ରୁଚିକା ମୃତ୍ୟୁ ମାମଲା: ସିଙ୍ଗାପୁର ଯିବ ମୋବାଇଲ୍‌

ରାଗିଂ ନେଇ ମିଳିନି ସୁରାକ୍‌: ଡିସିପି, ମୃତ୍ୟୁ ସଂପର୍କ‌ରେ ସୂଚନା ଦେବା ପାଇଁ ଜାରି ହେଲା ସ୍ବତନ୍ତ୍ର ନମ୍ବର

ଭୁବନେଶ୍ବର : ୧୧ ଦିନ ପରେ ବି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ରହସ୍ୟ ଖୋଲି ପାରୁନି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସହପାଠୀ, ୱାର୍ଡେନ୍‌, ସୁପରିନ୍‌ଟେଣ୍ଡେଣ୍ଟ ଆଦିଙ୍କୁ ମିଶାଇ ମୋଟ ୧୯୮ଜଣଙ୍କୁ ପୁଲିସ୍ ଜେରା କରିସାରିଲାଣି। ରୁଚିକାର ଗାଁକୁ ଏକ ଟିମ୍ ପଠାଇ ମଧ୍ୟ ୧୦-୧୫ଜଣ ସାଙ୍ଗ ଓ ସମ୍ପର୍କୀୟଙ୍କୁ ଜେରା କରିସାରିଲାଣି। ହେଲେ ଆତ୍ମହତ୍ୟାର କାରଣ ସଂପର୍କରେ ଟିକିଏ ବି ସୁରାକ୍‌ ପାଇପାରୁନାହିଁ। ତେଣୁ ପୁଲିସ୍‌ ତଦନ୍ତର ଦିଗ ବଦଳାଇଛି। ଏ ମାମଲାର ସମାଧାନ କରିବାରେ ରୁଚିକାଙ୍କ ମୋବାଇଲ୍‌ରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ପୁଲିସ୍‌ ଆଶା କରିଛି।

ଦିଲ୍ଲୀରେ ରୁଚିକାଙ୍କ ମୋବାଇଲ୍‌ ପାସ୍‌ୱାର୍ଡ-କ୍ରାକ୍‌ କରିବା ପରେ କଲ୍‌ ଡିଟେଲ୍ସରୁ ପୁଲିସ କିଛି ନମ୍ବରକୁ ଠାବ କରିଛି। ମୃତ୍ୟୁର ପୂର୍ବଦିନ ରାତି ପ୍ରାୟ ୧୦ଟାରେ ସେ ଶେଷ କଲ୍‌ କରିଥିଲେ। ଉକ୍ତ ନମ୍ବର ସହ ସେ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିଥିଲେ। ଏପରିକି ଗତ ୨ ମାସ ମଧ୍ୟରେ ସେ ଉକ୍ତ ନମ୍ବରରେ ସାଢ଼େ ୬ହଜାରରୁ ଅଧିକଥର କଥା ହୋଇଥିଲେ। ସେହିପରି ଆଉ କିଛି ନମ୍ବର ଉପରେ ମଧ୍ୟ ପୁଲିସ୍‌ ସନ୍ଦେହ କରିଛି।
ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଜଣେ ଡିସିପି ପାହ୍ୟାର ଅଧିକାରୀ ଏହି ମାମଲାର ତଦନ୍ତ କରୁଛନ୍ତି। ରୁଚିକାଙ୍କ କଲେଜ ହଷ୍ଟେଲରେ ରାଗିଂ ହୋଇଥିବା ନେଇ ପୁଲିସକୁ ସେଭଳି କୌଣସି ସୁରାକ୍ ମିଳି ନାହିଁ। ତେଣୁ ତାଙ୍କ ମୋବାଇଲରୁ ତଥ୍ୟ ସଂଗ୍ରହ କରାଯାଉଛି। ମୋବାଇଲ୍‌ରୁ ଯେଭଳି କୌଣସି ଡାଟା ଡିଲିଟ୍‌ ନହେବ, ଯଦି ବି ଡିଲିଟ୍‌ ହୋଇଥିବ, ତାହାକୁ କିଭଳି ରିଟ୍ରିଭ୍‌ କରାଯାଇପାରିବ, ସେଥିପାଇଁ ରୁଚକାଙ୍କ ମୋବାଇଲକୁ ସିଙ୍ଗାପୁର ପଠାଯିବ। ଏହାଛଡ଼ା ଯଦି କୌଣସି ବ୍ୟକ୍ତି ରୁଚିକାଙ୍କ ମୃତ୍ୟୁ ସଂପର୍କରେ ପୁଲିସକୁ ତଥ୍ୟ ଦେବାକୁ ଚାହୁଛନ୍ତି, ସେମାନେ ମୋ: ୭୦୭୭୭୯୮୧୧୧ରେ ଦେଇପାରିବେ। ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

