କମଳା ପୂଜାରୀ, ଦୈତାରୀ ନାଏକ, ପ୍ରକାଶ ରାଓଙ୍କୁ ରୁଚି ପ୍ରତିଭା ସମ୍ମାନ

କଟକ : ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନ ‘ରୁଚି’ ମସଲା ଦ୍ବାରା ପ୍ରତିଷ୍ଠିତ ‘ରୁଚି ପ୍ରତିଭା ଫାଉଣ୍ଡେସନ’ ଆନୁକୂଲ୍ୟରେ ୨୩ତମ ରୁଚି ପ୍ରତିଭା ସମ୍ମାନ ପ୍ରଦାନ ସମାରୋହ ଜୁଲାଇ ୨୦ ତାରିଖ ସହିଦଭବନରେ ଅନୁଷ୍ଠିତ ହେବ। ସମାରୋହରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ମୋଟ ୧୦ ଜଣଙ୍କୁ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ଫାଉଣ୍ଡେସନ ପକ୍ଷରୁ ଚଳିତବର୍ଷ କୋରାପୁଟର ପାରମ୍ପରିକ ଧାନ ବିହନର ଜନନୀ ପଦ୍ମଶ୍ରୀ କମଳା ପୂଜାରୀ, କେନ୍ଦୁଝର ଜିଲ୍ଲାର ମାଉଣ୍ଟେନ ମ୍ୟାନ୍ ଭାବେ ପରିଚିତ ପଦ୍ମଶ୍ରୀ ଦୈତାରୀ ନାଏକ, କଟକ ସହର ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ଚଳିତ ବର୍ଷର ସମ୍ମାନଜନକ ରୁଚି ଦେଶଜ୍ୟୋତି ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶା ଟପ୍ପର ହୋଇଥିବା ଆଇଏଏସ୍ ଅନ୍ୟା ଦାସଙ୍କୁ ରୁଚି ବିଦ୍ୟାସାଗର ସମ୍ମାନ, ଯୁବ ସାମ୍ବାଦିକ ଦୀପକ କୁମାର ରଥଙ୍କୁ ରୁଚି ଗୋପବନ୍ଧୁ ସାମ୍ବାଦିକ ସମ୍ମାନ ଓ କ୍ରିକେଟ ତାରକା ରାଜେଶ ମହାନ୍ତିଙ୍କୁ ରୁଚି ବାରବାଟୀ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରାଯିବ। ମାଟ୍ରିକ ଟପ୍ପର ଶିବ ପ୍ରସାଦ ପାଣି, ଯୁକ୍ତ ଦୁଇ ବିଜ୍ଞାନ ଟପ୍ପର ଭବାନୀ ଶଙ୍କର ପଟ୍ଟନାୟକ, ଯୁକ୍ତ ଦୁଇ କଳା ଟପ୍ପର ଶିବାନୀ ପ୍ରିୟଦର୍ଶିନୀ ପତ୍ରୀ ଓ ଯୁକ୍ତ ଦୁଇ ବାଣିଜ୍ୟ ଟପ୍ପର ଲକ୍ଷ୍ମୀ ଅଗ୍ରୱାଲଙ୍କୁ ରୁଚି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ। ସମସ୍ତ ପ୍ରତିଭା ଓ ଟପ୍ପରଙ୍କୁ ୧୫ ହଜାର ଟଙ୍କାର ଅର୍ଥ ପୁରସ୍କାର, ଅଙ୍ଗବସ୍ତ୍ର ଓ ସମ୍ମାନଫଳକ ସହ ସମ୍ମାନିତ କରାଯିବ।

ଆଜି ହୋଟେଲ ଗ୍ରାଣ୍ଡ ରେସିଡେନ୍ସିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରୁଚି ପ୍ରତିଭା ଫାଉଣ୍ଡେସନ ଅଧ୍ୟକ୍ଷ ତଥା ‘ରୁଚି’ ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ‘ରୁଚି’ର ନିର୍ଦ୍ଦେଶକ ତଥା ଫାଉଣ୍ଡେସନର ସଂପାଦକ ଅରବିନ୍ଦ ସାହୁ ଫାଉଣ୍ଡେସନର ସାମଗ୍ରିକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ରୁଚିର ନିର୍ଦ୍ଦେଶିକା ରଶ୍ମୀ ସାହୁ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭରେ ଫାଉଣ୍ଡେସନର ଯୁଗ୍ମ ସଂପାଦକ ତଥା ‘ରୁଚି’ର ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭିକ ସୂଚନା ଦେଇଥିଲେ ହ୍ୱାଇଟ୍ କାନଭାସ୍ ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା। ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର