ରୁଚିକା ମାର୍କେଟ୍‌ ଦୁର୍ଗାପୂଜା ସମିତି : ୩୦ ବର୍ଷ‌‌ରେ ପ୍ରଥମଥର ଘଟ ପୂଜା

ଭୁବନେଶ୍ୱର : ଦୁର୍ଗତି ନାଶିନୀ ମା’ ଦୁର୍ଗା ଧରାବତାରଣ କରିବେ। ହେଲେ ଚଳିତ ବର୍ଷ କରୋନା ପାଇଁ ଭୁବନେଶ୍ବର ଆଉ ଉତ୍ସବ ମୁଖର ହେବ ନାହିଁ। ମଣ୍ଡପମାନଙ୍କ ମଧ୍ୟରେ ସାଜସଜ୍ଜା, ମୂର୍ତ୍ତିଗଢ଼ା ଓ ତୋରଣକୁ ନେଇ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳିବ ନାହିଁ। ଅନେକ ମଣ୍ଡପ ଏଥର ମୂର୍ତ୍ତି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବରମୁଣ୍ଡା ରୁଚିକା ବଜାରର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ମଣ୍ଡପରେ ଏଥର ମା’ଙ୍କ ମୂର୍ତି ଦେଖିବାକୁ ମିଳିବନି। ୩୦ ବର୍ଷ ଧରି ଆଡ଼ମ୍ବରପୂର୍ଣ୍ଣ ଦୁର୍ଗାପୂଜା ଆୟୋଜନ କରୁଥିବା ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ଏଥର ବିଧିରକ୍ଷା ପାଇଁ ପ୍ରଥମଥର କେବଳ ପ୍ରାଣ ଘଟ ପୂଜା କରାଯିବ। ସରକାରଙ୍କ କରୋନା ନିୟମାବଳୀ ଅନୁସାରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ କରିବାକୁ ନିର୍ଦେଶ ଦିଆଯାଇଛି। ତେବେ ଏଠାରେ ପୂଜା ପାଉଥିବା ମା’ ଉତ୍ତରମୁଖା ହୋଇ ରହୁଥିବାରୁ ପଣ୍ଡିତ ତଥା ଜ୍ୟୋତିଷଙ୍କ ପରାମର୍ଶରେ ପୂଜା କମିଟି ପକ୍ଷରୁ ଘଟ ପୂଜା କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ୧ ଲକ୍ଷ ଟଙ୍କା ଖର୍ଚ୍ଚରେ ପୂଜାକାର୍ଯ୍ୟ ସମ୍ପନ୍ନ କରିବା ପାଇଁ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଘରେ ରହି ମା’ଙ୍କୁ ପୂଜିବା
କରୋନାକୁ ଦୃଷ୍ଟିରେ ରଖି ଚଳିତଥର ବିଧି ରକ୍ଷା କରିବା ପାଇଁ ବିନା ମୂର୍ତ୍ତିରେ ଘଟ ପୂଜା ହେବ। ୩୦ ବର୍ଷରେ ପ୍ରଥମଥର ନୂଆ କରି ଏହି ଘଟ ପୂଜା କରୁଛୁ। ଲୋକଙ୍କ ସୁରକ୍ଷା ପାଇଁ ଘରେ ରହି ମାଆଙ୍କୁ ପୂଜା କରିବାକୁ ଶ୍ରଦ୍ଧାଳୁଙ୍କୁ ନିବେଦନ କରୁଛୁ। ପୂଜା ପାଇଁ ସଂକ୍ରମଣ ଯେପରି ନବଢ଼ିବ, ସେଥିପ୍ରତି ସଚେତନ ରହି ପୂଜା କରିବାକୁ ନିଷ୍ପତ୍ତି ନେଇଛୁ।
-ରବିନାରାୟଣ ମିଶ୍ର
(ସଭାପତି, ସାର୍ବଜନୀନ ଦୁର୍ଗାପୂଜା ସମିତି)

କରୋନାମୁକ୍ତ ପୂଜା ଆୟୋଜନ
ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ପୂଜା ହେବ। ପୂଜା ମଣ୍ଡପରେ ସରକାରଙ୍କ କୋଭିଡ୍‌ ନିୟମାବଳୀକୁ କଡ଼ାକଡ଼ି ପାଳନ କରାଯିବ। ବଡ଼ ହୋର୍ଡିଂ ମାଧ୍ୟମରେ ଭକ୍ତମାନଙ୍କୁ ମା’ଙ୍କ ପୂଜା ପାଇଁ ତଥା ଦର୍ଶନ ପାଇଁ ମଣ୍ଡପକୁ ନ ଆସିବାକୁ ଅନୁରୋଧ କରାଯିବ। ଯେହେତୁ ଏ ବର୍ଷ ନିରାଡ଼ମ୍ବର ପୂଜା ଅନୁଷ୍ଠିତ ହେଉଛି, ସେଥିପାଇଁ ପୁରୁଣା ଗୀତ ଓ ଭଜନ ସମାରୋହ ମଧ୍ୟ ଆୟୋଜନ ହେବ ନାହିଁ।
-କେ. ରଞ୍ଜନ କୁମାର(ସଂପାଦକ,
ସାର୍ବଜନୀନ ଦୁର୍ଗାପୂଜା ସମିତି)

ସମ୍ବନ୍ଧିତ ଖବର