ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଆଜି ମହାଖଳାରେ ଲାଗିଛି। ଗୋସାଗରେଶ୍ୱର ଛକରୁ ବାହାରି ତିନିମୁଣ୍ଡିଆ ଛକ, ବଡ଼ଦାଣ୍ଡସାହି ଓ ବଢ଼େଇବାଙ୍କ ଦେଇ ମହାପ୍ରଭୁଙ୍କ ରଥକୁ ରହଣିସ୍ଥଳରେ ଲଗାଯାଇଥିଲା। ଆଜି ଯାତ୍ରାର ୬ଦିନ ପଡୁଥିବାରୁ ଠାକୁର ମନ୍ଦିରକୁ ପ୍ରବେଶ କରି ନଥିଲେ। ଫଳରେ ଦେବଦେବୀ ରଥରେ ରହିଲେ। ଶୁକ୍ରବାର ସନ୍ଧ୍ୟାରେ ପାରମ୍ପରିକ ବାଦ୍ୟ ନୃତ୍ୟରେ ଠାକୁରଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ଅନୁଷ୍ଠିତ ହେବ। ଆଜି ଅପରାହ୍ଣ ପ୍ରାୟ ୪ଟା ପରେ ପୁଣି ରଥଟଣା ଆରମ୍ଭ ହୋଇଥିଲା। ହର ହର ମହାଦେବ, ଜୟ ଶ୍ରୀଲିଙ୍ଗରାଜ, ଓଁ ନମଃ ଶିବାୟ, ହରିବୋଲ ହୁଳହୁଳି ସାଙ୍ଗକୁ ସମର୍ଥାଙ୍କ ଘଣ୍ଟ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ରଥ ଦାଣ୍ଡ। ଆଧ୍ୟାତ୍ମିକ ପରିବେଶରେ ଆନନ୍ଦ ଉଲ୍ଲାସରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଇଥିଲେ। ରାତି ୭ଟା ୩୦ରେ ରଥ ମହାଖଳାରେ ଲାଗିଥିଲା। ରଥ ମହାଖଳାରେ ରହିବା ପରେ ଚାରମାଳ ବନ୍ଧା ଯିବା ସହ ରଥରେ ଦୁଇ ପାର୍ଶ୍ୱରେ ଲୁହା ସଡ଼ି ଲଗାଯାଇଥିଲା। ଏହା ପରେ ଶହ ଶହ ଭକ୍ତ ରଥ ଉପରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।
ରାଗରେ ରଥ ଭାଙ୍ଗିଲେ ମା’ପାର୍ବତୀ
ରଥଯାତ୍ରାରେ ମହାପ୍ରଭୁଙ୍କ ସାଙ୍ଗରେ ଯାଇ ନଥିବା ମା’ ପାର୍ବତୀ ଆଜି ସେବାୟତଙ୍କ ଗହଣରେ ରଥପାଖକୁ ଆସିଥିଲେ। ରଥ ବଢ଼େଇବାଙ୍କ ଛକ ଗୋପାଳ ତୀର୍ଥ ମଠ ନିକଟରେ ପହଞ୍ଚିବା ବେଳକୁ ପାଲିଙ୍କିରେ ଆସିଥିଲେ ମା’ ପାର୍ବତୀ। ସେବାୟତଙ୍କ ଗହଣରେ ରଥ ପରିକ୍ରମା କରିବା ପରେ ମହାପ୍ରଭୁ ସାଙ୍ଗରେ ନେଇ ନଥିବା ରାଗରେ ମା’ ପାର୍ବତୀ ରଥର ଏକ କାଠକୁ ଭାଙ୍ଗିଦେଇଥିଲେ।
ଚାହାଣି ମଣ୍ଡପରୁ ହେଲା ଭେଟ ଆଳତି
ଆଜି ରାତି ପ୍ରାୟ ୯ଟା ବେଳକୁ ଦେବଦେବୀଙ୍କ ଭେଟ ଅଳତି ହୋଇଥିଲା। ରଥରେ ମହାପ୍ରଭୁ ଥିବା ବେଳେ ମନ୍ଦିରର ଚାହାଣି ମଣ୍ଡପରେ ଥିଲେ ମା ପାର୍ବତୀ। ଗୋଟିଏ ସମୟରେ ଉଭୟ ସ୍ଥାନରେ ମା’ ପାର୍ବତୀ ଓ ଶ୍ରୀଲିଙ୍ଗରାଜଙ୍କ ଭେଟ ଆଳତି କରାଯାଇଥିଲା।
ଭାଙ୍ଗିଲା ପରମ୍ପରା, ସୂର୍ଯ୍ୟାସ୍ତ ପରେ ଗଡ଼ିଲା ରଥ
ସୂର୍ଯ୍ୟାସ୍ତ ପରେ ରଥ ଗଡ଼ିବା କଥା ନୁହେଁ। କିନ୍ତୁ ଚଳିତ ବର୍ଷ ରୁକୁଣା ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ବ୍ୟତିକ୍ରମ ଦେଖାଦେଇଛି। ରଥଯାତ୍ରା ପରଦିନ ସନ୍ଧ୍ୟା ବେଳକୁ ରଥ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରି ନଥିଲା। ତେଣୁ ସୋମବାର ରଥଟଣା ହେବା ନେଇ ଆଲୋଚନା ହୋଇଥିଲା। କିନ୍ତୁ ପ୍ରଶାସନ ଓ ସେବାୟତଙ୍କ ସହାୟତାରେ ରଥ ଆଗକୁ ଗଡ଼ିଥିଲା। ସମାନ ଅବସ୍ଥା ହୋଇଥିଲା ବାହୁଡା଼ ପର ଦିନ। ଗୁରୁବାର ରଥ ବଢ଼େଇବାଙ୍କ ଛକରେ ପହଞ୍ଚିବା ପୂର୍ବରୁ ସନ୍ଧ୍ୟା ହୋଇଯାଇଥିଲା। ତଥାପି ପ୍ରଶାସନ ଓ ସେବାୟତଙ୍କ ନେତୃତ୍ବରେ ରଥ ଆଗକୁ ଗଡ଼ିଥିଲା। ପୂର୍ବରୁ ଏପରି କେବେ ହୋଇ ନଥିଲା ବେଳେ ଚଳିତ ବର୍ଷ ଦୁଇଥର ପରମ୍ପରା ଭଙ୍ଗ ହୋଇଥିଲା। ଏ ସଂକ୍ରାନ୍ତରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ପୁଣି ରାତି ୭ଟାରେ ରଥ ମାଉସୀ ମା’ ମନ୍ଦିରରେ ଲାଗିଥିଲା। ଏବେ ତ ଅଳ୍ପ ବାଟ ଥିଲା। ରଥ ପହଞ୍ଚାଯିବାକୁ ସମସ୍ତେ ଚାହିଁଲେ। ଏଣୁ ରଥ ଖଳାରେ ଲାଗିଗଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/11/H76AWEJPgMm7iZ9lqcrQ.jpg)