ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ୧୦ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଘଟଣା ଉପରୁ ପର୍ଦ୍ଦା ହଟିପାରି ନାହିଁ। ଫଳରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ଯାହାକୁନେଇ ରାଜଧାନୀ ଉଠୁଛି ପଡ଼ୁଛି। ଘଟଣା ଦିନ ଠାରୁ ରୁଚିକାଙ୍କ ପରିବାରକୁ ନ୍ୟାୟ ଦାବିରେ ପ୍ରତିଦିନ ରାସ୍ତାରୋକ, ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ନ୍ୟାୟ ଅପକ୍ଷୋରେ ରୁଚିକାଙ୍କ ମା’କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ପୁଲିସ ଟିମ୍ ସେଠାରେ ପହଞ୍ଚି ରୁଚିକାଙ୍କ ମା’ ସମେତ ଅନ୍ୟ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲା। ରୁଚିକାଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚିପାରୁ ନ ଥିଲା ବେଳେ ତାଙ୍କ ମା’ଙ୍କ ବିରୋଧରେ ପୁଲିସ୍ର ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି।
ରୁଚିକାଙ୍କୁ ନ୍ୟାୟ ପ୍ରଦାନ ପାଇଁ ତାଙ୍କ ମା’ବିଦ୍ୟୁତପ୍ରଭା ମହାନ୍ତି ୧୦ ଦିନ ହେଲା କଲେଜ ଫାଟକ ସାମ୍ନାରେ ଧାରଣା ଦେଇଥିଲେ। ତାଙ୍କ ସହ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ସାମିଲ ହୋଇଥିଲେ। ବହୁ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ସେଠାରେ ପହଞ୍ଚି ତାଙ୍କୁ ନୈତିକ ସମର୍ଥନ ଦେଇଥିଲେ। ୧୨ ତାରିଖରେ ଝିଅର ଏକାଦଶାହ କଲେଜ ଫାଟକ ସାମ୍ନାରେ ପାଳନ କରିବେ ବୋଲି ବିଦ୍ୟୁତପ୍ରଭା ଗତକାଲି ଗଣମାଧ୍ୟମରେ କହିଥିଲେ। ଏହାକୁ ନେଇ ପୁଲିସ ଅଡ଼ୁଆରେ ପଡ଼ିଯାଇଥିଲା। ପୁଣି ୧୩ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ଏହି ଘଟଣାଟି ବିସ୍ଫୋରକ ମୋଡ଼ ନେବାର ଆଶଙ୍କା ଦେଖାଦେଇଥିଲା।
ଫଳରେ ପୁଲିସ ଆଜି ଧାରଣାକୁ ଭାଙ୍ଗିବାକୁ ଯୋଜନାବଦ୍ଧ ପ୍ରସ୍ତୁତ କରିଥିଲା। ପ୍ରଥମେ ବିଭିନ୍ନ ପର୍ଯ୍ୟାୟରେ ରୁଚିକାଙ୍କ ମା’ଙ୍କୁ ବୁଝାଇବା ପାଇଁ ପୁଲିସ ଆଲୋଚନା କରିଥିଲା। କିନ୍ତୁ ସେଥିରେ ସଫଳ ନ ହେବାରୁ ତାଙ୍କୁ ବଳପୂର୍ବକ ଉଠାଇନେବାକୁ ପ୍ରସ୍ତୁତି ହୋଇଥିଲା। ଧାରଣାସ୍ଥଳରେ ହାତଗଣତି କିଛି ଲୋକ ଥିବାର ସୁଯୋଗ ନେଇ ପୁଲିସ ବିଦ୍ୟୁତପ୍ରଭାଙ୍କୁ ଘୋଷାଡ଼ି ଘୋଷାଡ଼ି ଗାଡ଼ି ଭିତରକୁ ନେଇଥିଲା। ଅନ୍ୟମାନେ ରୋକିବାକୁ ଉଦ୍ୟମ କଲା ବେଳେ ପୁଲିସ ସେମାନଙ୍କୁ ବି ଠେଲାପେଲା କରିଥିଲା। ଅଧିକ ସଂଖ୍ୟକ ପୁଲିସ ଥିବାରୁ କମ୍ ସମୟ ମଧ୍ୟରେ ବିଦ୍ୟୁତପ୍ରଭାଙ୍କ ସମେତ ଅନ୍ୟ ଆନ୍ଦୋଳନକାରୀଙ୍କୁ କବ୍ଜାକୁ ନେଇଯାଇଥିଲା।
ପୁଲିସର ଏପରି କାର୍ଯ୍ୟାନୁଷ୍ଠାନ ଜଣାପଡ଼ିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଏହାର ପ୍ରତିବାଦ କରାଯାଇ ମାଷ୍ଟର୍ କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାରେ ସୁବ୍ରତ କୁମାର ଦାଶ ରାଜ୍ୟ ମାନବାଧିକାର କମିସନ୍ରେ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି ଯେ ଘଟଣାରେ ୧୦ ଦିନ ପରେ ବି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରୁନାହିଁ। ଅଥଚ ଜଣେ ମା’ ନ୍ୟାୟ ପାଇଁ ଲଢ଼େଇ କରୁଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କୁ ପୁଲିସ ଘୋଷାଡ଼ି ନେଲା। ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକତା ରହିଛି। ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ କରିଛନ୍ତି।
ତେବେ ପୁଲିସ୍ ପକ୍ଷରୁ ସଫେଇ ଦିଆଯାଇଛି ଯେ, ଆମେ ଧାରଣା ଦେବାକୁ ମନା କରିନାହୁଁ। ଯେଉଁ ସ୍ଥାନରେ ଧାରଣା ଦେବା କଥା ସେଠାରେ ଦିଅନ୍ତୁ। ଯିଏ ଯେଉଁଠି ଚାହିଁବ ଧାରଣା ଦେଇପାରିବ ନାହିଁ। କଲେଜ କର୍ତ୍ତୃପକ୍ଷ ଆମକୁ ଲିଖିତ ଅଭିଯୋଗ କରିଥିଲେ। କଲେଜ ଆଗରେ ଧାରଣା ଦେବା ଦ୍ୱାରା କଲେଜର ବାତାବରଣ ନଷ୍ଟ ହେଉଛି ବୋଲି ଜଣାଇଥିଲେ। ଏଥିପାଇଁ କିଛି ପଦକ୍ଷେପ ନିଆଯିବା ପାଇଁ କର୍ତ୍ତୃପକ୍ଷ ଆମକୁ ଲେଖିକି ଦେଇଥିଲେ।
ଅନ୍ୟପଟେ କଲେଜରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରାଯାଉଥିବା ଅଭିଯୋଗ ଆଣି ବଡଗଡ଼ ଥାନା ଘେରାଉ କରିଥିଲେ କଲେଜର କିଛି ଛାତ୍ରଛାତ୍ରୀ। କଲେଜରେ ପାଠପଢାକୁ ସ୍ୱାଭାବିକ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ରୁଚିକା ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। କିନ୍ତୁ ଘଟଣାରେ ରାଜନୈତିକ ରଙ୍ଗ ନଦେବାକୁ ଦାବି ହୋଇଛି। ସେହିଭଳି ଛାତ୍ରୀନିବାସ ବାଥରୁମରେ କ୍ୟାମେରା ଲାଗିବା, କଲେଜରେ ସେକ୍ସ ରୢାକେଟ୍ ଚାଲିବା ଭଳି ବିଭାନ୍ତକାରୀ ମନ୍ତବ୍ୟ ଦେଉଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।