ରୁକୁଣା ରଥ ଆଉ ୧୧ ଦିନ: ୧୫ ତାରିଖ ରାତିରେ ରଥ ପ୍ରତିଷ୍ଠା

ଭୁବନେଶ୍ବର: ଆସନ୍ତା ୧୬ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଅଣଲେଉଟା ରୁକୁଣା ରଥରେ ଚଢ଼ି ପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀମା’ ଘର। ଏହି ପ୍ରସିଦ୍ଧ ରଥଯାତ ପାଇଁ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ମହାନ୍ତିଙ୍କ ସଭାପତିତ୍ବରେ ନୀତିକାନ୍ତି, ରଥ ପ୍ରତିଷ୍ଠା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା। ରଥଯାତ୍ରାର ୨ ଦିନ ପୂର୍ବରୁ, ଅର୍ଥାତ୍‌ ୧୪ ତାରିଖ ସନ୍ଧ୍ୟାରେ ମହାରଣା ସେବାୟତ ରଥ ସମ୍ପୂର୍ଣ୍ଣ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ। ଏନେଇ ପୂର୍ବରୁ ମହାରଣା ସେବାୟତଙ୍କ ସହ‌ ଆଲୋଚନା ସରିଛି। ଆଜି କ୍ଷେତ୍ରବାସୀ ସେବାୟତଙ୍କ ସହ ଆଲୋଚନା ପରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୧୫ ତାରିଖ ଦିନ ରଥ ପ୍ରତିଷ୍ଠା କରାଯିବ। ଉକ୍ତଦିନ ରାତି ୮ଟା ସୁଦ୍ଧା ପୁରୀର ରାଜଗୁରୁ ରଥ ଖଳାରେ ପହଞ୍ଚିବେ।

କ୍ଷେତ୍ରବାସୀ ନିଯୋଗର ‌ପଣ୍ଡିତମାନେ ରାଜଗୁରୁଙ୍କ ସହ ରାତି ୯ଟା ବେଳକୁ ରଥ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିବେ। ରାତି ମଧ୍ୟରେ ରଥ ପ୍ରତିଷ୍ଠା ଶେଷହେବ। ଆଜି କ୍ଷେତ୍ରବାସୀ ନିଯୋଗର ସଭାପତି ସରୋଜ ମିଶ୍ର ଓ ସମ୍ପାଦକ ଭାବଗ୍ରାହୀ ମିଶ୍ର ଉପସ୍ଥିତ ରହି ସହମତି ପ୍ରକାଶ କରିବା ସହ ସର୍ତ୍ତ ରଖିଥିଲେ। ୧୫ ତାରିଖ ଦିନ ରଥ ସମ୍ପୂର୍ଣ୍ଣ ଓ ପୂଜାବିଧି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ କହିଥିଲେ କ୍ଷେତ୍ରବାସୀ ସେବାୟତ। ଏହାପରେ ବ୍ରାହଣ ନିଯୋଗ, ବଡ଼ୁ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ସମର୍ଥା ନିଯୋଗଙ୍କ ସହ ନୀତି ସମ୍ପର୍କିତ ଆଲୋଚନା ହୋଇଥିଲା। ୧୬ ତାରିଖ ରଥଯାତ୍ରା ଓ ୨୦ ତାରିଖ ବାହୁଡ଼ାଯାତ୍ରା ଦିନ ପାଳିଥିବା ସେବାୟତ କିପରି ଧାର୍ଯ୍ୟ ହୋଇଥିବା ସମୟ ଅନୁସାରେ ନୀତି କରିବେ, ସେଥିପ୍ରତି ଧ୍ୟାନ ଦେବାକୁ ନିବେଦନ କରିଥିଲେ ମନ୍ଦିର ନିର୍ବାହୀ ଅଧିକାରୀ।

ରଥ ଗଢ଼ିବା ଆମର ବଡ଼ ଉତ୍ସବ
ପ୍ରାୟ ୨୫ ବର୍ଷ ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଢ଼ିବାରେ ଗୁଣ୍ଡୁଚି ମୂଷା ଭଳି କାମ କରୁଛି। ଠାକୁରଙ୍କ କାମ କରିବାକୁ ଆମେ ଚାତକ ପରି ଚାହିଁ ରହିଥାଉ। ରଥ ଅନୁକୂଳଠାରୁ ଆରମ୍ଭ କରି ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ଆମେ ସବୁକିଛି ଭୁଲି ଯାଉ। ପ୍ରଭୁଙ୍କ ପାଇଁ ରଥ ଗଢ଼ିବା ଆମର ବଡ଼ ଉତ୍ସବ।
– ବାସୁଦେବ ମହାରଣା (ମହାରଣା ସେବାୟତ)

ମହାବାରୁଣେଶ୍ୱର ବୁଡ଼ରେ ସାମିଲ ହେବେନାହିଁ ଶ୍ରୀଲିଙ୍ଗରାଜ
୧୨ବର୍ଷରେ ଥରେ ପଡ଼ୁଥିବା ମହାବାରୁଣେଶ୍ୱର ବୁଡ଼ରେ ସାମିଲ ହେବେନାହିଁ ପ୍ରଭୁ ଶ୍ରୀଲିଙ୍ଗରାଜ। କିନ୍ତୁ ମନ୍ଦିରରେ ପ୍ରଭୁଙ୍କ ନୀତି ବନ୍ଦ ହେବନାହିଁ। ପ୍ରତିଦିନ ପରି ସକାଳୁ ମଙ୍ଗଳଆଳତି, ଅବକାଶ ପୂଜା ଠାରୁ ରାତିରେ ପହୁଡ଼ପଡ଼ିବା ପର୍ଯ୍ୟନ୍ତ ଠାକୁରଙ୍କ ସମସ୍ତ ନୀତି କରାଯିବ। ଆଜି ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ମହାନ୍ତିଙ୍କ ସଭାତିତ୍ବରେ ଅନୁଷ୍ଠିତ ସେବାୟତମାନଙ୍କ ସହ ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖନୀୟ ଯେ ପୂର୍ବରୁ ୨୦୧୭ରେ ମଧ୍ୟ ବାରୁଣେଶ୍ବର ବୁଡ଼କୁ ଯାଇ ନଥିଲେ ଶ୍ରୀଲିଙ୍ଗରାଜ।

ସମ୍ବନ୍ଧିତ ଖବର