ରୁକୁଣା ରଥଯାତ୍ରା ନୀତି ନିର୍ଘଣ୍ଟ: ଦିନ ସାଢ଼େ ୩ଟାରେ ରଥ ଟଣା

ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ସୁଯୋଗ ମିଳୁ

ପୁରୁଣା ଭୁବନେଶ୍ୱର: ଏପ୍ରିଲ ୯ରେ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରା। ଏଥିପାଇଁ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବ ବର୍ଷ ପରି କରୋନା କଟକଣା ପରିବର୍ତ୍ତେ ରଥଯାତ୍ରା ସୁରୁଖୁରୁରେ କରିବାକୁ ସେବାୟତମାନେ ଦାବି ରଖିଛନ୍ତି। ସେବାୟତଙ୍କ ଦାବି ଅନୁଯାୟୀ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି। ଏଥିସହ ରଥଦାଣ୍ଡର ଗୋସାଗରେଶ୍ବର ଛକରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା, ରାସ୍ତାରେ ପଡ଼ିଥିବା ତାରକୁ ଯାତ୍ରାର ଯଥେଷ୍ଟ ପୂର୍ବରୁ ହଟାଇବା, ଗଛ ଗୁଡ଼ିକ ଡ୍ରେସିଂ କରାଯିବାକୁ ଦାବି ହୋଇଛି। ରଥ ପ୍ରତିଷ୍ଠା ଦିନ ସଅଳ ନୀତି ପାଇଁ ପୂର୍ବରୁ ପଦକ୍ଷେପ ନେବାକୁ ସେବାୟତମାନେ ଦାବି କରିଥିଲେ। ଏନେଇ ପଦକ୍ଷେପ ନିଆଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।

ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ଟାରେ ଠାକୁରଙ୍କ ଆଳତି, ଅବକାଶ ନୀତି ସମ୍ପନ୍ନ ହୋଇ ୫ଟା ୩୦ରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଦର୍ଶନ ରହିବ। ଏହାପରେ ରୋଷହୋମ, ପାକକାର୍ଯ୍ୟ ସମ୍ପନ୍ନ ହୋଇ ଛାମୁ ପରିଷ୍କାର ହେବ। ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଗୋପାଳୁଣୀ (ଭୁବନେଶ୍ୱରୀ) ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ପରେ ପୂର୍ବାହ୍ନ ୯ଟା ୧୫ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ରେ ଆରମ୍ଭ ହୋଇ ଘଣ୍ଟାକ ଭିତରେ ସରିବ। ଏହାପରେ ଅନ୍ୟାନ୍ୟ ପୂଜାନୀତି ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ।

ମଧ୍ୟାହ୍ନ ସାଢ଼େ ଗୋଟାଏ ସୁଦ୍ଧା ପହଣ୍ଡି ସାରି ଠାକୁର ରଥାରୁଢ଼ ହେବେ। ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦେଢ଼ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ। ଚାର ଖୋଲା ହୋଇ ସାଢ଼େ ୩ଟାରେ ରଥ ମାଉସୀ ମା’ ଅଭିମୁଖେ ଗଡ଼ିବ। ରାମେଶ୍ୱର ମନ୍ଦିରରେ ରଥ ସଂଧ୍ୟା ୭ଟାରୁ ସାଢ଼େ ୭ଟାରେ ଲାଗିବ। ଏହାପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ଯଥାବିଧି ଚାଲିବ। ଏପ୍ରିଲ ୧୩ରେ ଠାକୁର ପୁଣି ରଥରେ ବିଜେ କରି ବାହୁଡ଼ିବେ। ବାହୁଡ଼ା ଯାତ୍ରାରେ ଶ୍ରୀଜିଉଙ୍କ ନୀତି ବିଧିମତେ ସମ୍ପନ୍ନ ହୋଇ ଦିନ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ମଧ୍ୟରେ ଅଧରପଣା ନୀତି ସମାପିତ ହେବ। ଏହାପରେ ସାଢ଼େ ଗୋଟାଏରୁ ୩ଟା ଭିତରେ ପହଣ୍ଡି ବିଜେ ସାରି ଶ୍ରୀଜିଉ ସ୍ୱଗୃହ ପ୍ରତ୍ୟାବର୍ତ୍ତନ ଲାଗି ରଥରେ ବିଜେ ହେବେ। ଅପରାହ୍ନ ସାଢ଼େ ୩ଟାରେ ବାହୁଡ଼ା ରଥଟଣା ଆରମ୍ଭ ହେବା ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥା, ମାଗୁଣି ସମର୍ଥା, ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର ଓ ମନ୍ଦିର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର