ରାଗିଂ ପାଇଁ ରୁଚିକା ଆତ୍ମହତ୍ୟା: ୨୪ ଘଣ୍ଟା ପରେ ବି ହାତ ଖାଲି

୬୦ ଜଣଙ୍କୁ ଜେରା, ତାଲିକାରେ ୧୩୪

ଭୁବନେଶ୍ବର : ରାଗିଂ ନ କିରବା ପାଇଁ କଡ଼ା ନିୟମ ଥିଲେ ବି ଖୋଲାଖୋଲି ନିୟମ ଉଲ୍ଲଂଘନ ‌କଲେ। ଆଉ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ଏଭଳି ବାଧ୍ୟ କରାଯାଇଥିଲା ଯେ ‌ସେ ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଲେ। ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡ଼ୁଛି। ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ, ପ୍ରତିବାଦ କରାଯାଉଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ବି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରି ନାହିଁ। ସ୍ପଷ୍ଟଭାବେ ୩ଜଣ ସିନିୟର ସନ୍ଦେହ ଘେରରେ ରହିଛନ୍ତି। ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ବି ହେଉଛି। ହେଲେ ପୁଲିସ ଜାଣିପାରୁ ନାହିଁ ଯେ ସେମାନେ କିଏ? କେବେଠୁ ରାଗିଂ କରୁଥିଲେ ଏବଂ କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଲେ? ପ୍ରକୃତରେ ପୁଲିସ ଜାଣିପାରୁ ନାହିଁ ନା କୌଣସି ଚାପରେ ରହି ବାନ୍ଧିବାକୁ ଭୟ କରୁଛି? ତାହା ଏବେ ସନ୍ଦେହରେ।

ଅନ୍ୟପଟେ ପୁଲିସ୍‌ ରବିବାର ଦିନ ସନ୍ଦେହରେ ଅନେକ ଛାତ୍ରଛାତ୍ରୀଙ୍କୁ ମାରାଥନ ଜେରା କରିଛି। ଏଥିପାଇଁ କମିସନରେଟ୍‌ ପୁଲିସ ତିନିଟି ସ୍ବତନ୍ତ୍ର ଟିମ୍‌ ଗଠନ କରି ଖୋଳତାଡ଼ କରୁଛି। କଲେଜ ଛାତ୍ରୀନିବାସରେ ପହଞ୍ଚି ପୁଲିସ ଟିମ୍ ଛାନଭିନ୍ କରିଛନ୍ତି। ପୁଲିସ ୧୩୪ଜଣ ନାଁକୁ ନେଇ ତାଲିକା କରିଥିବା ବେଳେ ସୁପରିଟେଣ୍ଡେଣ୍ଟ, ୱାର୍ଡେନ, ଆସିଷ୍ଟାଣ୍ଟ୍‌, ଫ୍ଲୋର ଇନ୍‌ଚାର୍ଜ, ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସମେତ ୬୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଜେରା କରି ବୟାନ ରେକର୍ଡ କରିଛି। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ବାକି ଅନ୍ୟମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଗତକାଲି ହଷ୍ଟେଲରୁ ରୁଚିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବଢିଥିଲା। ୩ ଜଣ ସିନିୟରଙ୍କ ମାନସିକ ନିର୍ଯାତନା ସହି ନ ପାରି ସେ ଜୀବନ ହାରୁଥିବା ସୁଇସାଇଡ୍ ନୋଟ୍‌ରେ ଲେଖିଥିଲେ। ଭୁବନେଶ୍ୱର ଜୋନ-୪ ଏସିପି ପରେଶ କୁମାର ରାଉତଙ୍କ ନେତୃତ୍ୱରେ ଟିମ ତଦନ୍ତ କରୁଛି। ଏହି ଟିମ୍‌ରେ ବଡ଼ଗଡ଼ ଥାନାଧିକାରୀ ଏବଂ ଜଣେ ସବଇନ୍ସପେକ୍ଟର ରହିଛନ୍ତି। ଅନ୍ୟପଟେ କଲେଜ୍‌ରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଦୁଇ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି।

ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ମହିଳା କମିସନ ମଧ୍ୟ ଗୁରୁତ୍ବର ସହ ନେଇଛନ୍ତି। ଆଜି ଅଧ୍ୟକ୍ଷା ମିନତି ବେହେରା ଏବଂ ତାଙ୍କ ଟିମ୍‌ ‌କଲେଜ୍‌ରେ ପହଞ୍ଚି ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିଲେ। ଛାତ୍ରୀନିବାସର ତିନିଟି ମହଲାରେ ଛାତ୍ରୀଙ୍କୁ ଭେଟି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ଏହାଛଡ଼ା କଲେଜ କର୍ତୃପକ୍ଷ ଏବଂ ପୁଲିସ ସହ ଘଟଣା ବିଷୟରେ ଆଲୋଚନା କରିଥିଲେ। ‌ଆଗକୁ ପରୀକ୍ଷା ଥିବାରୁ ତୁରନ୍ତ ଘଟଣାର ତଦନ୍ତ ସାରିବାକୁ ସେ ପୁଲିସକୁ ନିର୍ଦେଶ ଦେଇଥିଲେ। ସେ କହିଛନ୍ତି ଯେ, ଏଭଳି ଘଟଣା ଦୁଃଖଦାୟକ। ପ୍ରାରମ୍ଭିକ ଭାବେ ଏ ଘଟଣା ସଂକ୍ରାନ୍ତୀୟ ଖବର ବୁଝିଲୁ। ଅନୁସନ୍ଧାନ ଜାରି ରହିବ। ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଏ ନେଇ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି। ଇତିମଧ୍ୟରେ ରୁଚିକାଙ୍କ ବାପା ଗଣେଶ୍ବର ମହାନ୍ତି ସମଗ୍ର ଘଟଣାର ସିବିଆଇ ଦ୍ବାରା ତଦନ୍ତ କରିବାକୁ ଦାବି କରିଛନ୍ତି।

ସନ୍ଦେହରେ ଚିଠି
ଯେଉଁ ସୁଇସାଇଡ୍‌ ନୋଟ୍‌ ମିଳିଛି ତାହା ସନ୍ଦେହ ଘେରରେ। କିଏ ସେ ଚିଠି ଲେଖିଛନ୍ତି? ରୁଚିକା ନା ଆଉ କିଏ? କାରଣ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ରୁଚିକାଙ୍କ ରୁମ୍‌କୁ ଯିବା ବେଳକୁ ରୁମ୍‌ ଖୋଲା ଥିଲା। ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହକୁ ଜବତ କରାଯାଇଥିଲା। ଚିଠିକୁ ଜବତ ପରେ ତାଙ୍କ ହସ୍ତାକ୍ଷର ସହ ମିଳାଯିବ। ଚିଠି ଯାଞ୍ଚ ପାଇଁ ରାଜ୍ୟ ଫରେନ୍‌ସିକ୍‌ ଲ୍ୟାବକୁ ସୋମବାର ପଠାଯିବ।

ଧରାଇବ କି ମୋବାଇଲ୍‌ ?
ପୁଲିସ ରୁଚିକାଙ୍କ ମୋବାଇଲ୍‌କୁ ଜବତ କରିଥିବା ବେଳେ ଏଥିରୁ ଅନେକ ତଥ୍ୟ ହାତେଇଛି। ସେ କେଉଁମାନଙ୍କ ସହ ଚାଟିଂ କରିଥିଲେ? କିଏ ତାଙ୍କୁ କଲ୍‌ କରିଥିଲା? ‌ ସୋସିଆଲ୍‌ ମିଡିଆଠାରୁ ଆରମ୍ଭ କରି ସିଡିଆର୍‌ ରିପୋର୍ଟ ଯାଞ୍ଚ କରିଛି। କେଉଁମାନଙ୍କ ସହ ସମ୍ପର୍କରେ ଥିଲେ? ସନ୍ଦେହରେ ପୁଲିସ କିଛି ନମ୍ବରକୁ ତାଲିକା କରିଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇପାରେ। ଏହାଛଡ଼ା କାଳେ କେହି ତାଙ୍କ ମୋବାଇଲ୍‌ରୁ କିଛି ତଥ୍ୟ ଡିଲିଟ୍‌ କରିଥି‌ବେ। ମୋବାଇଲ୍‌ର ଯାଞ୍ଚ ପାଇଁ ମଧ୍ୟ ମୋବାଇଲ୍‌କୁ ଫରେନ୍‌ସିକ୍‌ ଲ୍ୟାବକୁ ପଠାଯିବ।

ବଡି ମସାଜ କରାଉଥିଲେ ସିନିୟର: ଦୂତି ଚାନ୍ଦ

ଭୁବନେଶ୍ବର : ଅଲିମ୍ପିଆନ ଦୂତି ଚାନ୍ଦ ରାଗିଂକୁ ନେଇ ମୁହଁ ଖୋଲିଛନ୍ତି। ସିନିୟରମାନେ ତାଙ୍କୁ ରୁମ୍‌କୁ ଡାକି ବଡି ମସାଜ କରାଉଥିଲେ। ଏମିତିକି ସେମାନଙ୍କ କପଡ଼ା ସଫା କରିବାକୁ ବି ବାଧ୍ୟ କରୁଥିଲେ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଅଙ୍ଗେ ନିଭାଇଥିବା ନିର୍ଯାତନାକୁ ସାର୍ବଜନୀନ କରି କହିଛନ୍ତି, ତାଙ୍କ ସମୟରେ ବି ସ୍ପୋର୍ଟସ ହଷ୍ଟେଲରେ ରାଗିଂ ହେଉଥିଲା। ଦୀର୍ଘ ୩ ବର୍ଷ ଧରି ସେ ସିନିୟରଙ୍କ ଦ୍ୱାରା ରାଗିଂର ଶିକାର ହୋଇଥିବା କହିଛନ୍ତି। କିନ୍ତୁ କାହାକୁ ବି ମନର କଥା କହି ପାରିନଥିଲେ। ବିଜେବି କଲେଜ ଛାତ୍ରୀ ରାଗିଂ ପାଇଁ ଆତ୍ମହତ୍ୟା କରିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିବା ବେଳେ ଆଜି ସେ ମୁହଁ ଖୋଲିଛନ୍ତି।

