ବିଏମ୍‌ସିରେ ୫୪ କୋଟିର ଭାଉଚର୍‌ ମିଳୁନି

ଲୋକାୟୁକ୍ତରେ ବ୍ୟକ୍ତିଗତ ହାଜର ହେବେ ସିଟି ଇଞ୍ଜିନିୟର, ହଜି ଯାଇଛି ନା ଲୁଚାଇଛନ୍ତି?

ଭୁବନେଶ୍ୱର : ୫୪ ହଜାର କିମ୍ବା ୫୪ଲକ୍ଷ ନୁହେଁ, ବରଂ ବିଏମ୍‌ସି ଇଞ୍ଜିନିୟରିଂ ଉପବିଭାଗରେ ୫୪କୋଟି ଟଙ୍କାର ହିସାବ ମିଳୁନି। ବିଏମ୍‌ସି ଖର୍ଚ୍ଚ ହୋଇଥିବା ହିସାବ ଦେଖାଉଥିଲେ ମଧ୍ୟ ଭାଉଚର୍‌ ନାହିଁ। ଏହି ୫୪ କୋଟିର ଭାଉଚର୍‌ ଥିବା ୧୪୦ଟି ଫାଇଲ ଉଭାନ୍‌ ହୋଇଯାଇଛି। ଏହାକୁ ଅଡିଟ୍‌ ଟିମ୍‌ ଧରିଛନ୍ତି। ଧାର୍ଯ୍ୟ ଅବଧି ମଧ୍ୟରେ ଫାଇଲ୍‌ ଦାଖଲ ନ ହେବାରୁ ସମ୍ପୃକ୍ତ ଅଧିକାରୀରଙ୍କଠାରୁ ଏହି ୫୪ କୋଟି ଅସୁଲ କରିବାକୁ ଅଡିଟ୍‌ ସୁପାରିସ କରିଛନ୍ତି। ସମୟ ଅବଧି ଚାଲି ଯାଇଥିଲେ ମଧ୍ୟ ଆଦାୟ ହେଉନଥିବାରୁ ଏହି ମୋଟାଅଙ୍କର ଅର୍ଥକୁ ମିଳିମିଶି ଚଳୁ କରି ଦେଇଥିବା ଅଭିଯୋଗରେ ମାମଲା ଲୋକାୟୁକ୍ତରେ ପହଞ୍ଚିଛି। ବିଏମ୍‌ସି କେବଳ ସମୟ ମାଗି ତାରିଖ ପରେ ତାରିଖ ଗଡ଼ାଉଛି, ହେଲେ ଫାଇଲ୍‌ ଦାଖଲ କରୁନି। ଏଣୁ ଲୋକାୟୁକ୍ତ ବିରକ୍ତି ପ୍ରକାଶ କରିବା ସହ କଠୋର ହୋଇଛନ୍ତି। ଜୁଲାଇ ୧୧ ତାରିଖରେ ଥିବା ପରବର୍ତ୍ତୀ ଶୁଣାଣି ତାରିଖରେ ବିଏମ୍‌ସି ସିଟି ଇଞ୍ଜିନିୟର ବ୍ୟକ୍ତିଗତ ଭାବେ ହାଜର ହୋଇ ଏହାର ଉତ୍ତର ରଖିବାକୁ ଲୋକାୟୁକ୍ତ ଆଦେଶ ଦେଇଛନ୍ତି। ବଡ଼କଥା ହେଉଛି, ସିଟି ଇଞ୍ଜିନିୟର ଅରୁଣ ନାୟକ ବ୍ୟକ୍ତିଗତ ଭାବେ ହାଜର ହେଉଛନ୍ତି ବୋଲି ବିଏମ୍‌ସି କମିସନର ସଞ୍ଜୟ ସିଂହ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି।

ଏବେ ପ୍ରଶ୍ନ ଉଠୁଛି ଏହି ଫାଇଲ୍‌ ବିଏମ୍‌ସିରୁ କିଭଳି ଗାୟବ ହୋଇଗଲା? ବାସ୍ତବରେ କାମ ହୋଇଛି ନା ଭାଗ ବାଣ୍ଟି ହଡ଼ପ କରି ଦେଇଛନ୍ତି? ହଡ଼ପ କରିନେଇଥିବାରୁ କାର୍ଯ୍ୟାନୁଷ୍ଠାନ ଭୟରେ ଫାଇଲ୍‌କୁ ଜାଣି ଜାଣି ଗାୟବ କରି ଦେଇ ନାହାନ୍ତି ତ? ଏଭଳି ଅନେକ ପ୍ରଶ୍ନ ଏବେ ଇଞ୍ଜିନିୟରିଂ ଉପବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ବିବାଦକୁ ଟାଣିଛି। ତେବେ କେବଳ ଏହି ଗୋଟିଏ ଅଭିଯୋଗ ନୁହେଁ, ବିନା ଟେଣ୍ଡର୍‌ରେ କୋଟି କୋଟି ଟଙ୍କାର କାମ କରାଯାଇଛି। ଅନେକ ଜାଗାରେ ନିମ୍ନମାନର ଓ ଅନେକ ଜାଗାରେ ବିନା କାମରେ ସମ୍ପୂର୍ଣ୍ଣ ଅର୍ଥ ହଡ଼ପ କରି ନିଆଯାଇଥିବା ଅଭିଯୋଗ ରହିଛି। ପୂର୍ବରୁ କେତେକ ଜାଗାରେ ଭଲ ରାସ୍ତା ଥିଲେ ମଧ୍ୟ ତାକୁ ଖୋଳି ପେଭର୍‌ ବ୍ଲକ୍‌ ପକାଯାଇଥିବା ଖବର ‘ସମ୍ବାଦ’ ରେ ପ୍ରକାଶ ପାଇ ସାରିଛି। ଯୋଜନାବଦ୍ଧ ଭାବେ ଦୀର୍ଘ ଦିନ ଧରି ଚାଲିଥିବା ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାକୁ ଏହି ଘଟଣା (୫୪ କୋଟିର ମାମଲା) ପ୍ରମାଣିତ କରୁଛି।

Times of India

ଉଲ୍ଲେଖଯୋଗ୍ୟ, ୨୦୨୦ ମସିହା ଅଡିଟ୍‌ ସମୟରେ ଇଞ୍ଜିନିୟରିଂ ଉପବିଭାଗର ୪୯୦ ଫାଇଲ୍‌ରୁ ଲୋକାଲ ଫଣ୍ଡ ଅଡିଟ୍‌ ପାଖରେ ୩୫୦ ଫାଇଲ୍‌ ଦାଖଲ କରାଯାଇଥିଲା। ବାକି ୧୪୦ ଫାଇଲ୍‌ରେ ୫୪ କୋଟି ଟଙ୍କାର ହିସାବ ରହିଥିଲା। ଏହି ସବୁ ଫାଇଲ୍‌ ଦାଖଲ କରିବାକୁ ଅଡିଟ୍‌ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ‘ଆମେ ଖୋଜୁଛୁ, ଖୁବ୍‌ଶୀଘ୍ର ଦାଖଲ କରିବୁ’ ବୋଲି ବିଏମ୍‌ସି କହି ବସି ଯାଇଥିଲା। ଫାଇଲ୍‌ ଦାଖଲ କରିବାକୁ ଅଡିଟ୍‌ ପକ୍ଷରୁ ପ୍ରାୟ ୬ଥର ବିଏମ୍‌ସିକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ବିଏମ୍‌ସି ଦାଖଲ କରିନଥିଲା। ଇତିମଧ୍ୟରେ ବର୍ଷେ ବିତିଯିବାରୁ ଏହି ଅର୍ଥ ଅଧିକାରୀମାନଙ୍କଠାରୁ ଅସୁଲ କରିବାକୁ ଅଡିଟ୍‌ ସୁପାରିସ କରିଥିଲା। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ନା ଫାଇଲ୍‌ ଖୋଜିଲେ ନା ଅଡିଟ୍‌ ସୁପାରିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ। ଏଣୁ ମାମଲା ଲୋକାୟୁକ୍ତରେ ପହଞ୍ଚିଥିଲା। ସେଠାରେ ବିଏମ୍‌ସି ଫାଇଲ୍‌ ଦାଖଲ କରିବ ବୋଲି ୪ଟି ତାରିଖ ନେଇଥିଲା। କିନ୍ତୁ ଫାଇଲ୍‌ ଦାଖଲ ନ କରିବାରୁ ଲୋକାୟୁକ୍ତ ସିଟି ଇଞ୍ଜିନିୟରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍‌ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ବିଏମ୍‌ସି ଅଳିଆ ପକା-ଉଠାରେ ୧୧ କୋଟି ହେରଫେର୍‌ ହୋଇଥିବା ଅଡିଟ୍‌ ଧରିବା ପରେ ପରିମଳ ଉପବିଭାଗରେ କାମ କରୁଥିବା ୧୨ଜଣ କର୍ମଚାରୀଙ୍କଠାରୁ ଏହି ଅର୍ଥ ଆଦାୟ କରିବାକୁ ସୁପାରିସ କରିଥିଲେ। କିନ୍ତୁ ବିଏମ୍‌ସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମାମଲା ଲୋକାୟୁକ୍ତକୁ ଯାଇଥିଲା। ତାହା ଏବେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର