ଏବେ ବି ରହସ୍ୟରେ ରୁଚିକାଙ୍କ ମୃତ୍ୟୁ: ହଷ୍ଟେଲ୍‌ ଛାଡ଼ିପାରିବେନି ଛାତ୍ରୀ

ସୁଇସାଇଡ୍‌ ନୋଟ୍‌, ମୋବାଇଲ୍‌ ଗଲା ଲ୍ୟାବ, ବାତିଲ୍‌ ହେଲା ସେମିଷ୍ଟର

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ଆତ୍ମହତ୍ୟା ଘଟଣାର ଦୁଇ ଦିନ ବିତିଗଲାଣି। ଏହାଭିତରେ ପୁଲିସ ୧୦୦ରୁ ଊର୍ଧ୍ବଙ୍କୁ ଜେରା କରିସାରିଲାଣି। ତଥାପି ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ଟେର୍‌ ପାଉନାହିଁ। ସେ ୩ ସିନିୟର କିଏ? କେଉଁଆଡ଼େ ଅନ୍ତର୍ଧାନ ହୋଇଗଲେ? ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ନପାଇବା ଘଟଣା ଭିନ୍ନ ମୋଡ଼ ନେଉଛି। ରୁଚିକାଙ୍କ ସୁଇସାଇଡ ନୋଟକୁ ଆଧାର କରି ତିନି ସିନିୟର କିଏ ତାଙ୍କୁ ଖୋଜାଚାଲିଛି। ସନ୍ଦେହରେ ୩ଜଣଙ୍କୁ ଅଟକ ରଖିଥିଲେ ବି ପ୍ରକୃତ ଅଭିଯୁକ୍ତଙ୍କୁ ଚିହ୍ନଟ ନକରିବା ଯାଏ କୌଣସି ବି ଜଣେ ଛାତ୍ରୀ ହଷ୍ଟେଲ୍‌ ଛାଡ଼ି ନଯିବାକୁ ପୁଲିସ କହିଛି। ଏଥିପାଇଁ ହଷ୍ଟେଲକୁ ସିଲ କରାଯାଇଛି। ଆହୁରି ୩୦ଜଣଙ୍କୁ ପୁଲିସ ଜେରାକରିବ ବୋଲି ଜଣାପଡ଼ିଛି। ଏହାଛଡ଼ା ଆଜି ଜବତ ହୋଇଥିବା ସୁଇସାଇଡ୍‌ ନୋଟ୍‌ ଏବଂ ରୁଚିକାଙ୍କ ମୋବାଇଲ୍‌କୁ ରାଜ୍ୟ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି।

୪୮ ଘଣ୍ଟା ପରେ ବି ପୁଲିସ ପାଉନି ଖିଅ
୧୦୦ଜଣଙ୍କୁ ଜେରା, ଆଉ ୩୦ଙ୍କୁ ହେବ ଜେରା

ଘଟଣାକୁ ନେଇ ଚାପ ବଢ଼ୁଥିବା ବେଳେ ସତ୍ୟାସତ ଜାଣିବା ପାଇଁ କଲେଜ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଆମ କଲେଜରେ ରାଗିଂ ହୁଏନି। ସତ୍ୟାସତ୍ୟ ଜାଣିବାକୁ ଏକ ଟିମ ଗଠନ କରାଯାଇଛି। ଆଣ୍ଟି ରାଗିଂ କମିଟି, ଶୃଙ୍ଖଳା କମିଟି ଓ ସମସ୍ତ ବିଭାଗର ଅଧ୍ୟାପକ ଏଥିରେ ସାମିଲ ଅଛନ୍ତି। ଏହି କମିଟିରେ ୬ ଜଣ ସଦସ୍ୟ ରହିଥିବା ବେଳେ ଜଣେ ଅଧ୍ୟକ୍ଷ ରହିଛନ୍ତି। ରାଗିଂ ନେଇ ରୁଚିକା ପୂର୍ବରୁ କୌଣସି ଅଭିଯୋଗ କରିନଥିଲେ। ପୁଲିସ ସ୍ବତନ୍ତ୍ର ଟିମ ଗଠନ କରି ପଚରା ଉଚରା କରିଛି। ଆଶା କରାଯାଉଛି ଖୁବଶୀଘ୍ର ସତ ପଦାକୁ ଆସିବ। ସ୍ଥିତିକୁ ଦେଖି ଆଜିଠାରୁ ହେବାକୁ ଥିବା ଫାଇନାଲ ସେମିଷ୍ଟାର ପରୀକ୍ଷାକୁ ବାତିଲ୍‌ କରାଯାଇଛି। ଆଜି ଓ କାଲି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ସ୍ଥିର ହେବ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି।

ଅନ୍ୟପାଟେ ଏ ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କୁ ଠାବ କରିପାରିନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କଲେଜ ସମ୍ମୁଖରେ ରୁଚିକାଙ୍କ ମା ବିଦ୍ୟୁତ୍‌ପ୍ରଭା ମହାନ୍ତି, ବାପା ଗଣେଶ୍ବର ମହାନ୍ତିଙ୍କ ସହ ଅନେକ ସଂଗଠନ ‌ଯୋଡ଼ିହୋଇଛନ୍ତି। ତାଙ୍କୁ ସମର୍ଥନ କରି ତାଙ୍କ ଗାଁ ଲୋକ ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି। ରୁଚିକାଙ୍କ ପରିବାରକୁ ସମର୍ଥନ କରି ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଆଣ୍ଟି ରାଗିଂ ଆକ୍ଟ ଆଣିବାକୁ ଦାବି, ଉଚ୍ଚଶିକ୍ଷ‌ା ସଚିବଙ୍କୁ ଭେଟିଲା ଅଭିଭାବକ ମହାସଂଘ

ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପରେ ରାଜ୍ୟରେ ଆଣ୍ଟି ରାଗିଂ ଆକ୍ଟ ଆଣିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି। ମହାସଂଘର ଏକ ପ୍ରତିନିଧି ଦଳ ଆଜି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ମହାସଂଘ ପକ୍ଷରୁ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନଗୁଡ଼ିକରେ ରହିଥିବା ଶିକ୍ଷା ଓ ତଦାରଖ ବ୍ୟବସ୍ଥା ଉପରେ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବର୍ତମାନ ଦେଶରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଓଡ଼ିଶା ଦ୍ବିତୀୟ ଏବଂ ଦୁଇ ବର୍ଷ ହେଲା ରାଗିଂରେ ତୃତୀୟ ସ୍ଥାନରେ ରହିଛି। ଆମ ବ୍ୟବସ୍ଥାରେ ତ୍ରୁଟି ପାଇଁ ଏଭଳି ହେଉଛି। ବିଜେବି ଭଳି ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନରେ ଏହି ଘଟଣା ଚିନ୍ତାର ବିଷୟ। ଏଭଳି ଘଟଣାକୁ ରୋକିବା ଲାଗି ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଭଳି ୭ଟି ରାଜ୍ୟରେ ଯେଉଁଭଳି ଆଣ୍ଟି ରାଗିଂ ଆକ୍ଟ ରହିଛି, ଓଡ଼ିଶାରେ ମଧ୍ୟ ଅଣାଯିବ। ଏହି ଆଇନ ଆସିଲେ ପିଲାଙ୍କ ଭିତରେ ଭୟ ରହିବ। ବିଜେବି କଲେଜ ଘଟଣାରେ ଦୋଷୀ ଛାତ୍ରୀ ଓ ଦାୟିତ୍ୱରେ ଅବହେଳା କରିଥିବା କଲେଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। କଲେଜଗୁଡ଼ିକରେ ଥିବା ଆଣ୍ଟି ରାଗିଂ ସ୍କ୍ୱାର୍ଡର କାର୍ଯ୍ୟକାରିତା ନେଇ ଅତି କମରେ ମାସକୁ ଥରେ ସମୀକ୍ଷା ହେବା ଆବଶ୍ୟକ ବୋଲି ମହାସଂଘ ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି।

ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ୍‌

ପୁଲିସ କମିସନରଙ୍କୁ ନୋଟିସ୍‌, ୧୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଏହି ଘଟଣାରେ ଆଜି ରାଜ୍ୟ ମାନବାଧିକାର କମିସନ (ଓଏଚ୍‌ଆର୍‌ସି) ନୁଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି। ଆସନ୍ତା ୧୯ ତାରିଖ ସୁଦ୍ଧା ଏନେଇ ଏକ ରିପୋର୍ଟ ଦାଖଲ କରିବାକୁ କମିସନ୍‌ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ୨୦୨୧ ମାର୍ଚ୍ଚ ୧୫ରେ ‘ରାଗିଂ ଫ୍ରି କ୍ୟାମ୍ପସ୍‌ ଅଭିଯାନ’ ପକ୍ଷରୁ ସଭାପତି ତେଜେଶ୍ବର ପରିଡ଼ା ଏକ ପିଟିସନ୍‌ ସହ କଲେଜ କ୍ୟାମ୍ପସ୍‌କୁ ରାଗିଂମୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ। ୱାର୍ଡେନ ଓ ସୁପରିଟେଣ୍ଡେଣ୍ଟ ହଷ୍ଟେଲ ଭିତରେ ରହିବା, କ୍ୟାମ୍ପସକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖିବା, ଓଡ଼ିଶା ପୁଲିସ ଓ ମାନବ ଅଧିକାର କମିସନ ପକ୍ଷରୁ ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି କରିବା, ଆଣ୍ଟି ରାଗିଂ ସ୍କାଡ୍‌କୁ କ୍ରିୟାଶୀଳ କରିବା ଓ ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ପ୍ରସ୍ତାବ ଦିଆଯାଇଥିଲା।

ଏହାକୁ ଭିତ୍ତି କରି ଆୟୋଗ ୭୫୪/୨୦୨୧ରେ ଏକ ମାମଲା ଦାୟର କରିବା ସହ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଥିଲେ। କିନ୍ତୁ ୧୫ ମାସ ପରେ ବି ଏନେଇ କୌଣସି ଉତ୍ତର ସରକାରଙ୍କ ପକ୍ଷରୁ ଦିଆଯାଇ ନଥିବାରୁ ସଭାପତି ଶ୍ରୀ ପରିଡ଼ା କ୍ଷୋଭ ପ୍ରକାଶ କରିଛନ୍ତି। ଆଜି ମଧ୍ୟ ରାଗିଂ ଫ୍ରି କ୍ୟାମ୍ପସ୍‌ ଅଭିଯାନ ପକ୍ଷରୁ କମିସନଙ୍କୁ ଭେଟି ଆତ୍ମହତ୍ୟାର ନକଲ କପି ସହ ଏକ ଅଭିଯୋଗପତ୍ର ଦିଆଯାଇଛି। ରାଗିଂ ଫ୍ରି କ୍ୟାମ୍ପସ୍‌ ଅଭିଯାନ ପକ୍ଷରୁ ଦିଆଯାଇଥିବା ପିଟିସନ ସମ୍ପର୍କରେ ମଧ୍ୟ କମିସନ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର