କଟକ : ଭୁବନେଶ୍ବର ପଟିଆରେ ଜମି ଯୋଗାଇବାର ପ୍ରତିଶ୍ରୁତି ଦେଇ ଦୁଇ ଜମି ବ୍ୟବସାୟୀ ଜଣେ ରିୟଲଇଷ୍ଟେଟ୍ ସଂସ୍ଥାକୁ ଠକିଛନ୍ତି। ଦୁଇ ବର୍ଷରେ ୧ କୋଟି ୧୧ ଲକ୍ଷ ଟଙ୍କା ଠକିଥିବା ଭଳି ସଂଗିନ ଅଭିଯୋଗ ସଦର ଥାନାରେ ହୋଇଛି। ଜମି ଦେବାକୁ କହିଥିବା ଦୁଇ ବ୍ୟବସାୟୀ ଧରାଛୁଆଁ ଦେଉ ନଥିବା ବେଳେ ଟଙ୍କା ଫେରସ୍ତ ବି କରୁନାହାନ୍ତି।
ସୂଚନା ଅନୁଯାୟୀ, ସଦର ଥାନା ଗୋପାଳପୁର ଅଞ୍ଚଳର ଗୁରୁଦେବ ରିୟଲକନ୍ ପ୍ରାଇଭେଟ୍ ଲିମିଟେଡକୁ ମଧୁପାଟଣା ଥାନା ପୋପରଡ଼ା ଓ ସଦର ଥାନା ଉରାଳି ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଭୁବନେଶ୍ବର ପଟିଆ ଅଞ୍ଚଳରେ ଜମି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ୨୦୨୦ ଫେବ୍ରୁଆରିରୁ ଆଜି ସୁଦ୍ଧା ଦୁଇ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ କୋଟି ୧୧ ଲକ୍ଷ ଟଙ୍କା ରିୟଲକନ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ପ୍ରକାଶ ମହାନ୍ତି ପଠାଇଛନ୍ତି। ଏବେ ପ୍ରକାଶ ପଟିଆରେ ଚିହ୍ନଟ ହୋଇଥିବା ଜମିରେ ଭିତ୍ତିଭୂମି ସଜାଡ଼ୁଥିବା ବେଳେ ଅନ୍ୟ ଏକ ସଂସ୍ଥା ତାଙ୍କୁ ବିରୋଧ କରିଥିଲା। ଏ ସମ୍ପର୍କରେ ପ୍ରକାଶ ଟଙ୍କା ନେଇଥିବା ଉକ୍ତ ଦୁଇ ବ୍ୟକ୍ତିଙ୍କୁ ପଚରାଉଚରା କରିବାକୁ ଉଦ୍ୟମ କଲା ବେଳେ ଖୋଜଖବର ମିଳୁନାହିଁ। ଅନ୍ୟ ଏକ ସଂସ୍ଥାକୁ ଏହି ଜମି ବିକ୍ରି ଯୋଜନା ହୋଇଛି। ଏଭଳି ଠକେଇ ସମ୍ପର୍କରେ ପ୍ରକାଶ ସଦର ଥାନାରେ ଅଭିଯୋଗ କରି ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/money-fff.jpg)
