ଝାଡ଼ୁଦାର ନିଯୁକ୍ତି ନାଁରେ ଚୂନ ଲଗାଇଲା ଠିକା ସଂସ୍ଥା: କ୍ୟାପିଟାଲ ହସ୍ପିଟାଲରୁ ଠକି ନେଲା ୨କୋଟି

ହଟିଲେ ସଂସ୍ଥାର ପରିଚାଳକ, ଚୁପ୍ ବସିଛନ୍ତି ହସ୍ପିଟାଲ କର୍ତୃପକ୍ଷ

ଭୁବନେଶ୍ୱର : କ୍ୟାପିଟାଲ୍ ହସ୍ପିଟାଲକୁ ଚୂନ ଲଗାଇଛି ଝାଡ଼ୁଦାର ନିଯୁକ୍ତି ଦେଇଥିବା ଠିକା ସଂସ୍ଥା। ହସ୍ପିଟାଲ୍‌ ପାଇଁ ଆବଶ୍ୟକ ଥିବା ଝାଡ଼ୁଦାର ନିଯୁକ୍ତି ନଦେଇ ୨କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ଆସିଛି। ହସ୍ପିଟାଲ କର୍ତୃପକ୍ଷ ଏଭଳି ଠକାମି ସଂପର୍କରେ ଜାଣିଛନ୍ତି। ତେବେ ଘଟଣାକୁ ଚପାଇଦେବା ଲାଗି ତରବରିଆଭାବେ ଉକ୍ତ ଠିକା ସଂସ୍ଥାର ପରିଚାଳକଙ୍କୁ ହଟାଇ ଦିଆଯାଇଛି। ତେବେ ପ୍ରଶ୍ନ ଉଠୁଛି ୨କୋଟି ଟଙ୍କା ଠକି ନେଇଥିବା ଏହି ସଂସ୍ଥାଠାରୁ କିଭଳି ଅର୍ଥ ଆଦାୟ କରାଯିବ ? ବର୍ତମାନ ସୁଦ୍ଧା ହସ୍ପିଟାଲ କର୍ତୃପକ୍ଷ କାହିଁକି ଥାନାରେ ଅଭିଯୋଗ କରି ନାହାନ୍ତି ? ଟଙ୍କା ଆଦାୟ ନ କରି କିଭଳି ଉକ୍ତ କର୍ମଚାରୀଙ୍କୁ କାହିଁକି ହଟାଗଲା? ହସ୍ପିଟାଲ କର୍ତୃପକ୍ଷଙ୍କ ଏସବୁ ପଦକ୍ଷେପ ଘଟଣାକୁ ଅଧିକ ରହସ୍ୟମୟ କରି ପକାଇଛି।

ସୂଚନା ଅନୁସାରେ, କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଉଟ୍‌ସୋର୍ସିଂ କମ୍ପାନି ‘ପ୍ରତ୍ୟୁଷ୍’ କୁ ତିନି ବର୍ଷିୟା ଚୁକ୍ତିରେ ଝାଡ଼ୁଦାରମାନଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟେକ ଦିନ କେତେ ସଂଖ୍ୟକ ଝାଡ଼ୁଦାର କାର୍ଯ୍ୟ କରିବେ ସେ ନେଇ ଟେଣ୍ଡରରେ ଉଲ୍ଲେଖ ରହିଥିଲା। ମାତ୍ର ହସ୍ପିଟାଲରେ ଠିକ୍‌ରେ ସଫେଇ ହେଉ ନ ଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା। ଆଉଟ୍‌ସୋର୍ସିଂ ସଂସ୍ଥା ଦ୍ବାରା ନିଯୁକ୍ତ କର୍ମଚାରୀମାନେ ଠିକରେ କାମ କରୁ ନ ଥିବା ନେଇ ଅଭିଯୋଗ ପରେ ଗତ ରୋଗୀ କଲ୍ୟାଣ ସମିତି ବା ଆର୍‌କେଏସ୍ ବୈଠକରେ ଏ ନେଇ ଆଲୋଚନା କରାଯାଇଥିଲା। ଏହାର ତଦନ୍ତ କରିବାକୁ ଜିଲ୍ଲାପାଳ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ହସ୍ପିଟାଲର ଏକ ଉଚ୍ଚସ୍ତରୀୟ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ। ଅଚାନକ୍‌ ଚଢ଼ାଉରେ ଜଣାପଡ଼ିଥିଲା ଯେ ଯେତିକି ଝାଡ଼ୁଦାର ଯୋଗାଇବା ଲାଗି ସଂସ୍ଥା ସହିତ ଚୁକ୍ତି ହୋଇଥିଲା, ତାହାର ୫୦ ପ୍ରତିଶତ କର୍ମଚାରୀ ହସ୍ପିଟାଲରେ କାମ କରୁଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଠିକା ସଂସ୍ଥା ‘ପ୍ରତ୍ୟୁଷ’ର ଅଧିକାରୀ ରାକେଶ ରାଏଙ୍କୁ ଜବାବ ମାଗିଥିଲେ। କିନ୍ତୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ତେଣୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏ ବାବଦରେ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରିଥିଲେ।