ଅପରପକ୍ଷେ, ଅଭିଯୁକ୍ତଙ୍କୁ ଧରିବାରେ ବିଳମ୍ବ ହେଉଥିବା ବେଳେ ଏହାକୁ ନେଇ ଉଭୟ ରାଜ୍ୟ ଓ ରାଜଧାନୀରେ ଉଷ୍ମତା ବୃଦ୍ଧି ପାଇବା‌ରେ ଲାଗିଛି। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ବିଦ୍ୟୁତ୍‌ପ୍ରଭା: ନ୍ୟାୟ ନ ମିଳିବା ଯାଏ ଧାରଣା

ଭୁବନେଶ୍ବର : ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାର ତଦନ୍ତକୁ ନେଇ ମା’ ବିଦ୍ୟୁତ୍‌ପ୍ରଭା ମହାନ୍ତି ରାଜ୍ୟ ସରକାର ଓ କମିସନେରଟ୍‌ ପୁଲିସ ଉପରେ ବର୍ଷିଛନ୍ତି। ଗାନ୍ଧୀ ମାର୍ଗ ଧାରଣାସ୍ଥଳରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ‌ରେ ସେ ଧାରଣା ଜାରି ରହିବ ବୋଲି କହିବା ସହ ତଦନ୍ତକାରୀ ପୁଲିସକୁ ଅଯୋଗ୍ୟ ବୋଲି କହିଛନ୍ତି। ଅପାରଗ ରାଜ୍ୟ ସରକାରଙ୍କ ଅଯୋଗ୍ୟ ପୁଲିସ ତଦନ୍ତ କରୁଥିବାରୁ ରାଗିଂ କରିଥିବା ୩ ସିନିୟର୍‌ ଛାତ୍ରୀ ଧରାପଡ଼ୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ରୁଚିକା ଆତ୍ମହତ୍ୟା କରିବାର ୧୦ଦିନ ପୂର୍ବରୁ କଲେଜ ଯାଉନଥିଲା। ଶରୀର ଅସୁସ୍ଥ ଥିବା ଦର୍ଶାଇ ସେ କ୍ଲାସ କରୁନଥିଲା। ୧୦ଦିନ କାଳ ଝିଅ ଅସୁସ୍ଥ ଥିବା ସତ୍ତ୍ବେ ହଷ୍ଟେଲ କର୍ତ୍ତୃପକ୍ଷ ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇନଥିଲେ। ଏହା କ’ଣ ହଷ୍ଟେଲ୍‌ କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟ ନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ଝିଅର ଅସୁସ୍ଥତା ବାବଦରେ ତାଙ୍କୁ କୁହାଯାଇଥା’ନ୍ତା, ତା’ ହେଲେ ସେ ଝିଅକୁ ଘରକୁ ନେଇଥାନ୍ତେ ଏବଂ ସେ ଆତ୍ମହତ୍ୟା ଭଳି ଏକ ଭୁଲ୍ ନିଷ୍ପତିରୁ ବର୍ତ୍ତିଯାଇଥା’ନ୍ତା ବୋଲି ବିଦ୍ୟୁତ୍‌ପ୍ରଭା କହିଛନ୍ତି। ମଙ୍ଗଳବାର ଦିନ ରୁଚିକାର ଏକାଦଶାହ ଥିବାରୁ ସେ ଧାରଣାସ୍ଥଳ ଛାଡ଼ି କଟକ ଆଠଗଡ଼ସ୍ଥିତ କଖଡ଼ି ଗାଁରେ ଶୁଦ୍ଧିକ୍ରିୟା ପାଇଁ ଯାଇଛନ୍ତି। ଶୁଦ୍ଧିକ୍ରିୟା ସଂପନ୍ନ କରି ରାତି ସୁଦ୍ଧା ସେ ପୁଣି ଥରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଧାରଣାରେ ବସିବେ ବୋଲି କହିଥିଲେ।

ସୂଚନାଯୋଗ୍ୟ, ଗତକାଲି ବିଦ୍ୟୁତ୍‌ପ୍ରଭାଙ୍କୁ ପୁଲିସ ବିଜେବି କଲେଜ ଫାଟକ ପାଖରୁ ଧାରଣା‌ସ୍ଥଳରୁ ଘୋଷାଡ଼ି ଉଠାଇଥିଲା। ତେଣୁ ସେ ଗାନ୍ଧୀମାର୍ଗରେ ଧାରଣାରେ ବସିଛନ୍ତି। ସେହିଭଳି ଧାରଣାରେ ବସିଥିବା ନବ ନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍‌ଡି ମନଵର ଅଲ୍ଲୀଙ୍କ ଆମରଣ ଅନଶନ ୧୦ଦିନରେ ପହଞ୍ଚିଛି। ରୁଚିକାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଅନଶନ ଜାରି ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର