ଭୁବନେଶ୍ବର: ସୁଯୋଗ ହରାଇଲେ ଚାଷୀ, ବନ୍ଦ ହୋଇଗଲା ରାଜଧାନୀସ୍ଥିତ କେନ୍ଦ୍ର ସରକାରଙ୍କ ରବର ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ। ରବର ବୋର୍ଡ ପୂର୍ବତନ ଅଧ୍ୟକ୍ଷ ଭୃଗୁ ବକ୍ସିପାତ୍ରଙ୍କ ଅଭିଯୋଗ ଅନୁସାରେ, ରବର ଚାଷ ପ୍ରୋତ୍ସାହନ ପାଇଁ ଓଡ଼ିଶା ସରକାର ଦୃଷ୍ଟିନଦେବା, କେନ୍ଦ୍ର ରବର ବୋର୍ଡର ଏକପାଖିଆ ନିଷ୍ପତ୍ତି ଯୋଗୁଁ ଏହି କାର୍ଯ୍ୟାଳୟ ବନ୍ଦ ହୋଇ ଯାଇଛି। ଚାଷୀଙ୍କ ଅନୁସାରେ, ୩ ମାସ ହେଲା କାର୍ଯ୍ୟାଳୟ ବନ୍ଦ ଏବଂ ଯୋଜନା ସଙ୍କୁଚିତ କରାଯାଉଥିଲେ ମଧ୍ୟ ରାଜ୍ୟ ବିଜେଡି ସରକାର କିମ୍ବା ବିଜେପି କେହି ମଧ୍ୟ ସ୍ବର ଉଠାଉ ନାହାନ୍ତି।
ପତିତ, ପାହାଡ଼ିଆ ଜମିରେ ଯେଉଁଠି ଅନ୍ୟ ଚାଷ ହୋଇ ପାରେ ନାହିଁ, ସେଠି ରବର ଚାଷ କରି ଲାଭରେ ରୁହନ୍ତି ଚାଷୀ। ଏଥିପାଇଁ ୭ ବର୍ଷର ଲମ୍ବା ସମୟ ଲାଗୁଥିବାରୁ ରାଜ୍ୟ ଚାଷୀମାନେ ସମ୍ବଳ ଜୁଟାଇ ପାରନ୍ତି ନାହିଁ। କିନ୍ତୁ ୭ ବର୍ଷର ଅପେକ୍ଷା ପରେ ୩୦ ବର୍ଷ ପର୍ଯ୍ୟନ୍ତ ଉପାର୍ଜନର ସ୍ଥାୟୀ ତ୍ସୋତ ମିଳିଯାଏ। କେରଳରେ ସର୍ବାଧିକ ପରିମାଣରେ ଏହି ଚାଷ ହୋଇ ଭଲ ଲାଭ ମିଳେ। କିଛି ବର୍ଷ ହେଲା କେରଳ ଏହି ଚାଷ ହ୍ରାସ ପାଇବାରେ ଲାଗିଲା। ବ୍ୟବସାୟିକ ବଜାରରେ ଚାହିଦା ପୂରଣ ପାଇଁ ବିକଳ୍ପ ସ୍ବରୂପ କେନ୍ଦ୍ର ରବର ବୋର୍ଡ ତ୍ରିପୁରା ଏବଂ ଓଡ଼ିଶାକୁ ଦେଖିଲେ।
ଓଡ଼ିଶାରେ ମୟୂରଭଞ୍ଜ, ଗଜପତି ସର୍ବାଧିକ ପରିମାଣରେ ଏହି ଚାଷ ହୁଏ। ବାଲେଶ୍ବର ସ୍ଥିତ ବିର୍ଲା ଟାୟାର କମ୍ପାନିକୁ ରବର ବିକ୍ରି ହୁଏ। କେବଳ ଏହି ଗୋଟିଏ କମ୍ପାନିକୁ ଯେତେ ରବର ଆବଶ୍ୟକ ହୁଏ ସେତିକି ଉତ୍ପାଦନ ମଧ୍ୟ ଓଡ଼ିଶାର ନାହିଁ। ତେଣୁ ରାଜ୍ୟରେ ଏହିର ଚାଷର ପ୍ରସାର ପାଇଁ ୨୦୧୬ ମସିହାରେ ଭୁବନେଶ୍ବରରେ ରବର ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିଲା। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏହାର ଅନ୍ତର୍ଗତରେ ରହିଲା। ପୂର୍ବରୁ ମଧ୍ୟ ଓଡ଼ିଶାରେ ରବର ବୋର୍ଡ କାର୍ଯ୍ୟ କରୁଥିଲା। କେନ୍ଦ୍ର ସରକାରଙ୍କ ଅନେକ ରବର ସମ୍ପର୍କୀତ ଯୋଜନା ଏଠାରେ କାର୍ଯ୍ୟ କରୁଥିଲା। ତେଣୁ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ଦ୍ବାରା ରବର ଉତ୍ପାଦନ ବଢିବା ସହିତ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଧୁରିବ ବୋଲି ଆଶା କରାଗଲା। ଗଞ୍ଜାମ, ଖୋର୍ଧା, ଢେଙ୍କାନାଳ, ରାୟଗଡ଼ା ଏବଂ ବର୍ତ୍ତମାନ କୋରାପୁଟରେ ଅନେକ ଚାଷୀ ଏହି ଚାଷ କରୁଛନ୍ତି। ବୋର୍ଡ ପକ୍ଷରୁ ଚାଷୀଙ୍କୁ ଚାରା ସହିତ ପ୍ରୋତ୍ସାହନ ରାଶି, ପ୍ରଶିକ୍ଷଣ ଦିଆଗଲା। ମାତ୍ର ଚାଷର ପ୍ରଚାର-ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଯେଉଁଭଳି ସହଯୋଗ ମିଳିବା କଥା ବୋର୍ଡକୁ ଏହା ମିଳୁନଥିବା ଅଭିଯୋଗ ହୁଏ। ଏପରିକି ବିଭିନ୍ନ ସମୟରେ ବୋର୍ଡ କର୍ମଚାରୀମାନେ ଜିଲ୍ଲା ପ୍ରଶାସନିକ କାର୍ଯ୍ୟାଳୟ ଗଲେ ମଧ୍ୟ ଜିଲ୍ଲାପାଳମାନେ ସେମାନଙ୍କୁ ସହଯୋଗ କରୁନଥିବା ବୋର୍ଡ କର୍ମଚାରୀ କୁହନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ରବର ଚାଷ ପାଇଁ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା ନାହିଁ। କିଛି ବର୍ଷ ପରେ ରବର ବୋର୍ଡ ସିଧାସଳଖ ରବର ଚାଷ ପାଇଁ ପ୍ରୋତ୍ସାହନ ଦେବାକୁ ଆଗ୍ରହ କଲା ନାହିଁ। ବରଂ ରାଜ୍ୟ ସରକାରଙ୍କ ଆଇଟିଡିଏ କାର୍ଯ୍ୟକ୍ରମ ସହିତ ସଂଯୋଗ କରିବାକୁ ପରାମର୍ଶ ଦେଲା। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ। ବୋର୍ଡ ପକ୍ଷରୁ ପ୍ରଥମେ ରବର ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ବଦଳରେ ନୂତନ ନିଯୁକ୍ତି ଦେଲେ ନାହିଁ। ପରେ ଓଡ଼ିଶା ବାହାର ଅଧିକାରୀଙ୍କୁ ବଦଳି କରି ଦେଲେ। କିଛି ଦିନ ପରେ କାର୍ଯ୍ୟାଳୟହିଁ ବନ୍ଦ କରି ଦେଲେ। ରବର ଚାଷ ପ୍ରସାର ପାଇଁ ଓଡ଼ିଶା ବୋର୍ଡକୁ ସୁଯୋଗ ମଧ୍ୟ ଦେଲେ ନାହିଁ।
ଏଥିଯୋଗୁଁ ଚଳିତ ବର୍ଷ ଏହାର ଚାରା ରୋପଣ କାର୍ଯ୍ୟାଳୟ ଚଳିତ ବର୍ଷ ବାଧାପ୍ରାପ୍ତ ହୋଇଛି। ଏହି ସ୍ଥିତି ଯୋଗୁଁ ରବର ଚାଷୀହିଁ କ୍ଷତିଗ୍ରସ୍ତ ହେଲେ। ପାହାଡ଼ିଆ, ପଛୁଆ ଅଞ୍ଚଳରେ ଯେଉଁଠି ରାଜ୍ୟ ଚାଷୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ସେଠି ଚାଷୀଙ୍କ ପାଇଁ ପ୍ରସ୍ତୁତ ଯୋଜନାକୁ ଅଧାପନ୍ତରିଆ ବନ୍ଦ କରିଦେବାରେ କାହା ମଙ୍ଗଳ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ।