ରୁଚିକା ଆତ୍ମହତ୍ୟା ମାମଲା: ଗାଁକୁ ଗଲା ପୁଲିସ୍‌ ଟିମ୍‌

ଭୁବନେଶ୍ବର: ୪ ଦିନ ବିତିଗଲା। ପୁଲିସ ଘନଘନ ଜେରା କଲା। ଛାତ୍ରୀନିବାସର ସମସ୍ତ ଅନ୍ତେବାସୀଙ୍କୁ ପୁଲିସ ପଚାରିଲା। ଏଥିସହିତ ଛାତ୍ରୀନିବାସର ୱାର୍ଡେନ୍‌ଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କୁ ବି ଜେରା କଲା। ମାତ୍ର ଶେଷରେ ପୁଲିସ ହାତ‌ରେ ଲାଗିଲାନି ସନ୍ଦିଗ୍ଧ ୩ ଛାତ୍ରୀଙ୍କ ନାଁ। ସେହିଭଳି କଲେଜ କର୍ତ୍ତୃପକ୍ଷ ମଧ୍ୟ ଗୋଟିଏ ସ୍ବତନ୍ତ୍ର ଟିମ୍‌ ମାଧ୍ୟମରେ ଛାନ୍‌ଭିନ୍‌ କଲେ। ମାତ୍ର ଫଳ ଶୂନ। କୌଣସି ଟିମ୍‌ ହାତରେ ରାଗିଂର ସୁରାକ୍ ଲାଗିପାରିନାହିଁ। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଡ଼ ଲକ୍ଷ୍ୟ ନେଇ ପଢ଼ିବାକୁ ଆସିଥିବା ଜଣେ ମେଧାବୀ ଛାତ୍ରୀ କ’ଣ ଖୁସିରେ ଆତ୍ମହତ୍ୟା କଲେ? କ’ଣ ପାଇଁ ସେ ସୁଇସାଇଡ୍‌ ନୋଟ୍‌ରେ ରାଗିଂ କଥା ଉଲ୍ଲେଖ କଲେ? ସେ ୩ ଜଣ ସିନିୟର୍ ଛାତ୍ରୀଙ୍କ କଥା ଲେଖିଛନ୍ତି। ଅଧିକ କିଛି ଛାତ୍ରୀଙ୍କ କଥା କ’ଣ ପାଇଁ ଉଲ୍ଲେଖ କଲେନାହିଁ? ଅତ୍ୟାଚାର ଓ ନିର୍ଯାତନା ସହିନପାରି ସେ ନିଜକୁ ‌ଶେଷ କରିଦେଲେ।

ସରଳ ପିଲା ବୋଲି ହୁଏତ କାହା ଉପରେ ପ୍ରତି‌ଶୋଧ ନେବାକୁ ରୁଚିକା ଇଛା କରିନାହାନ୍ତି। ତଥାପି ମନର କ୍ଷୋଭ ଚାପି ପାରିନାହାନ୍ତି। ସୁଇସାଇଡ୍‌ ନୋଟ୍‌ରେ ରାଗିଂ କଥା ଲେଖିଯାଇଛନ୍ତି। ଏତିକି କ’ଣ ଯଥେଷ୍ଟ ନୁହେଁ? ପୁଲିସ ଏତିକି ସୁରାକ୍‌ରୁ କିଭଳି କିଛି ପାଉନାହିଁ? ପୁଲିସ ପାଉନାହିଁ ନା ରାଗିଂ ‌‌ରୋକିବାରେ ବିଫଳ ହୋଇଥିବା କର୍ତ୍ତୃପକ୍ଷଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ କାହା ଅଦୃଶ୍ୟ ଚାପରେ ଚାପି ହୋଇଯାଇଛି? ଏମିତି ମାଳମାଳ ପ୍ରଶ୍ନ ଆଜି ବୁଦ୍ଧିଜୀବୀ ତଥା ବିଭିନ୍ନ ମହଲ‌ରେ ପୁଲିସ ତଦନ୍ତ ପ୍ରତି ସନ୍ଦେହ ସୃଷ୍ଟି କରିଛି। ପୁଲିସ ଲୋକଦେଖାଣିଆ ତଦନ୍ତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଏଭିତରେ ଆଜି ରୁଚିକାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ବେକରେ ରଶି ବାନ୍ଧି ଝୁଲି ପଡ଼ିଥିବାରୁ ଶ୍ୱାସରୁଦ୍ଧ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏହା ପଛରେ ରାଗିଂ ବଡ଼ କାରଣ ବୋଲି ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି। ପୁଲିସ ସୂଚନାନୁସାରେ ୪ଦିନରେ ୧୩୪ଜଣଙ୍କୁ ଜେରା ସରିଛି। ଏବେ ବି ସବୁ ପିଲାଙ୍କୁ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ଯେଉଁ ପିଲାଙ୍କ ଉପରେ ସନ୍ଦେହ ହେବ, ସେମାନଙ୍କୁ ପୁଣି ପଚରାଉଚରା କରାଯିବ। କେବଳ ଛାତ୍ରୀନିବାସ ନୁହେଁ, ପୁଲିସ ଟିମ୍‌ ରୁଚିକାଙ୍କ ଗାଁକୁ ଯାଇ ସେଠାରେ ତାଙ୍କ ୧୦ରୁ ଅଧିକ ସାଙ୍ଗସାଥୀଙ୍କୁ ଜେରା କରିଛି। ତେବେ ସେଠାରୁ କି ତଥ୍ୟ ମିଳିଛି, ପୁଲିସ ସେନେଇ କିଛି ସ୍ପଷ୍ଟ କରିନାହିଁ। ମୋଟାମୋଟି ୪ ଦିନ ପରେ ପୁଲିସ ଖୋଳତାଡ୍‌ରୁ ରାଗିଂ ବାବଦରେ କେମିତି କିଛି ମିଳୁନି ବୋଲି ସାଧାରଣରେ ବିସ୍ମୟ ସୃଷ୍ଟି ହୋଇଛି।