ସିସିଟିଭି ଫୁଟେଜ୍‌ରେ କିଏ?
ଘଟଣାଦିନର ସିସିଟିଭି ଫୁଟେଜ୍‌କୁ ପୁଲିସ ହାତରେ ଲାଗିଛି। ତେବେ ଫୁଟେଜ୍‌ର କେତେକ ଦୃଶ୍ୟ ସନ୍ଦେହ ଘେରରେ ରହିଛି। ସନ୍ଦେହରେ ଥିବା କେତେଜଣକୁ ପୁଲିସ ଚିହ୍ନଟ କରି ଜେରାପାଇଁ ଯୋଜନା କରିଛି।

କ’ଣ କରୁଛନ୍ତି କଲେଜ କର୍ତୃପକ୍ଷ? ଜାଣିପାରୁ ନାହାନ୍ତି ନା ଜାଣି ଚୁପ୍‌….
କୌଣସି ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯାଇପାରିବ ନାହିଁ। ଯଦି କେହି ରାଗିଂ କରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଉଦ୍‌ବେଗର କଥା ଯେ, ଖୋଦ୍‌ ରାଜଧାନୀ ଛାତି ଉପରେ ଥିବା ବିଜେବି କଲେଜରେ ରାଗିଂ ଚାଲୁଥିଲେ ବି କର୍ତୃପକ୍ଷ ଜାଣିପାରୁ ନାହାନ୍ତି। ପ୍ରକୃତରେ କର୍ତୃପକ୍ଷ ଜାଣିପାରି ନଥିଲେ ନା ସବୁଜାଣି ଚୁପ୍‌ ଥିଲେ। ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃ‌ଷ୍ଟି କରିଛି। ତେବେ ରାଗିଂ ହେଉଛି ଜାଣି ଚୁପ୍‌ ରହିବା ହେଉ କି ନଜାଣି ପାରିବା ହେଉ। ଦୁଇଟି ପ୍ରସଙ୍ଗ କର୍ତୃପକ୍ଷଙ୍କ ଦୁର୍ବଳ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି। ଯେଉଁଠୁ ସାରା ରାଜ୍ୟକୁ ବାର୍ତ୍ତା ଯାଉଛି ସେଠି ଯଦି ଏଭଳି ଢିଲା ବ୍ୟବସ୍ଥା, ସାରା ରାଜ୍ୟରେ ସ୍ଥିତି କ’ଣ ଥିବ ଏଥିରୁ ଅନୁମାନ କରାଯାଇପାରେ।

ବିଧାନସଭା ଘେରିବେ ବିଜେପି, କଂଗ୍ରେସ
ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିବେ। ଏଭଳି ଆଭାସ ମିଳିଛି। କାରଣ ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଘଟଣାକୁ ନେଇ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି। ସେହିପରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଶୀଘ୍ର ଦୋଷୀକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଆଗାମୀ ଦିନରେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବ ବୋଲି ସେ କହିଛନ୍ତି।

ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ

ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ, ପ୍ରତିବାଦ ସଭା କରାଯାଇଛି। ତାଙ୍କ ପରିବାରକୁ ନ୍ୟାୟ ସହ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଦାବି ନେଇ ବିଜେବି କଲେଜ ଛାତ୍ର ସଂଗଠନ ପକ୍ଷରୁ କଲେଜ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ସେହିପରି ସମୃଦ୍ଧ ଓଡ଼ିଶା ରାଜ୍ୟ ଯୁବବାହିନୀ ଓ ଏଆଇଏସ୍‌ଏଫ୍‌ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ରୁଚିକାଙ୍କ ପରିବାର ସହ ଆମରଣ ଅନଶନ କରାଯାଇଛି। ସଂଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନୱର ଅଲ୍ଲୀ ଏବଂ ରୁଚିକାଙ୍କ ମା’ ବିଦ୍ୟୁତ୍‌ପ୍ରଭା ମହାନ୍ତି ଅନଶନରେ ବସିଛନ୍ତି। ନ୍ୟାୟ ନ ମିଳିବା ଯାଏ ଏ ଆନ୍ଦୋଳନ ଜାରି ରହିବ ବୋଲି ଅଲ୍ଲୀ କହିଛନ୍ତି। ସେହିପରି ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସାରା ଓଡ଼ିଶାରେ ଆଣ୍ଟି ରାଗିଂ ସେଲ୍‌ ଟାସ୍କଫୋର୍ସ ଗଠନ କରିବା ସହ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରିବାକୁ ଦାବି କରାଯାଇଛି। ବିକ୍ଷୋଭରେ ସଂଘର ସଭାପତି ସଂଘମିତ୍ରା ଜେନାଙ୍କ ନେତୃତ୍ବରେ ମନୋରଞ୍ଜନ ରାଉତ, ମନୋଜ କର, ଶାଶ୍ବତ ପତି, ନାରାୟଣ ବେହେରା, ଦେବବ୍ରତ ବେହେରା, ଜୀବନବନ୍ଧୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର