ଭୁବନେଶ୍ବର: ରାଗିଂକୁ ନେଇ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ୩ଜଣିଆ ଟିମ୍ରେ ଜଣେ ମନସ୍ତତ୍ବବିତ୍ଙ୍କୁ ସାମିଲ କରାଯାଇଛି। ରାଜଧାନୀର ଏକ ଘରୋଇ ଡାକ୍ତରଖାନାର ମନସ୍ତତ୍ବବିତ୍ ଡା. ପ୍ରାପ୍ତି ପ୍ରଧାନ ଆଜି ପୁଲିସ ସହ କାରୁବାକୀ ଛାତ୍ରୀ ନିବାସକୁ ଯାଇ ପଚରାଉଚରା କରିଛନ୍ତି। ତଦନ୍ତକାରୀ ଦଳରେ ସାମିଲ ହେବାର ପ୍ରଥମ ଦିନରେ ଡା. ପ୍ରଧାନ ୩୨ଜଣ ଛାତ୍ରୀଙ୍କୁ ରୁଚିକାଙ୍କ ଆତ୍ମହତ୍ୟା ସଂପର୍କରେ ପଚରାଉଚରା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
ରୁଚିକାଙ୍କ ପ୍ରତି ସିନିୟର୍ ଛାତ୍ରୀଙ୍କ ବ୍ୟବହାର କେମିତି ଥିଲା, ରୁଚିକା ଆତ୍ମହତ୍ୟା ପୂର୍ବରୁ ରାଗିଂକୁ ନେଇ କାହାକୁ କିଛି କହିଥିଲେ କି ବା ତାଙ୍କୁ ହଷ୍ଟେଲରେ କେହି ହଇରାଣ କରୁଥିଲେ କି ଏହିଭଳି ମାଳମାଳ ପ୍ରଶ୍ନ ପ୍ରତିଟି ଛାତ୍ରୀଙ୍କୁ ପଚରାଯାଇଛି। ଆସନ୍ତାକାଲି ପୁଣି ଅନ୍ୟାନ୍ୟ ଛାତ୍ରୀଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ରୁଚିକାଙ୍କ ପରିବାରଲୋକେ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିବାରୁ ନିରପେକ୍ଷ ତଦନ୍ତ ପାଇଁ ମନସ୍ତତ୍ବବିତ୍ଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି। ରୁଚିକା ସୁଇସାଇଡ୍ ନୋଟରେ ଉଲ୍ଲେଖ ଥିବା ୩ ସିନିୟର୍ଙ୍କ ବାବଦରେ ପୁଲିସ ହଷ୍ଟେଲ୍ ଛାତ୍ରୀଙ୍କ ପାଖରୁ ଯଥେଷ୍ଟ ତଥ୍ୟ ଓ ପ୍ରମାଣ ନ ପାଇବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଜଣାପଡ଼ିଛି।
ବିଜେବି କଲେଜ ସମ୍ମୁଖରେ ଏକାଦଶାହ ପାଳିବେ ରୁଚିକାଙ୍କ ମା’
ଭୁବନେଶ୍ବର: ରାଗିଂ ପାଇଁ ବିଜେବି ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ୯ଦିନ ପୂରିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିପାରିନାହିଁ। ମହାବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଦାୟିତ୍ବରେ ଅବହେଳା କରିଥିବା କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏହାକୁ ନେଇ କଲେଜ ସମ୍ମୁଖରେ ଧାରଣାରେ ବସିଥିବା ରୁଚିକାଙ୍କ ମା’ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟ ସମ୍ମୁଖରେ ଏକ ସମ୍ବାଦିକ ସମ୍ମିଳନୀ କରି ଆଜି ରୁଚିକାଙ୍କ ମା’ ବିଦ୍ୟୁତ୍ପ୍ରଭା ମହାନ୍ତି କହିଛନ୍ତି ଯେ ଆଉ ଦୁଇ ଦିନ ପରେ ଅର୍ଥାତ ୧୨ ତାରିଖ ଦିନ ଝିଅର ଏକାଦଶାହରେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଶ୍ରାଦ୍ଧ ଦେବେ। ଏହାସହ ଦୀର୍ଘଦିନ ଧରି ଅନଶନରେ ବସିଥିବା ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଂଯୋଜକ ମନୱର ଅଲ୍ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗୁଡ଼ୁ ଥିବାରୁ ସେ ଚିନ୍ତା ବ୍ୟକ୍ତ କରି ତାଙ୍କ ଝିଅ ପରେ ଆଉ କାହାର ଜୀବନ ନଯାଉ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ଉପଦେଷ୍ଟା ମଧୁମିତା ସାମଲ, ଏଆଇଏସ୍ଏଫ୍ର ରାଜ୍ୟ ସଭାପତି ସଂଘମିତ୍ରା ଜେନା, ସାମାଜିକ କର୍ମୀ ବିନ୍ଦୁଜା ଉପାଧ୍ୟାୟ, ସଚିନ ରାଉତ, ରୁଚିକାଙ୍କ ମା’ ବିଦ୍ୟୁତ୍ପ୍ରଭା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।