ସେହିପରି କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ବି ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ୩ ଅଭିଯୁକ୍ତଙ୍କୁ ନ ଚିହ୍ନିବା ପଛରେ କଲେଜ୍‌ କର୍ତୃପକ୍ଷଙ୍କ ନିଜ ଦୋଷ ଲୁଚାଇବା କଥା ଜଳଜଳ ହୋଇ ଦେଖାଯାଉଛି। ୱାର୍ଡେନ୍‌, ସୁପରିଟେଣ୍ଡେଣ୍ଟ ରୀତିମତ ହଷ୍ଟେଲ୍‌ ପରିଦର୍ଶନରେ ଆସୁଥିଲେ କି ନାହିଁ, ପିଲାଙ୍କ ଭଲମନ୍ଦ ବୁଝୁଥିଲେ କି ନାହିଁ ବୋଲି ଲୋକେ ସନ୍ଦେହ କରିଛନ୍ତି। ରୁଚିକାଙ୍କ ସୁଇସାଇଡ୍‌ ନୋଟ୍‌ ମଧ୍ୟ ସେମିତି ଦିଗକୁ ଇଙ୍ଗିତ କରୁଛି। କଲେଜ କର୍ତ୍ତୃପକ୍ଷ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଣହେଳା କାରଣରୁ ସେ ନୂଆ ଅନ୍ତେବାସୀ ହିସାବରେ ସିନିୟରମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ଭୟ କରିଥିବା ସ୍ବାଭାବିକ। ମାତ୍ର କର୍ତ୍ତୃପକ୍ଷ ନିୟମିତ ପିଲାଙ୍କ ସଂସ୍ପର୍ଶରେ ଥିଲେ, ରୁଚିକା ମନର କଥା କହିବାକୁ ସାହସ କରିଥାନ୍ତେ ଓ ଏତେ ବଡ଼ ଦୁଃଖଦ ଘଟଣା ଘଟିନଥାନ୍ତା ବୋଲି କୁହାଯାଉଛି। ସେହିଭଳି ରୁଚିକା ନକହିଲେ ବି ସିନିୟରମାନଙ୍କ ଦୌରାତ୍ମ୍ୟ ବାବଦରେ ହ‌ଷ୍ଟେଲ କର୍ତ୍ତୃପକ୍ଷ ଜାଣିପାରିଥାଆନ୍ତୋ। ମାତ୍ର ଏବେ ଅଘଟଣ ଘଟିବା ପରେ ସମସ୍ତେ ଲାଗିପଡ଼ି ରାଗିଂ ପ୍ରସଙ୍ଗକୁ ଚାପି ଦେବାକୁ ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି।

ରୁଚିକାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେବି କଲେଜ ଆଗରେ ଏଆଇଏସ୍‌ଏଫ୍‌ର ବିକ୍ଷୋଭ

ଓଏଚ୍‌ଆର୍‌ସିର ଦ୍ବାରସ୍ଥ ହେଲା ଅଭିଭାବକ ମହାସଂଘ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ହଷ୍ଟେଲରେ ଆତ୍ମହତ୍ୟା ଘଟଣାକୁ ନେଇ ଆଜି ରାଜ୍ୟ ମାନବାଧିକାର କମିସନ (ଓଏଚ୍‌ଆର୍‌ସି)ର ଦ୍ବାରସ୍ଥ ହୋଇ ‘ଓଡ଼ିଶା ଅଭିଭାବକ ମହାସଂଘ’। ସଂଘ ପକ୍ଷରୁ କମିସନଙ୍କୁ ୨ ପୃଷ୍ଠା ସମ୍ବଳିତ ଏକ ପିଟିସନ୍‌ ଦିଆଯାଇଛି। କମିସନ ଏହାକୁ ଗ୍ରହଣ କରି ମାମଲା ରୁଜୁ କରିଛନ୍ତି। ପୂର୍ବରୁ ଓଏଚ୍‌ଆର୍‌ସି ନିଜ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରିବା ସହ ସିପିଙ୍କୁ ଜବାବ ମାଗିଛନ୍ତି। ରାଗିଂ ଯୋଗୁ ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା କରିଥିବାରୁ ‘ଓଡ଼ିଶା ଅଭିଭାବକ ମହାସଂଘ’ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଭବିଷ୍ୟତରେ ଆଇଏଏସ୍‌ ହେବା ଲକ୍ଷ୍ୟରେ କୋଚିଂ ନେଉଥିବା ରୁଚିକା ରାଗିଂ ଯୋଗୁଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ତେଣୁ ରାଗିଂ କରିଥିବା ଦୋଷୀ ସିନିୟର୍‌ ଛାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ମହାସଂଘ। ଏଣିକି ରାଜ୍ୟରେ ଅନ୍ୟ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ ସ୍କ୍ୱାଡ୍‌କୁ ଦୃଢ଼ କରିବା, ସେହି ସ୍କ୍ୱାଡ୍‌ରେ ଛାତ୍ର ପ୍ରତିନିଧି ରଖିବା, ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଓ ୱାର୍ଡେନ୍‌ଙ୍କୁ ସେହି କ୍ୟାମ୍ପସରେ ରହିବାକୁ କଡ଼ା ନିର୍ଦ୍ଦେଶ ଦେବାକୁ ମହାସଂଘ ପ୍ରସ୍ତାବ ଦେଇଛି। ଏଥିସହ ଚବିଶ ଘଣ୍ଟିଆ ହେଲ୍ପ ଲାଇନ୍‌ ନମ୍ବର ରଖାଯାଉ ବୋଲି ମହାସଂଘ ଅଧକ୍ଷ ପ୍ରସନ୍ନ ବିଷୋୟୀ ସୂଚନା ଦେଇଛନ୍ତି।

ରାଜ୍ୟର ସବୁ କଲେଜ୍‌ରେ ହେବ ପ୍ରତିବାଦ

ବିଜେବି କଲେଜ ଛାତ୍ରୀ ରୁଚିକାଙ୍କୁ ରାଗିଂ କରି ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଦୋଷୀ ଛାତ୍ରୀମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସରକାର ବିଫଳ ହୋଇଛନ୍ତି। ଦିନ ଦିନ ଗଡ଼ି ଚାଲିଥିଲେ ବି ପୁଲିସ କିମ୍ବା କଲେଜ କର୍ତ୍ତୃପକ୍ଷ ଉକ୍ତ ୩ ଛାତ୍ରୀଙ୍କୁ ଠାବ କରିପାରିନାହିଁ। ଫଳରେ ରୁଚିକାଙ୍କୁ ନ୍ୟାୟ ମିଳିପାରିନାହିଁ। ତେଣୁ କଲେଜ୍‌ ମୁଖ୍ୟ ଫାଟକରେ ଧାରଣାରେ ବସିଥିବା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସରକାରଙ୍କୁ କଡ଼ା ଚେତାବନୀ ଦେଇଛି। ଖୁବ୍‌ଶୀଘ୍ର ରୁଚିକାଙ୍କ ପରିବାରକୁ ନ୍ୟାୟ ନମିଲେ ଆସନ୍ତା ୭ ତାରିଖ ଦିନ ରାଜ୍ୟର ସମସ୍ତ କଲେଜ୍‌ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସଂଗଠନ ରାଜ୍ୟ ସଂଯୋଜକ ଏମ୍‌ଡି ମନ୍‌ୱର ଅଲ୍ଲୀ କହିଛନ୍ତି ଯେ ନ୍ୟାୟ ନମିଳିବା ଯାଏଁ ରୁଚିକା‌ଙ୍କ ପରିବାର ସହ ସଂଗଠନ ରହିଛି ଓ ପ୍ରତିବାଦ ଜାରି ରହିବ।

ସମ୍ବନ୍ଧିତ ଖବର