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ‘ପ୍ରତ୍ୟୁଷ’ ଅଧିକାରୀ ରାକେଶ ରାଏଙ୍କୁ ଗତ ସପ୍ତାହରେ କାର୍ଯ୍ୟରୁ ହଟେଇ ଆଉ ଜଣେ ନୂଆ ପରିଚାଳକଙ୍କୁ ନିଯୁକ୍ତି ଦିଆଯାଇଛି। ହସ୍ପିଟାଲରେ ୨୪୪ଜଣ ଝାଡ଼ୁଦାର ପାଇଁ ଚୁକ୍ତି ହୋଇଥିଲା। କାଗଜପତ୍ରରେ ସବୁକିଛି ଠିକ୍ ଥିବା ବେଳେ ପ୍ରକୃତରେ ୫୦ ପ୍ରତିଶତ କର୍ମଚାରୀ ହିଁ ବିଭିନ୍ନ ପର୍ଯ୍ୟାୟରେ ଡ୍ୟୁଟି କରୁଥିଲେ। ଝାଡ଼ୁଦାରମାନଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ଦୈନିକ ୩୬୬ ଟଙ୍କା ହସ୍ପିଟାଲ୍‌ ପାଣ୍ଠିରୁ ପାଉଥିଲେ। ମାସକୁ ୨୬ ଦିନ ହିସାବରେ ୨୪୪ ଜଣ ଝାଡ଼ୁଦାରଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲ ମାସିକ ୨୩ ଲକ୍ଷ ୨୧ ହଜାର ୯୦୪ ଟଙ୍କା ଖର୍ଚ କରୁଥିଲା। ଗତ ୨୦ ମାସରେ ହସ୍ପିଟାଲ ତରଫରୁ ଏ ବାବଦରେ ମୋଟ ୪ କୋଟି ୬୪ ଲକ୍ଷ ୩୮ ହଜାର ୮୦ ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ହସ୍ପିଟାଲ କର୍ତ୍ତପକ୍ଷଙ୍କ ଅନୁସାରେ ୫୦ ପ୍ରତିଶତ ଝାଡ଼ୁଦାର କାମ କରିଛନ୍ତି। ତେଣୁ ୨୦ ମାସ ଭିତରେ ଠିକା ସଂସ୍ଥା ଝାଡ଼ୁଦାରଙ୍କ ବିଲ୍‌ ବାବଦରେ ହସ୍ପିଟାଲ୍‌ରୁ ୨ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅନୁମାନ କରାଯାଉଛି। ତେବେ ଏହି ହେରଫେରରେ କେବଳ ସଂପୃକ୍ତ ସଂସ୍ଥାର ପରିଚାଳକ ସଂପୃକ୍ତ ନା ଏହା ପଛରେ ଅନ୍ୟମାନେ ରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଏ ନେଇ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି ‌ଯେ ଠିକାସଂସ୍ଥାର ପରିଚାଳକଙ୍କୁ ଛଟେଇ କରାଯାଇଛି। ତଦନ୍ତ ରିପୋର୍ଟକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି। ମାମଲା କିଭଳି ଆଗକୁ ବଢ଼ିବ ତାହାକୁ ନେଇ ବିଚାର ବିମର୍ଷ ଚାଲିଛି।

ସମ୍ବନ୍ଧିତ ଖବର