ଗାଡ଼ି କାଗଜପତ୍ର ଯାଞ୍ଚ କୋହଳ ସମୟ ସୀମାକୁ ଆଉ ମାସେ : ବିଭାଗ ସାଇଟ୍‌ ବନ୍ଦ, ଅନିଶ୍ଚିତତା ଭିତରେ ଚ‌ାଳକ

ଭୁବନେଶ୍ବର : ସଂଶୋଧିତ ମୋଟରଯାନ ଆଇନ ୨୦୧୯ ସେପ୍ଟେମ୍ବରରେ ଲାଗୁ ହେଲା ପରେ ଆଇନ କଡ଼ାକଡ଼ି ପାଳନ କରାଯାଇଥିଲା। କିନ୍ତୁ ଲକ୍ଷାଧିକ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି କାଗଜପତ୍ର, ପଲ୍ୟୁସନ୍ ସାର୍ଟିଫିକେଟ୍, ଇନସ୍ୟୁରାନ୍ସ ନ ଥିବାରୁ ଏ ସବୁ କାଗଜପତ୍ର କରିବା ପାଇଁ ସରକାର ସମୟ ସୀମାରେ କୋହଳ କରିଥିଲେ। ପ୍ରଥମେ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ତିନି ମାସ ଓ ପରେ ଚଳିତବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ଆଉ ୩ ମାସ କୋହଳ କରାଯାଇଥିଲା। କିନ୍ତୁ ଏହା ଭିତରେ କରୋନା ପାଇଁ ଲକ୍‌ଡାଉନ୍ ଲାଗୁ ହେବା ପରେ ଜୁନ୍ ୩୦ ପର୍ଯ୍ୟନ୍ତ କୌଣସି ଗାଡ଼ି କାଗଜପତ୍ର ଯାଞ୍ଚ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଉକ୍ତ କୋହଳ ସମୟସୀମାକୁ ଆଉ ମାସେ ବାକି ରହିଛି। କିନ୍ତୁ ଏଯାଏ ଆର୍‌ଟିଓ ଅନ୍‌ଲାଇନ୍ ଆବେଦନ ସାଇଟ୍ ବନ୍ଦ ରହିଛି। କେବେ ଖୋଲିବ, ତାହା ମଧ୍ୟ ଅନିଶ୍ଚିତତା ଭିତରେ ରହିଛି।

ଲକ୍‌ଡାଉନ୍ ପରଠାରୁ ଆର୍‌ଟିଓ ଅନଲାଇନ୍ ସାଇଟକୁ ବନ୍ଦ କରି ଦିଆଯାଇଛି। ଫଳରେ ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ, ନବୀକରଣ ଲାଗି ଆଉ କେହି ଆବେଦନ କରିପାରିବେ ନାହିଁ। କିନ୍ତୁ ସ୍ଥିତି ଏବେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଛି। ଅନେକ ସ୍ଥାନରେ ଦୋକାନ ବଜାର ମଧ୍ୟ ଖୋଲି ଗଲାଣି। ଏପରିକି ବିଦେଶୀ ମଦ ମଧ୍ୟ ଉପଲବ୍ଧ ହେଲାଣି। କିନ୍ତୁ ଆରଟିଓ ଅନଲାଇନ୍ ସାଇଟ୍ ପୂର୍ବଭଳି ବନ୍ଦ ରହିଛି।

NIC, Odisha

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଲର୍ଣ୍ଣିଂ ଲାଇସେନ୍ସ ଲାଗି ପ୍ରାୟ ୧୧ଲକ୍ଷ ଚାଳକ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧ଲକ୍ଷରୁ ଅଧିକଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳି ସାରିଛି। ଆବେଦନକାରୀଙ୍କ ମଧ୍ୟରୁ ରାଜଧାନୀର ୧ଲକ୍ଷରୁ ଅଧିକ ରହିଛନ୍ତି। ‌ଧରପଗଡ଼ ପୁଣି ଜୋରଦାର ହେବା ପୂର୍ବରୁ ଲୋକମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବା ଲାଗି ଅନଲାଇନ୍ ସାଇଟ୍ ଖୋଲାଯାଉ ବୋଲି ଜଣେ ଚାଳକ କହିଛନ୍ତି। ସାମାଜିକ ଦୂରତ୍ବ ରକ୍ଷା ସହ ଅଳ୍ପସଂଖ୍ୟକ ଚାଳକ ଯାଇ ଟେଷ୍ଟ ଦେଇପାରିବାର ବ୍ୟବସ୍ଥା କରାଗଲେ, ଚାପ କମିବା ସହ ଆଗକୁ ଭିଡ଼ ମଧ୍ୟ କମିବ ବୋଲି ଚାଳକଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ ରାଜଧାନୀରେ ପଲ୍ୟୁସନ୍‌ ଟେଷ୍ଟ ଆରମ୍ଭ ହେଲାଣି। ବିଭିନ୍ନ ଛକରେ ପଲ୍ୟୁସନ୍ ପରୀକ୍ଷା କରୁଥିବା ଲାଇସେନ୍ସଧାରୀ ଗାଡ଼ି ରଖି କାମ ଆରମ୍ଭ କରିଛନ୍ତି। କିନ୍ତୁ ଗାଡ଼ି ମାଲିକଙ୍କ ସଂଖ୍ୟା ବହୁତ କମ୍‌। ଗୋଟିଏ ଦିନରେ ୧୦ଟି ଗାଡ଼ି ପଲ୍ୟୁସନ୍ ଟେଷ୍ଟ ହେବା କଷ୍ଟକର ହୋଇ ପଡ଼ୁଛି। ଏବେ ଫାଙ୍କା ସମୟରେ ଚାଳକ ପଲ୍ୟୁସନ୍ ସାର୍ଟିଫିକେଟ୍ ନେଉନାହାନ୍ତି। କିନ୍ତୁ ମୋଟରଯାନ ଆଇନ ଯେତେବେଳେ କଡ଼ାକଡ଼ି ଯାଞ୍ଚ କରାଯିବ, ସେତେବେଳେ ଭିଡ଼ ଲାଗିବ ବୋଲି କହିଛନ୍ତି ଜଣେ ଲାଇସେନ୍ସଧାରୀ। ଭୁବନେଶ୍ବର ଆରଟିଓ-୨ ସଞ୍ଜୟ ବେହେରାଙ୍କୁ ପଚାରିବାରୁ ସେ ସାଇଟ୍ କେବେ ଖୋଲିବ ତାହା ଜଣା ପଡ଼ି ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର