ରେ କ୍ଲିକ୍ କରିବା ପରେ ଏକ ହ୍ବାଟ୍ସଆପ୍(୮୯୬୯୪୯୩୮୬୦) ନମ୍ବର ଦିଆଯାଇଥିଲା। ଉକ୍ତ ନମ୍ବରରେ ହେମଲତା ଯୋଗାଯୋଗ କରିବା ପରେ ତାଙ୍କୁ ସାଇବର ଠକ ଟେଲିଗ୍ରାମ୍‌ରେ ଆସି ଫର୍ମ ପଂଜୀକରଣ କରିବାକୁ କହିଥିଲା। ମହିଳା ଜଣକ ଟେଲିଗ୍ରାମ୍‌ରେ ୭୫୫୦୬୧୬୯୨୯ ନମ୍ବରରେ ଯୋଗାଯୋଗ କରିବା ପରେ ସାଇବର ଠକ ଫର୍ମ ପଂଜୀକରଣ କରିବା ପାଇଁ କିଛି ନିୟମାବଳୀ କହିଥିଲା। ନିୟମାବଳି ଆଳରେ ଠକ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍ ନମ୍ବର ନେଇ ମୋବାଇଲ୍‌କୁ ଓଟିପି ପଠାଇଥିଲା। ଉକ୍ତ ଓଟିପି ବ୍ୟବହାର କରି ତାଙ୍କ ଆକାଉଣ୍ଟ୍‌ରୁ ୯୦ହଜାର ଟଙ୍କା ଚଳୁ କରି ଦେଇଥିଲା। ଏନେଇ ସେ ସାଇବର ସେଲ୍‌ରେ ଅଭିଯୋଗ କରିବା ସହ ଖଣ୍ଡଗିରି ଥାନାରେ ବି ଲିଖିତ ଅଭିଯୋଗ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର