ବିଏମ୍‌ସିର ୬୯୦ କୋଟିର ଚିଠା ବଜେଟ୍‌

ପରିଚାଳନା ଓ ରକ୍ଷଣାବେକ୍ଷଣକୁ ଗୁରୁତ୍ବ, ସହର ଉପକଣ୍ଠ ପ୍ରତି ନଜର ପଡ଼ିଲା

ପୁରୁଣା ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଏମ୍‌ସିର ଚିଠା ବଜେଟ୍‌ ଆଜି କାଉନସିଲ୍‌ ବୈଠକରେ ଉପସ୍ଥାପିତ ହୋଇଛି। ବଜେଟ୍‌ର ଆକାର ୬୯୦ କୋଟି ଟଙ୍କାରୁ ଅଧିକ ରହିଛି। ଏଥିରେ ମୁଖ୍ୟତଃ ବିଭିନ୍ନ ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦିଆଯାଇଛି। ବିଏମ୍‌ସିର ନିଜସ୍ୱ ଆୟ ୫୮୯ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଆସନ୍ତା ମାସରେ ହେବାକୁ ଥିବା କାଉନ୍‌ସିଲ୍‌ ବୈଠକରେ ବଜେଟ୍‌ ଉପରେ କର୍ପୋରେଟର୍‌ମାନେ ନିଜ ନିଜ ମତାମତ ରଖିବେ। ତାହା ଉପରେ ଆଲୋଚନା ହୋଇ ବଜେଟ୍‌ ପାରିତ ହେବ ଓ ଅନୁମୋଦନ ପାଇଁ ନଗର ଉନ୍ନୟନ ବିଭାଗକୁ ପଠାଯିବ।

ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର ବୈଠକରେ ବଜେଟ୍‌ ଉପସ୍ଥାପନ ହେବା ସହ କେଉଁ କ୍ଷେତ୍ରରେ କେତେ ଟଙ୍କା କିପରି ଖର୍ଚ୍ଚ ହେବ ସେ ସମ୍ପର୍କରେ କର୍ପୋରେଟର୍‌ମାନଙ୍କୁ ସବିଶେଷ ସୂଚନା ଦିଆଯାଇଥିଲା। ଷ୍ଟାଣ୍ଡିଂ କମିଟି (ଅର୍ଥ) ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ କହିଥିଲେ ଯେ ବଜେଟ୍‌ ଉପରେ କର୍ପୋରେଟର୍‌ମାନେ ମତାମତ ଦେବା ସହ କେଉଁ କ୍ଷେତ୍ରରେ ଅଧିକ ଅର୍ଥ ଚାହୁଛନ୍ତି ସେନେଇ ପ୍ରସ୍ତାବ ରଖିବେ। ସମସ୍ତ ପ୍ରସ୍ତାବକୁ ବିଚାରକୁ ନେବା ପରେ ଚୂଡ଼ାନ୍ତ ବଜେଟ୍‌ ପ୍ରସ୍ତୁତ ହେବ। ବଜେଟ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ୨୦୩କୋଟି ୬୪ଲକ୍ଷ, ଅଫିସ୍‌ ପରିଚାଳନା ପାଇଁ ୯୫କୋଟି ୧୫ଲକ୍ଷ, ପ୍ରଶାସନିକ ଖର୍ଚ ୧୫କୋଟି ୧୨ଲକ୍ଷ, ଋଣର ସୁଧ ବାବଦ ୩କୋଟି ୬୨ଲକ୍ଷ, ବିଏମ୍‌ସି ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତା ସଭା ପାଇଁ ୪କୋଟି ୭୭ଲକ୍ଷ , ଅନୁଦାନ ବଣ୍ଟନ ୬୫କୋଟି ୨୫ଲକ୍ଷ ବ୍ୟୟ ଅଟକଳ କରଯାଇଛି। ‌ପ୍ରସ୍ତୁତ ହୋଇଥିବା ବଜେଟ୍‌ରେ ପଛୁଆ ୱାର୍ଡଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ରହିଛି। ବିଶେଷ କରି ସହର ଉପକଣ୍ଠରେ ରହିଥିବା ୱାର୍ଡଗୁଡ଼ିକୁ ଅଧିକ ପାଣ୍ଠି ଯୋଗାଇବାକୁ ସ୍ଥିର ହୋଇଛି।

ବକେୟା ରାଜସ୍ବ ଆଦାୟ ପାଇଁ କର୍ପୋରେଟର୍‌ଙ୍କ ସହଯୋଗ ଲୋଡ଼ାଯିବ

ଏଥିରେ ପାଣ୍ଡରା, ନଖରା, ହରିଦାସପୁର, ସୁବୁଦ୍ଧିପୁର ଭଳି ଗ୍ରାମାଞ୍ଚଳ ତାଲିକାଭୁକ୍ତ ଅଛି। ରାଜଧାନୀର ସମସ୍ତ ଅଞ୍ଚଳ ଏବଂ ନୂତନ ଭାବରେ ମିଶିଥିବା ଗ୍ରାମାଞ୍ଚଳଗୁଡ଼ିକରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ଯୋଜନାକୁ ଶତ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖଯାଇଛି। ବଜେଟ୍‌ରେ ପାର୍କ, ନୂତନ ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟ, କଂସେଇ ଖାନା, କମ୍ୟୁନିଟି କେନ୍ଦ୍ର, ନୂତନ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି। ବଜେଟ୍‌ରେ ସମସ୍ତ ଅଞ୍ଚଳର ବିକାଶ ତଥା ସମସ୍ତ ବର୍ଗର ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ମେୟର ଶ୍ରୀମତୀ ଦାସ କହିଛନ୍ତି। ଆଜିର ବୈଠକରେ ବିଧାୟକ ସୁଶାନ୍ତ ରାଉତ, କମିସନର୍‌ ବିଜୟ ଅମୃତା କୁଲାଙ୍ଗେ, ଡେପୁଟି ମେୟର, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ସିଇଓ, ଫାଇନାନସ୍‌ କମିଟି ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

ବଜେଟ୍‌ ଉପସ୍ଥାପନ ହେଲା ପରେ ବହୁ ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଥିଲା। ବିଏମ୍‌ସିର ସାଉଥ୍‌ ଇଷ୍ଟ୍‌ ଜୋନ୍‌ କାର୍ଯ୍ୟାଳୟ ଚାଲିଥିବା ବିଲ୍ଡିଂରେ ୧୬ଲକ୍ଷ ଟଙ୍କା ହୋଲ୍‌ଡିଂ ଟାକ୍ସ ବାକି ରହିଛି। ଅଥଚ ସେହି ଘରରେ ଭଡ଼ାରେ ଅଫିସ୍‌ ଚାଲିବା ପାଇଁ ମାସକୁ ୧ଲକ୍ଷ ଟଙ୍କା ଭଡ଼ା ବିଏମ୍‌ସି ଦେଉଛି। ଉକ୍ତ ୧୬ ଲକ୍ଷ ଟଙ୍କା କାହିଁକି ଆଦାୟ ନହୋଇ ଏପରି ୧ଲକ୍ଷ ମାସକୁ ଦିଆଯାଉଛି ବୋଲି କର୍ପୋରେଟର ନୃପେଶ ନାୟକ ପ୍ରଶ୍ନ କରିଥିଲେ। ସେହିପରି ୨ମାସ ପୂର୍ବରୁ ବୃକ୍ଷରୋପଣ ଓ ଏହାର ସୁରକ୍ଷା ପାଇଁ ୫୦ଲକ୍ଷ ଟଙ୍କା ବିଏମ୍‌ସି ବିଭିନ୍ନ ସଂସ୍ଥାକୁ ଦେଇଛି। ଏହି ଟଙ୍କାରେ କେଉଁଠି ଓ କେ‌ତେ ଗଛ ଲାଗିଲା ତାହାର ସମ୍ପୂଣ୍ଣ ତଥ୍ୟ ଶ୍ରୀ ନାୟକ ମାଗିଥିଲେ। ଅଧିକାରୀମାନେ ଏହାର ଠିକ୍‌ ଉତ୍ତର ଦେଇପାରିନଥିଲେ। ସେହିପରି ବିଏମ୍‌ସି ହସ୍ପିଟାଲର ନର୍ସିଂହୋମ୍‌ ଓ ବିଭିନ୍ନ ବିଭାଗ ସମ୍ପର୍କରେ କର୍ପୋରେଟର ଚନ୍ଦ୍ରଶେଖର ମଲିଆ ପ୍ରଶ୍ନ କରି ସମସ୍ୟା ସମାଧାନ ପାଇଁ ଦାବି ଉଠାଇଥିଲେ। ବିଏମ୍‌ସିର ବିଭିନ୍ନ ପ୍ରକଳ୍ପରେ ଲାଗୁଥିବା ଫଳକରେ କାହା ନାମ ରହିବ, ତାହାକୁ ନେଇ ବୈଠକରେ ବାଦବିବାଦ ହୋଇଥିଲା। ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ନାମ ରହିବା ପାଇଁ ଦୁଇ ଜଣ ବରିଷ୍ଠ କ‌ର୍ପୋରେଟର୍‌ ଯୁକ୍ତି ବାଢ଼ିଥିଲେ। ତେବେ ଏହା ଉପରେ କୌଣସି ନିଷ୍ପତ୍ତି ହୋଇ ନଥିଲା।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବକେୟା ରାଜସ୍ବ ଆଦାୟ ପାଇଁ କର୍ପୋ‌ରେଟର୍‌ଙ୍କ ସହଯୋଗ ଲୋଡ଼ାଯିବ। ବିଭିନ୍ନ ୱାର୍ଡରେ ଅଧିକ ରାଜସ୍ବ ଖିଲାପକାରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯିବ। ଏହି ତାଲିକା କର୍ପୋରେଟର୍‌ଙ୍କୁ ଦିଆଯିବ। ସେମାନଙ୍କ ସହଯୋଗରେ ଏହାକୁ ଆଦାୟ କରାଯିବ। ସେହିପରି ବିଏମ୍‌ସି ଅଞ୍ଚଳରେ ଥିବା ଅଙ୍ଗନବାଡ଼ିଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ‌ଲେଖାଯିବ। ମୁକ୍ତା ଯୋଜନା ପରି ବିଭିନ୍ନ ଯୋଜନାରେ ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର